www.samajalive.in
Saturday, December 6, 2025
23.1 C
Bhubaneswar

ବାର୍ଡ-ଫ୍ଲୁ ସ୍ଥିତି ଅସମ୍ଭାଳ: ପିପିଲି ସ୍ଥିତି ସମୀକ୍ଷା କଲେ ୪ଜଣିଆ ଡାକ୍ତରୀ ଦଳ, ପରୀକ୍ଷା ପାଇଁ ପଠାଯିବ ଫାର୍ମରେ କାମକରୁଥିବା ବ୍ୟକ୍ତିଙ୍କ ନମୁନା

ପିପିଲି:ସମଗ୍ର ରାଜ୍ୟର ଚିନ୍ତା ବଢାଇ ଦେଇଛି ପିପିଲି ବାର୍ଡ-ଫ୍ଲୁ। ଏହି ସଂକ୍ରମଣକୁ ରୋକିବା ଏବେ ବଡ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ସମଗ୍ର ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କୁକୁଡା ମଡକ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଅଞ୍ଚଳରେ ଥିବା ୮୦ରୁ ଉର୍ଦ୍ଧ ଫାର୍ମର ସମସ୍ତ ବ୍ରଏଲର କୁକୁଡା ସଂପୂର୍ଣ୍ଣ ମରିଯାଇଥିବା ବେଳେ ଅଧିକାଂଶ ଫାର୍ମରେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହେଉଛି। ସଂକ୍ରମିତ ଅଞ୍ଚଳର ୧କିଲୋମିଟର ପରିସୀମା ମଧ୍ୟରେ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ କୁକୁଡା ମରା ଓ ଫାର୍ମ ବିଶୋଧନ ଅଭିଯାନ ଜାରି ରହିଥିବା ବେଳେ ଉକ୍ତ ଅଞ୍ଚଳ ବାହାରେ ରହିଥିବା କୁକୁଡା ଫାର୍ମର ମଲା କୁକୁଡାକୁ ଚାଷୀ ନିଜେ ପୋତୁଛନ୍ତି।

ଅଞ୍ଚଳରେ କୁକୁଡା ମଡକ ଥମିବାର ନାଁ ଧରୁନି। ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପିପିଲିରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ଏହି ଭୂତାଣୁ ଜନିତ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପିପିଲିର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଥିବା ବେଳେ ଆଶାକର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି।

- Advertisement -

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଡାକ୍ତର ମାୟାଧର ପଣ୍ଡାଙ୍କ ନେତୃତ୍ୱରେ ଏକ ୪ଜଣିଆ ଡାକ୍ତରୀ ଦଳ ଗୁରୁବାର ଦିନ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚ ସେଠାରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍‌‌ଓ) ଡାକ୍ତର ବିନୟ କୁମାର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ସଂକ୍ରମିତ ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସଂଗୃହିତ ତଥ୍ୟ ଉପରେ ସେମାନେ ସମୀକ୍ଷା କରିଥିଲେ। ପରେ ଏହି ଡାକ୍ତରୀଦଳ ବାର୍ଡ-ଫ୍ଲୁ ପ୍ରଭାବିତ ଆବଲପୁର ଅଞ୍ଚଳକୁ ଅପରାହ୍ନରେ ଗସ୍ତ କରି ସେଠାରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ତେବେ ବାର୍ଡ-ଫ୍ଲୁ ପ୍ରଭାବିତ ଅଞ୍ଚଳରେ ଥିବା କୁକୁଡା ଫାର୍ମରେ କାମ କରୁଥିବା ବ୍ୟକ୍ତିଙ୍କ ସ୍ୱାବ୍‌‌କୁ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍‌‌କୁ ପଠାଯିବ ବୋଲି ସୂଚନା ମିଳିଛି। ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶୁକ୍ରବାର କିମ୍ବା ଶନିବାର ଠାରୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି। ତେବେ କୁକୁଡାଙ୍କ ସଂସ୍ପର୍ଶରେ ଆସି ଅଦ୍ୟାବଧି ପିପିଲି ଅଞ୍ଚଳର କୌଣସି ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇନଥିବା ବେଳେ ଭବିଷ୍ୟତରେ ଯଦି କୌଣସି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତାଙ୍କର ଚିକିତ୍ସା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଏହି କୁକୁଡା ମଡକ ଯୋଗୁଁଁ ପିପିଲି, ସତ୍ୟବାଦୀ, ଡେଲାଙ୍ଗ, ବଳଙ୍ଗା ଓ ନିମାପଡା ଅଞ୍ଚଳର କୁକୁଡାଚାଷୀଙ୍କ ମଧ୍ୟରେ ହାହାକାର ପଡିଥିବା ବେଳେ ଶତାଧିକ ଚାଷୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ସୂଚନା ମିଳିଛି। ପିପିଲି ଓ ସତ୍ୟବାଦୀ ପରେ ନିମାପଡା ଓ ଡେଲାଙ୍ଗ ଅଞ୍ଚଳରୁ କୁକୁଡାଙ୍କ ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। ସତ୍ୟବାଦୀ ବ୍ଳକ ଅଞ୍ଚଳରେ ମୋଟ୍‌‌ ୧୪୮୦୫ଟି କୁକୁଡାଙ୍କୁ ମରାଯାଇଥିବା ବେଳେ ପିପିଲି ବ୍ଲକର ସଂକ୍ରମିତ ଅଞ୍ଚଳରୁ ୧୫୪୩୮ଟି କୁକୁଡା ଓ ପିପିଲି ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ଜିଲା ସରକାରୀ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରରୁ ୩୪୮୪ଟି କୁକୁଡା ଚିଆଁକୁ ମରାଯାଇ ମାଟିରେ ପୋତାଯାଇଛି।

ସଂକ୍ରମଣ ପରିଧି ଅଞ୍ଚଳ ବାହାରେ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଶତାଧିକ କୁକୁଡା ଫାର୍ମରେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହେଉଛି। ଲୋକେ ମଲା କୁକୁଡାଙ୍କୁ ଜରି ଅଖାରେ ଭର୍ତ୍ତି କରି କେନାଲ, ସଫେଇନାଳ ଓ ରାସ୍ତା କଡରେ ଫୋପାଡି ଦେଉଥିବା ଘଟଣା ଚିନ୍ତା ବଢାଇଛି। ମଲା କୁକୁଡାଙ୍କୁ ଏଣେତେଣେ ନଫୋପାଡି ସେଗୁଡିକୁ ମାଡିରେ ପୋତିବା ସହ ଫାର୍ମକୁ ବିଶୋଧନ କରିବାକୁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ପିପିଲି ଅଞ୍ଚଳରେ ୯୫.୮୦ କୁଇଣ୍ଟାଲ କୁକୁଡା ଦାନାକୁ ନଷ୍ଟ କରାଯାଇଥିବା ବେଳେ ଗୁରୁବାର ଦିନ ୧୩ଟି ଫାର୍ମକୁ ବିଶୋଧନ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories