ଫୁଲବାଣୀ:ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯାଇ କନ୍ଧମାଳ ଜିଲାର ଚାରିଜଣ ଆଦିବାସୀ ଝିଅ ବାଲେଶ୍ୱରରେ ଫସି ରହିଥିଲେ। ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଜିଲା ପ୍ରଶାସନ ନିକଟରେ ସେମାନେ ନିବେଦନ କରିଥିବା ବେଳେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଏଥିରେ ହସ୍ତକ୍ଷେପ କରିଥିଲେ କନ୍ଧମାଳ ଏବିଭିପି କନ୍ଧମାଳ ପ୍ରମୁଖ ଶିବାଶିଷ୍ ପଣ୍ଡା। ଏନେଇ ସେ ବାଲେଶ୍ୱର ଏବିଭିପି ପ୍ରମୁଖ ପ୍ରତ୍ୟୁଷ କୁମାର ବେହେରା ଓ ଲକ୍ଷ୍ମୀ ନାରାୟଣ ନାୟକଙ୍କୁ ଅବଗତ କରିବାପରେ ଉଭୟ କର୍ମକର୍ତ୍ତା ସ୍ଥାନୀୟ ପ୍ରଶାସନ ସହିତ ଏନେଇ ଆଲୋଚନା କରିଥିଲେ ଏବଂ ଏହାପରେ ପ୍ରଶାସନର ସହଯୋଗରେ ଏକ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ନିଜ ଗ୍ରାମକୁ ଅଣାଯାଯାଇଛି।
ପ୍ରକାଶଯେ, କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ବିଶିପଡାର ଲଳିତା କହଁର, ଫୁଲବାଣୀ ପୌରାଞ୍ଚଳର ସସ୍ମିତା କହଁର, ଫିରିଙ୍ଗିଆ ବ୍ଲକ ଟେଲାପାଲିର ସାବିତ୍ରୀ ମଲିକ ଓ ଜି. ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆର ଜୁଶିଲା ପ୍ରଧାନ ଓ ଅନ୍ୟମାନେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡି କାରଖାନାରେ କାମ କରିବା ପାଇଁ ଯାଇଥିଲେ। ତେବେ କୋଭିଡ କାରଣରୁ ସବୁଆଡେ ଲକ ଡାଉନ ଘୋଷଣା ଯୋଗୁଁ କାରଖାନା ବନ୍ଦ ହୋଇଯାଇଥିଲା। ଫଳରେ ବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିଥିବା ବେଳେ ବାତ୍ୟା ୟାସ୍ କାରଣ ଯୋଗୁଁ ବାଲେଶ୍ୱରର ଭୋଗରାଇ ଅଂଚଳରେ ଫସି ରହିଥିବା ଜଣାଯାଇଛି । ୟାସ ବାତ୍ୟା କାରଣରୁ ସବୁ ଆଡେ ଯେ୍ାଗା୍େୟାଗ ବ୍ୟାହତ ହୋଇ ଯିବାରୁ ସେମାନେ ଆଉ ଫୁଲବାଣୀ ଫେରି ପାରୁ ନ ଥିବା ନେଇ ଏକ ଖବର ପ୍ରକାଶ ପାଇଥିଲା। ଏହି ୪ଜଣ ଯୁବତୀ ଭୋଗରାଇର ସରସ୍ୱତୀପୁରସ୍ଥିତ ରଘୁନାଥ ନୋଡାଲ ଏକାଡେମୀରେ ଆଶ୍ରୟ ନେଇଥିଲେ। ସେମାନେ ନିଜର କିଛି ପରିଚିତ ବ୍ୟକ୍ତିଙ୍କୁ ଏହି ସୂଚନା ଦେବା ପରେ କନ୍ଧମାଳ ଜିଲାପାଳ ବୃନ୍ଦା ଡି.ଙ୍କୁ ଏ ନେଇ ଅବଗତ କରାଯାଇଥିଲା। ଜିଲାପାଳ ମଧ୍ୟ ବାତ୍ୟା ପରିସ୍ଥିତ ସୁଧୁରିବା ପରେ ସେମାନଙ୍କୁ ଫେରାଇ ଅଣାଯିବା ବ୍ୟବସ୍ଥା ପାଇଁ ପ୍ରତିଶୃତି ଦେଇଥିଲେ।



