ବାର୍ଡ-ଫ୍ଲୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପିପିଲି ଓ ସତ୍ୟବାଦୀରେ ଜୋରଦାର ପ୍ରୟାସ, ସଂକ୍ରମିତ ଅଞ୍ଚଳରୁ ୪ର୍ଥ ଦିନରେ ମରାଗଲା ୨୩୮୪ ବ୍ରଏଲର ଓ ୧୫୪ ଦେଶୀ କୁକୁଡା
ଆର୍ଆର୍ଟି ଟିମ୍ର ଜଣେ ସଦସ୍ୟଙ୍କ ନମୁନା ପରୀକ୍ଷା ପାଇଁ ଭେଲୋର ପଠାଗଲା, ମଙ୍ଗଳପୁର ସିଏଚ୍ସିରେ ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ପିପିଲି:ବାର୍ଡ-ଫ୍ଲୁ’ ପ୍ରଭାବିତ ପୁରୀ ଜିଲାର ପିପିଲି ଓ ସତ୍ୟବାଦୀ ବ୍ଳକ ଅଞ୍ଚଳରେ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ଏହି ସଂକ୍ରମଣ ଯେପରି ମଣିଷକୁ ନବ୍ୟାପେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ୪ଦିନ ମଧ୍ୟରେ ଉଭୟ ବ୍ଲକର ସଂକ୍ରମିତ ଅଞ୍ଚଳରୁ ମୋଟ୍ ୨୮ହଜାର ୭୫୫ଟି ବ୍ରଏଲର କୁକୁଡାଙ୍କୁ ମରାଯାଇ ମାଟିରେ ପୋତାଯାଇଛି।
ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାଇ ଏହି ଅଭିଯାନ ଜାରି ରହିଥିବା ବେଳେ ମଙ୍ଗଳବାର ଠାରୁ ଉଭୟ ବ୍ଲକର ସଂକ୍ରମିତ ସ୍ଥାନର ୧କିଲୋମିଟର ପରିସୀମା ମଧ୍ୟରେ ରହିଥିବା ଅଞ୍ଚଳର ବାରି ଅଗଣାରେ ଥିବା କୁକୁଡା, ବତକ ଆଦିଙ୍କୁ ମରାଯିବା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୫୪ଟି ଦେଶୀ କୁକୁଡା, ୨ଟି ବତକକୁ ମରାଯାଇଥିବା ବେଳେ ୭୪ଟି ଅଣ୍ଡାକୁ ନଷ୍ଟ କରାଯାଇଛି।
କୁକୁଡାମରା ଓ କୁକୁଡା ଫାର୍ମ ବିଶୋଧନ କାର୍ଯ୍ୟରେ ପିପିଲିରେ ନିୟୋଜିତ ପ୍ରାଣୀ ସଂପଦ ବିଭାଗ ରାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି)ର ଜଣେ ସଦସ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ନମୁନାକୁ ପରୀକ୍ଷା ପାଇଁ ଭେଲୋର ପଠାଯାଇଥିବା ସୂଚନା ମିଳିଛି। ଏହି ଭୂତାଣୁ ଜନିତ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଥିବା ବେଳେ ପିପିଲିର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ସେଠାରେ ଏକ ଆଇସୋଲେସନ କୋଠରୀକୁ ପ୍ରସ୍ତୁତ କରାଯାଇ ରଖାଯାଇଛି।
ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ଆବଲପୁର ଗ୍ରାମର ଏକ କୁକୁଡା ଫାର୍ମ ଓ ସତ୍ୟବାଦୀ ବ୍ଳକ ରାୟଚକ୍ରଧରପୁର ନିକଟ ଧୋଜାମୁଣ୍ଡାଇ ଅଞ୍ଚଳରେ ଥିବା ଏକ କୁକୁଡା ଫାର୍ମର ବ୍ରଏଲର ଏଚ୍୫ଏନ୍୧ ଏଭିଆନ୍ ଇନ୍ଫ୍ଲୁଏନ୍ଜା ଭାଇରସର ଶିକାର ହୋଇଥିବା ସଂପର୍କରେ ଭୋପାଳ ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍ (ଏନ୍ଆଇଏଚ୍ଏସ୍ଏଡି) ପକ୍ଷରୁ ୨୩ ତାରିଖରେ ପ୍ରକାଶିତ ରିପୋର୍ଟରେ ସ୍ପଷ୍ଟ ହେବା ପରେ ୨୪ ତାରିଖ ଠାରୁ ଏହି ଦୁଇଟି ବ୍ଳକ ଅଞ୍ଚଳରେ କୁକୁଡା ମରା ଅଭିଯାନ ଜାରି ରହିଛି।
ଉଭୟ ବ୍ଳକର ସଂକ୍ରମିତ କୁକୁଡା ଫାର୍ମର ୧କିଲୋମିଟର ପରିସୀମା ମଧ୍ୟରେ ରହିଥିବା ଫାର୍ମରୁ ସମସ୍ତ କୁକୁଡାଙ୍କୁ ମାରିବା ଓ ଫାର୍ମ ଗୁଡିକୁ ବିଶୋଧନ କରିବା ପାଇଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପିପିଲିରେ ୧୩ଟି ଓ ସତ୍ୟବାଦୀରେ ୮ଟି ରାପିଡ୍ ରେସ୍ପନ୍ସ ଟିମ୍କୁ ନିୟୋଜିତ କରାଯାଇଛି। ଗତକାଲି ସୁଦ୍ଧା ପିପିଲିର ସଂକ୍ରମିତ ଅଞ୍ଚଳର ୫ଟି ଫାର୍ମରୁ ମୋଟ୍ ୧୧ହଜାର ୭୩୬ଟି ଜୀବନ୍ତ କୁକୁଡାଙ୍କୁ ମରାଯାଇଥିବା ବେଳେ ମଙ୍ଗଳବାର ଦିନ ନାନପୁର ଅଞ୍ଚଳର ଏକ ଫାର୍ମରୁ ୨୩୮୪ଟି କୁକୁଡାଙ୍କୁ ମରାଯାଇଛି। ସେହିପରି ପିପିଲିର ସଂକ୍ରମିତ ଅଞ୍ଚଳରୁ ୨ଟି ଦେଶୀ କୁକୁଡା ଓ ୨ଟି ବତକକୁ ମରାଯାଇଥିବା ସଂପର୍କରେ ପିପିଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ ମିଶ୍ର ସୂଚନା ଦେଇଛନ୍ତି।
ସତ୍ୟବାଦୀ ବ୍ଲକର ସଂକ୍ରମିତ ଧୋଜାମୁଣ୍ଡାଇ ଓ ଏହାର ଆଖପାଖ ଅଞ୍ଚଳରୁ ମୋଟ୍ ୧୪୬୩୫ଟି କୁକୁଡାଙ୍କୁ ମରାଯାଇ ମାଟିରେ ପୋତାଯାଇଥିବା ବେଳେ ମଙ୍ଗଳବାର ଦିନ ବାରି ଅଗଣାରେ ଥିବା ୧୫୨ ଦେଶୀ କୁକୁଡାଙ୍କୁ ମରାଯିବା ସହ ୭୪ଟି ଅଣ୍ଡାକୁ ନଷ୍ଟ କରାଯାଇଥିବା ସଂପର୍କରେ ସତ୍ୟବାଦୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବାଣୀକାନ୍ତ ଖଟୁଆ ସୂଚନା ଦେଇଛନ୍ତି।
ତେବେ କୁକୁଡା ମରା ଓ ଫାର୍ମ ବିଶୋଧନ କାର୍ଯ୍ୟରେ ନିୟୋଜିତ ପ୍ରାଣୀ ସଂପଦ ବିଭାଗର ରାପିଡ୍ ରେସ୍ପନ୍ସ ଟିମ୍ର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଜ୍ୱରରେ ଆକ୍ରାନ୍ତ ହୋଇଥିବା ପିପିଲି ଆର୍ଆର୍ଟି ର ଜଣେ ସଦସ୍ୟଙ୍କ ସ୍ୱାବ୍କୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭେଲୋରସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍ (ଏନ୍ଆଇଏଚ୍ଏସ୍ଏଡି)କୁ ପଠାଯାଇଥିବା ସଂପର୍କରେ ପିପିଲି ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍ଓ) ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ତେବେ କୁକୁଡାଙ୍କ ସଂସ୍ପର୍ଶରେ ଆସି ଅଦ୍ୟାବଧି ପିପିଲି ଅଞ୍ଚଳର କୌଣସି ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇନଥିବା ସଂପର୍କରେ ଶ୍ରୀପଣ୍ଡା ସୂଚନା ଦେଇଛନ୍ତି। ସଂକ୍ରମିତ ସ୍ଥାନର ୧୦ କିଲୋମିଟର ଅଞ୍ଚଳ ମଧ୍ୟରେ କୁକୁଡା ସଂସ୍ପର୍ଶରେ ଆସିନଥିବା ମୋଟ୍ ୧୩୦ଜଣ ସାଧାରଣ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ପିପିଲି ଅଞ୍ଚଳର ବିଭିନ୍ନ ଡାକ୍ତରଖାନାର ବର୍ହିଃ ବିଭାଗରେ ୭୨ଜଣ ସାଧାରଣ ଜ୍ୱରରେ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଯାଇଥିବା ସେ ସୂଚନା ଦେଇଛନ୍ତି।
ସଂକ୍ରମିତ କୁକୁଡାଙ୍କ ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହେଲେ ତାଙ୍କୁ ଆଇସୋଲେସନରେ ରଖାଯିବା ସହ ତାଙ୍କ ନମୁନା ପରୀକ୍ଷା ପାଇଁ ଭେଲୋର ପଠାଯିବ ବୋଲି ଶ୍ରୀପଣ୍ଡା କହିଛନ୍ତି। ସଂକ୍ରମିତ ସ୍ଥାନର ୩କିଲୋମିଟର ପରିସୀମା ଅଞ୍ଚଳ ମଧ୍ୟରେ ଥିବା ୪୦ଟି ଗ୍ରାମରେ ୨୮ଜଣ ଆଶାକର୍ମୀ ଘରକୁ ଘର ବୁଲି ଲୋକଙ୍କୁ ଏହି ଭୁତାଣୁ ଜନିତ ସଂକ୍ରମଣ ସଂପର୍କରେ ସଚେତନ କରି ବିଭିନ୍ନ ପରାମର୍ଶ ଦେଉଥିବା ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ତଥ୍ୟ ସଂଗ୍ରହ କରୁଥିବା ସଂପର୍କରେ ପିପିଲି ବ୍ଲକ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ବିଜୟଲକ୍ଷ୍ମୀ ସାହୁ ସୂଚନା ଦେଇଛନ୍ତି।
Comments are closed.