ଭୁବନେଶ୍ୱର: ମହିଳାମାନେ ସିଦ୍ଧାନ୍ତ ନେବା ପ୍ରକ୍ରିୟାର ଏକ ଅଂଶ ହେବା ଜରୁରୀ ବୋଲି ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ସୁମିତ୍ରା ପଟ୍ଟନାୟକ କହିଛନ୍ତି । ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସୋମବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୱେବିନାର ଆଲୋଚନାରେ ଯୋଗ ଦେଇ ସୁମିତ୍ରା ପଟ୍ଟନାୟକ କହିଛନ୍ତି ଯେ, ମହିଳାମାନେ ପୁରୁଷମାନଙ୍କ ସମକକ୍ଷ ହେବାର ପ୍ରତିଯୋଗିତା ପରିବର୍ତ୍ତେ ସିଦ୍ଧାନ୍ତ ନେବା କ୍ଷେତ୍ରରେ ଅଂଶଗ୍ରହଣ କରିପାରିଲେ ଦେଶର ରାଜନୀତିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ। ସମ୍ବିଧାନର ୭୩ତମ ଏବଂ ୭୪ତମ ସଂଶୋଧନର ଏହା ହିଁ ଉଦ୍ଦେଶ୍ୟ ବୋଲି କହିଛନ୍ତି । ଏଥିସହିତ ମହିଳାମାନଙ୍କ ସାମାଜିକ ଏବଂ ରାଜନୀତିକ ଅଧିକାର ପ୍ରସଙ୍ଗରେ ସେମାନଙ୍କ ସ୍ୱାମୀ କିମ୍ବା ପରିବାରବର୍ଗଙ୍କ ଦ୍ୱାରା ପରିଚାଳିତ ନ ହୋଇ ସିଦ୍ଧାନ୍ତ ନିଜେ ନେଇପାରିଲେ ସମ୍ବିଧାନ ସଂଶୋଧନର ଉଦେଶ୍ୟ ପୂରଣ ହେବ ବୋଲି କହିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ବିଶିଷ୍ଟ ଶିକ୍ଷାବିତ ଶ୍ରୀମତୀ ହରପ୍ରସନ୍ନା ଆମ ଦେଶର ପ୍ରାଚୀନ କାଳରୁ ଏପର୍ଯ୍ୟନ୍ତ ମହିଳାମାନଙ୍କ ସାମାଜିକ ସ୍ଥିତି ଏବଂ ଭୂମିକା ଆଲୋଚନା କରିଥିଲେ । ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ପରିବାରରେ ପୁରୁଷଙ୍କ ଅପେକ୍ଷା ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ରାଜନୀତିରୁ ଆରମ୍ଭ କରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ନିଜର ଉକ୍ରର୍ଷ ପ୍ରତିପାଦନ କରିଥିଲେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାରେ ପୁରୁଷଙ୍କ ତୁଳନାରେ ନାରୀଙ୍କ ସଂଖ୍ୟା ଦଶ ଭାଗରୁ ଭାଗେ ବୋଲି କହିଥିଲେ । ନାରୀମାନଙ୍କର ସର୍ବାଙ୍ଗୀନ ପ୍ରଗତି ପାଇଁ ସମଗ୍ର ବିଶ୍ୱରେ ସବୁ ଦେଶରେ ଉଦ୍ୟମ ଆବଶ୍ୟକ ବୋଲି ମତ ଦେଇଥିଲେ।
କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର ପରାମର୍ଶ ନିର୍ଦେଶକ ଡକ୍ଟର ସୁଚେତା ପ୍ରିୟଦର୍ଶିନୀ ଏହି ଅବସରରେ କହିଥିଲେ ଯେ, ଦକ୍ଷତା, ଯୋଗ୍ୟତା, ଉପାର୍ଜନ ଆଦି ସବୁ କ୍ଷେତ୍ରରେ ନାରୀମାନେ ପୁରୁଷଙ୍କ ଭଳି ଯୋଗ୍ୟତା ପ୍ରଦର୍ଶନ କରି ପାରିଛନ୍ତି । ଏହାସତ୍ତ୍ୱେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାରୀମାନଙ୍କୁ ପୁରୁଷଙ୍କ ସମକକ୍ଷ ସ୍ତରକୁ ଅଣାଯାଇ ପାରିନାହିଁ । ୫୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ମାତ୍ର ୭ ଜଣ ମହିଳା କୁଳପତି ଥିବା ଦର୍ଶାଇ ଶିକ୍ଷା କ୍ଷେତ୍ରରେ ନାରୀମାନଙ୍କ ପାଇଁ ସୁଯୋଗ କମିଥିବା କହିଥିଲେ । ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଆରମ୍ଭରେ ସୂଚନା ଦେଇ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କ ଭଳି ପାରଦର୍ଶିତା ଦେଖାଇଛନ୍ତି । ତେଣୁ ମହିଳାମାନଙ୍କର ଅଧିକାର ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଦେଶର ନାଗରିକ ଭାବରେ ନାଗରିକ ଅଧିକାର ସମ୍ପର୍କରେ ସଚେତନ କରାଗଲେ ଅନେକ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ ।
ଏହି ଆଲୋଚନାକୁ ଆକାଶବାଣୀ କଟକ କେନ୍ଦ୍ରର ବାର୍ତ୍ତା ସମ୍ପାଦକ ଇତିଶ୍ରୀ ସିଂହ ରାଠୋର ପରିଚାଳନା କରିବା ସହିତ ବିଷୟ ଏବଂ ପ୍ରସଙ୍ଗଗୁଡ଼ିକର ପୃଷ୍ଠଭୂମି ଆଲୋଚନା କରିଥିଲେ। ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ମନମୋହନ ପାଢ଼ୀ, ମହେନ୍ଦ୍ର ପ୍ରସାଦ ଜେନା, ଜାମୁଲା ଶୁରେଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।



