ପିପିଲି : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍ଏସି) ନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲର ଶେଷ ଦିବସରେ ଅଧ୍ୟକ୍ଷ ଆସନ ନିମନ୍ତେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ପୂର୍ବତନ ପୌରାଧ୍ୟକ୍ଷ ସେକ୍ ବାବୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ଆମ୍ ଆଦମୀ ପାର୍ଟିିର ପ୍ରାର୍ଥୀଭାବେ ବାଦଲ ଖାଁ ଅଧ୍ୟକ୍ଷ ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପିପିଲି ଏନ୍ଏସି ଅଧ୍ୟକ୍ଷ ଆସନ ପାଇଁ ସର୍ବମୋଟ୍ ୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୬ଟି ୱାର୍ଡର କାଉନ୍ସିଲର ଆସନ ନିମନ୍ତେ ବିଜେଡିର ୧୬ଜଣ ପ୍ରାର୍ଥୀ, ବିଜେପିର ୧୫ଜଣ ଓ କଂଗ୍ରେସର ୧୨ଜଣ ପ୍ରାର୍ଥୀଙ୍କୁ ମିଶାଇ ସର୍ବମୋଟ୍ ୬୧ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ୧୪ନଂ ୱାର୍ଡର କାଉନ୍ସିଲର ଆସନରେ ଉଭୟ ବିଜେପି ଓ କଂଗ୍ରେସ ଦଳରୁ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ସୂଚନା ମିଳିଛି।
ଆଜି ପୂର୍ବାହ୍ନରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି ଦଳର ପୌରାଧ୍ୟକ୍ଷ ପ୍ରାର୍ଥୀ ଶ୍ରୀଭଟ୍ଟଙ୍କ ସମେତ ସମସ୍ତ କାଉନ୍ସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଦଳୀୟ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ପିପିଲି ଏନ୍ଏସି କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବନେତା କର୍ପୁର ଚନ୍ଦନ ଜେନା, ଅକ୍ଷୟ କୁମାର ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ରାଜ୍ୟ ବିଜେଡି ସଂପାଦକ ପ୍ରୀୟବ୍ରତ ସାମନ୍ତରାୟଙ୍କ ନେତୃତ୍ୱରେ ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ ସେକ୍ ବାବୁଙ୍କ ସମେତ ସମସ୍ତ ଦଳୀୟ କାଉନ୍ସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ପିପିଲି ବଜାର ପରିକ୍ରମା କରି ପିପିଲି ଏନ୍ଏସି କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ଦାୟିତ୍ୱରେ ଥିବା ବିଜେଡିର ସହ-ପର୍ଯ୍ୟବେକ୍ଷକ ପ୍ରମୋଦ କୁମାର ସାମଲ, ପିପିଲି ବ୍ଳକ ଆତ୍ମା କମିଟି ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ସଂପାଦକ ସତ୍ୟଜିତ ରାୟଚୌଧୁରୀ, ଏନ୍ଏସି ବିଜେଡି ସଭାପତି ଶରତ ଚନ୍ଦ୍ର ବେହେରା, ଯୁବନେତା ଲିଙ୍କନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ପିପିଲି ପୌରାଧ୍ୟକ୍ଷ ପଦ : ବିଜେଡିରୁ ସେକ୍ ବାବୁ ଓ ବିଜେପିରୁ ସୁକାନ୍ତ ଭଟ୍ଟଙ୍କ ନାମାଙ୍କନ ଦାଖଲ
Popular Categories



