ପିପିଲି : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ “ଜୱାଦ” ଓଡିଶା ମୁହାଁ ହେବା ସହ ରବିବାର ଦିନ ପୁରୀ ନିକଟରେ ପହଂଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଲୋକଙ୍କ ମନରେ ଯେଉଁ ଭୟ ସୃଷ୍ଟି ହୋଇଥିଲା ବାତ୍ୟା ବିପଦ ଟଳିଥିବା ନେଇ ଆଜି ଖବର ପ୍ରଚାର ପରେ ତାହା ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ବାତ୍ୟା ଦୁର୍ବଳ ହୋଇଥିବା ଓ ଏହା ରବିବାର ଦିନ ପୁରୀ ପାଖ ଦେଇ ଅତିକ୍ରମ କରିବ ବୋଲି ସୂଚନା ମିଳିଛି । ତେବେ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିପିଲି ଅଞ୍ଚଳର ୧୧ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ଡାକ୍ତରଖାନକ଼ୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପାଇଁ ପିପିଲି ବ୍ଲକ, ପିପିଲି ତହସିଲ ଓ ପିପିଲି ଏନ୍ଏସିରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।
ସାମୁଦ୍ରିକ ବାତ୍ୟା “ଜୱାଦ’ର ପ୍ରଭାବରେ ଶୁକ୍ରବାର ଅପରାହ୍ନରୁ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ ଶନିବାର ମଧ୍ୟାହ୍ନରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବର୍ଷା ବନ୍ଦଥିବା ବେଳେ କୋହଲା ପାଗ ଲାଗି ରହିଛି । ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ଅଞ୍ଚଳର ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଲୋକେ ଘରୁ ପଦାକୁ ବାହାରିନଥିବା ପରିଲକ୍ଷିତ ହୋଇଥିଲା । ଲୋକେ ଆଦୌ ଭୟଭିତ ନହୋଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପିପିଲି ବ୍ଲକ ଅଞ୍ଚଳରେ ଥିବା ୪ଟି ସ୍ଥାୟୀ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ସମେତ ୫୦ଟି ବିଦ୍ୟାଳୟରେ କରାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ସେଠାରେ ଲୋକଙ୍କ ପାଇଁ ରହିବା, ଖାଇବା, ପାନୀୟଜଳ ଓ ଆଲୋକର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ତେବେ ପରିସ୍ଥିତିକୁ ନଜରରେ ରଖି ଆବଶ୍ୟକ ହେଲେ କଚ୍ଚାଘରେ ରହୁଥିବା ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି । ବାତ୍ୟା ପାଇଁ ପିପିଲି ବ୍ଲକ ପ୍ରଶାସନ, ତହସିଲ, ଏନ୍ଏସି , ପୁଲିସ, ଅଗ୍ନିଶମ ବାହିନୀ, ବିଦ୍ୟୁତ୍ ବିଭାଗ, ଆର୍ଡବ୍ଲ୍ୟଏସ୍ଏସ୍, ପିଏଚ୍ଡି, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦି ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ମିଳିଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ନିର୍ବାଚନମଣ୍ଡଳୀର ସମସ୍ତ ଆଶ୍ରୟସ୍ଥଳୀକୁ ପରିଦର୍ଶନ କରି ସେଠାରେ କରାଯାଇଥିବା ବ୍ୟବସ୍ଥାର ତଦାରଖ କରିବା ସହ ବ୍ଳକ ପ୍ରଶାସନ, ପୁଲିସ ଓ ଅଗ୍ନିଶମବାହିନୀ ସହ ବାତ୍ୟାର ସଫଳ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ।

ପିପିଲି ବ୍ଲକ ଓ ଏନ୍ଏସି ଅଞ୍ଚଳର ୧୯ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଶନିବାର ସଂନ୍ଧ୍ୟାସୁଦ୍ଧା ୧୧ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ମହିଳାଙ୍କ ପ୍ରସବ ହୋଇ ସାରିଥିବା ସଂପର୍କରେ ପିପିଲି ବିପିଏଚ୍ଓ ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି । ବାତ୍ୟା ଜନିତ ବର୍ଷା ଓ ପବନକୁ ନେଇ ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଚାଷୀକୂଳ ବିଶେଷ ଭାବେ ଭୟଭିତ ହୋଇପଡିଛନ୍ତି । ଶୁକ୍ରବାର ଅପରାହ୍ନରୁ ଲାଗି ରହିଥିବା ବର୍ଷା ଓ ସାମାନ୍ୟ ପବନରେ ଅଞ୍ଚଳର ଅନେକ ଜମିରେ ଥିବା ପାଚିଲା ଧାନକେଣ୍ଡା ଭାଙ୍ଗିଯାଇ ଜମିରେ ଲୋଟୁଥିବା ପରିଲକ୍ଷିତ ହୋଇଛି । ଏଥିଯୋଗୁଁ ଧାନଫସଲ ସମେତ ପନିପରିବା ଚାଷ, ଫୁଲ ଚାଷ ଓ ଛତୁଚାଷ ଆଦି ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟିି ହୋଇଛି ।



