ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ସ୍ୱାସ୍ଥ୍ୟସେବା ଆରମ୍ଭ

ପ୍ରଥମ ଦିନରେ ଗଲା ଫୁଲବାଣୀରୁ ତୁମୁଡ଼ିବନ୍ଧ, ଉତ୍ତର ପୂର୍ବାଞ୍ଚଳ ପରେ ଦେଶରେ ପ୍ରଥମ

ଫୁଲବାଣୀ: ଦୁର୍ଗମ ଅଂଚଳରେ ଏଣିକି ରୋଗୀଙ୍କୁ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିବ ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଂଚଳରେ ରୋଗୀଙ୍କୁ ସେବା ଯୋଗାଇବ ଡ୍ରୋନ। କିଛି ଦିନ ଧରି ଚାଲିଥିବା ଏହି ଡ୍ରୋନ ପ୍ରୋଜେକ୍ଟର କାର୍ଯ୍ୟ ନିକଟରେ ପରୀକ୍ଷଣ ହୋଇଥିବା ବେଳେ ଗୁରୁବାର ଏହା ଆନୁଷ୍ଠାନିକ ଭାବେ ଜିଲାରେ ଆରମ୍ଭ ହୋଇଛି। ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି। କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଡ଼ାଣ କରିଛି ଅତ୍ୟାଧୁନିକ ଡ଼୍ରୋନ୍‌‌। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏହି ନୂତନ ସେବାର ଶୁଭାରମ୍ଭ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳକୁ ବାଦ୍‌‌ ଦେଲେ ସମଗ୍ର ଦେଶରେ ଏହା ପ୍ରଥମ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି ରାସ୍ତାଘାଟ ନଥିବା ଦୁର୍ଗମ ଅଞ୍ଚରୁ ରୋଗୀଙ୍କୁ ନୁମୁନା ସଂଗ୍ରହ କରିବା ସହିତ କମ୍‌‌ ସମୟ ମଧ୍ୟରେ ଜରୁରୀକାଳୀନ ଔଷଧ ଯୋଗାଇ ଦେବା ଉକ୍ତ ଡ୍ରୋନ୍‌‌। ସଂପୂର୍ଣ୍ଣଭାବେ ସ୍ୱୟଂ ଚାଳିତ ଏବଂ ବାତାନୁକୂଳିତ ଏହି ଡ୍ରୋନ୍‌‌ ସମୁଦ୍ର ପତ୍ତନଠାରୁ ଏକ ହଜାର ମିଟର ଉଚ୍ଚରେ ତଥା ଘଣ୍ଟାକୁ ପ୍ରାୟ ୧୦୦ କିମି ବେଗରେ ଉଡ଼ିବାର କ୍ଷମତା ରହିଛି। ଆନ୍ତର୍ଜାତିକ ସଂସ୍ଥା ୟୁଏସ୍‌‌ ଏଡ଼ର ସହଯୋଗାରେ କନ୍ଧମାଳ ଜିଲାକୁ ଏଭଳି ତିନୋଟି ଡ଼୍ରୋନ୍‌‌ ଯୋଗାଇ ଦେଇଛି ବାଙ୍ଗାଲୁରୁର ଷ୍ଟାଟଅପ୍‌‌ କମ୍ବାନି ରେଡ଼୍‌‌ ୱିଙ୍ଗ୍‌‌। ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଡ଼ିଥିଲା ଏହି ଅତ୍ୟାଧୁନିକ ଡ୍ରୋନ୍‌‌। କିଛି ଔଷଧ ଧରି ଏହି ଡ଼୍ରୋନ୍‌‌ ଉଡ଼ିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଏହି ଅବସରରେ କହିଛନ୍ତି କନ୍ଧମାଳ ସାଂସଦ। ଆଜିର ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲାପାଳ ଆଶୀଷ ଈଶ୍ୱର ପାଟିଲ୍‌‌, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ , ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ରେଡ୍‌ ୱିଙ୍ଗ୍‌‌ ଓ ୟୁଏସ୍‌‌ ଏଡ଼ର କର୍ମକର୍ତ୍ତାଙ୍କ ସମେତ ଜିଲା ସ୍ୱାସ୍ଥ୍ୟ ବିଭାଗର ଡ଼ିପିଏମ୍‌‌ ମନୋରଂଜନ ସାହୁ, ଡ଼ିଏମ୍‌‌ଆରସିଏଚ୍‌‌ ଆଶିଷ୍‌‌ କୁମାର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

prayash

ପ୍ରକାଶ ଯେ, କନ୍ଧମାଳ ଜିଲାକୁ ୩ଟି ଡ୍ରୋନ ଆସି ପହଞ୍ଚିଛି। ଗୋଟିଏ ଡ୍ରୋନର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଅତ୍ୟାବଶ୍ୟକ ମେଡିସିନ, ଟିକା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୂନା ନେବା ଆଣିବାରେ ଡ୍ରୋନ ବ୍ୟବହାର କରାଯିବ। ୨ କେଜି ଓଜନର ଜିନିଷ ଧରି ଡ୍ରୋନ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବ। ଡ୍ରୋନ ଉଡାଣ ପାଇଁ ଫୁଲବାଣୀ, ବାଲିଗୁଡା ଏବଂ ତୁମୁଡିବନ୍ଧରେ କଂଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି।

Comments are closed.