www.samajalive.in
Thursday, December 11, 2025
14.1 C
Bhubaneswar

ଚାଷୀକଲ୍ୟାଣ ପାଇଁ ଆଉ ଏକ ନୂତନ ଫର୍ଦ୍ଦ ଯୋଡିଲେ ପ୍ରଧାନମନ୍ତ୍ରୀ : ମନମୋହନ ସାମଲ

 “କିଷାନ ସମୃଦ୍ଧି କେନ୍ଦ୍ର” ଦ୍ୱାରା ଫସଲର ବୃଦ୍ଧି, ଆବଶ୍ୟକ ପୋଷକ ତତ୍ତ୍ୱ, ମୃତ୍ତିକା ପରୀକ୍ଷଣ, ମାଟିର ସ୍ଥିତି, ସାରର ଆବଶ୍ୟକତା ଯଥା ଜୈବିକ ସାଗର ପ୍ରୟୋଗ, ନାନୋ ସାରର ପ୍ରୟୋଗ ଆଦି ସମ୍ପର୍କରେ ଯଥେଷ୍ଟ ତଥ୍ୟ ଚାଷୀଙ୍କୁ ସୁବିଧାରେ ମିଳିବ
ଓଡିଶାର ପାଖାପାଖି ୫ ହଜାର ‘କିଷାନ ସମୃଦ୍ଧି କେନ୍ଦ୍ର’
୧୪ତମ କିସ୍ତି ବାବଦରେ ୮.୫ କୋଟି ଚାଷୀଙ୍କୁ ୨ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି
ଆଜି ଶୁଭାରମ୍ଭ ହୋଇଥିବା ସଲଫର୍ କୋଟେଡ୍ ୟୁରିଆ (ୟୁରିଆ ଗୋଲ୍ଡ) ଚାଷୀଙ୍କ ଆୟକୁ ବୃଦ୍ଧି କରାଇବାରେ ସହାୟକ ହେବ
ପିଏମ କିଷାନ ତାଲିକାରେ ପ୍ରତି ଥର ଓଡିଆ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ବିଜେଡି ସରକାରର ଚାଷୀମାରଣ ନୀତିକୁ ସ୍ପଷ୍ଟ କରିଛି
 ଘୋଷଣା ଓ ପ୍ରତିଶ୍ରୁତି ସର୍ବସ୍ୱ ରାଜ୍ୟ ସରକାର ବ୍ୟାରେଜ ନିର୍ମାଣ କରିବା ତ ଦୂରର କଥା ପରିକଳ୍ପନା ମଧ୍ୟ କରିନାହାନ୍ତି

ପିପିଲି : ଦେଶରେ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦୀ ସରକାର ପ୍ରତିଶୃତିବଦ୍ଧ । ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ମୋଦୀ ସରକାର ଗୋଟିଏ ପରେ ଗୋଟିଏ ଲଗାତାର ଭାବେ କୃଷକ କଲ୍ୟାଣ ଯୋଜନାର ସଫଳ କ୍ରିୟାନ୍ୱୟନ କରୁଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପିଏମ ଫସଲ ବୀମା, ପିଏମ କୃଷି ସିଂଚାଇ ଯୋଜନା, ପିଏମ କୌଶଳ ବିକାଶ ଯୋଜନା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଇ-ନାମ୍, ତରଳ ୟୁରିଆ ପ୍ରଚଳନ ଆଦି ସହିତ ନିରନ୍ତର ଭାବେ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରି ଚାଲିଛନ୍ତି ମୋଦୀ ସରକାର। ଆଜି ଆଉ ଗୋଟିଏ ନୂତନ ଫର୍ଦ୍ଦ ଏଥି ସହ ଯୋଡି ନୂତନ ଇତିହାସ ସୃଷ୍ଟି ହୋଇଛି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।
କୃଷକଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଦେଶବ୍ୟାପୀ ୧.୨୫ ଲକ୍ଷ ‘କିଷାନ ସମୃଦ୍ଧି କେନ୍ଦ୍ର’ ଉଦ୍ଘାଟନ କରିବା ସହ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ବାବଦରେ ୮.୫ କୋଟି ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ରାଜସ୍ଥାନର ଶିକର ଠାରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ ଦେଶରେ ସମୁଦାୟ ୨.୫ ଲକ୍ଷ ‘କିଷାନ ସମୃଦ୍ଧି କେନ୍ଦ୍ର’ ଖୋଲାଯିବ। ଆଜିର କାର୍ଯ୍ୟକ୍ରମରେ ଓଡିଶାର ପାଖାପାଖି ୫ ହଜାର ‘କିଷାନ ସମୃଦ୍ଧି କେନ୍ଦ୍ର’ ସାମିଲ ଅଛି । ଏହିି କେନ୍ଦ୍ର ଦ୍ୱାରା ଫସଲର ବୃଦ୍ଧି, ଆବଶ୍ୟକ ପୋଷକ ତତ୍ତ୍ୱ, ମୃତ୍ତିକା ପରୀକ୍ଷଣ, ମାଟିର ସ୍ଥିତି, ସାରର ଆବଶ୍ୟକତା ଯଥା ଜୈବିକ ସାଗର ପ୍ରୟୋଗ, ନାନୋ ସାରର ପ୍ରୟୋଗ ଆଦି ସମ୍ପର୍କରେ ଯଥେଷ୍ଟ ତଥ୍ୟ ଚାଷୀଙ୍କୁ ସୁବିଧାରେ ଯୋଗାଇ ଦିଆଯିବ। ଏହା ଚାଷୀଙ୍କ ପାଇଁ ବିରାଟ ବୈପ୍ଳବିକ ପରିବର୍ତ୍ତନ ଆଣିଦେବା ସହିତ ତାଙ୍କ ଆର୍ଥୀକ ସ୍ଥିତି ସୁଦୃଢ ହେବାରେ ନିଶ୍ଚିତ ସହାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।
ଅନ୍ୟ ପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ୨ହଜାର ଟଙ୍କା ଲେଖାଏଁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି । ଏହା ଦ୍ୱାରା ଦେଶର ସାଢ଼େ ୮କୋଟି କୃଷକଙ୍କୁ ୧୭ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ମାତ୍ର ରାଜ୍ୟରେ ବିଜେଡି ସରକାର ସଠିକ୍ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ନଦେଉଥିବା କାରଣରୁ ଲକ୍ଷ ଲକ୍ଷ ଚାଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନା ଅନ୍ତର୍ଗତ ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପାଇବାରୁ ବଞ୍ଚିତ ରହୁଛନ୍ତି । ଏହି ଯୋଜନାରେ ପ୍ରତି ଥର ଚାଷୀଙ୍କ ସଂଖ୍ୟା ହ୍ରାସ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ବିଜେଡି ସରକାରର ଚାଷୀମାରଣ ନୀତିକୁ ଏହା ସ୍ପଷ୍ଟ କରିଛି ବୋଲି ଶ୍ରୀ ସାମଲ କହିଛନ୍ତି।

- Advertisement -

ପୁରୀ ଜିଲା ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଠାରେ ଗୁରୁବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ‘ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମ୍‌‌କେଏସ୍‌‌କେ)’ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ‘କିଷାନ ସମୃଦ୍ଧି କେନ୍ଦ୍ର’ ଲକ୍ଷ୍ୟ ହେଲା କୃଷି ସମ୍ବନ୍ଧୀୟ ସମସ୍ତ ପ୍ରକାର ଗୁଣାତ୍ମକ ଦ୍ରବ୍ୟ ଯଥା ରାସାୟନିକ ସାର, ବିହନ, ପୋକମରା ଔଷଧ ସୁଲଭ ମୂଲ୍ୟରେ ଗୋଟିଏ ଜାଗାରେ ମିଳିବ, ମୃତ୍ତିକା, ବିହନ ଓ ରାସାୟନିକ ସାରର ଗୁଣବତ୍ତା ପରୀକ୍ଷଣ ପାଇଁ କେନ୍ଦ୍ରର ସୁବିଧା, ଚାଷ ପାଇଁ ଆବଶ୍ୟକୀୟ ଉପକରଣ ବିକ୍ରୟ ବା କଷ୍ଟମ ହାୟାରିଙ୍ଗ ସେଣ୍ଟରରେ ଭଡାରେ ମିଳିବ, କୃଷକମାନଙ୍କ ଭିତରେ ଉନ୍ନତମାନର କୃଷି ପାଇଁ ଜାଗରଣ ସୃଷ୍ଟି ହେବା ସହ ବ୍ଲକ, ଉପଖଣ୍ଡ, ଜିଲ୍ଲାସ୍ତରରେ ଖୁଚୁରା ଦୋକାନୀମାନଙ୍କ ଭିତରେ ଦକ୍ଷତା ବୃଦ୍ଧିକୁ ସୁନିଶ୍ଚିତ କରାଯିବ। ସେହିପରି ଆଜି ଶୁଭାରମ୍ଭ ହୋଇଥିବା ସଲଫର୍ ଲେପିତ ୟୁରିଆ (ୟୁରିଆ ଗୋଲ୍ଡ) ଚାଷୀଙ୍କ ଆୟକୁ ବୃଦ୍ଧି କରାଇବାରେ ସହାୟକ ହେବ। ମୋଦୀ ସରକାର ଚାଷୀଙ୍କ ପ୍ରତି ସୁବ୍ୟବସ୍ଥା କରୁଥିଲେ ବି ରାଜ୍ୟରେ ବିଜେଡି ସରକାର କଟନୀ ଛଟନୀରେ କରି ଚାଷୀଙ୍କୁ ହଇରାଣ କରୁଛନ୍ତି । ସେହିପରି ରାଜ୍ୟ ସରକାର ଚାଷୀଙ୍କ ପାଇଁ ୨୦୦୯ରେ ୩୩ ପ୍ରତିଶତ ଜଳସେଚନ କରିବେ ବୋଲି କହିଥିଲେ କିନ୍ତୁ କଲେ ନାହିଁ। ୨୦୧୯ରେ ୩୫ ପ୍ରତିଶତ ଜଳସେଚନର ନିର୍ବାଚନୀ ପ୍ରତିଶୃତିକୁ ଭୁଲି ଗଲେ ରାଜ୍ୟ ସରକାର। ସେହିପରି ଚାଷୀଙ୍କ ସାରକୁ କଳାବଜାରୀ କଲେ ରାଜ୍ୟ ସରକାର। ମୋଦିଜୀ ୨୦୧୪ରେ ଶାସନକୁ ଆସିବା ପରେ ଚାଷୀ ସାରର ଉଚିତ ମୂଲ୍ୟ ପାଇଲେ। ଘୋଷଣା ଓ ପ୍ରତିଶ୍ରୁତି ସର୍ବସ୍ୱ ରାଜ୍ୟ ସରକାର ବ୍ୟାରେଜ ନିର୍ମାଣ କରିବା ତ ଦୂରର କଥା ପରିକଳ୍ପନା କରିବାରେ ମଧ୍ୟ ବିଫଳ ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ପୁରୀ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories