ମିଶନଶକ୍ତିର ଆନୁକୂଲ୍ୟରେ ଆରମ୍ଭ ହେଲା ଆମ ଦୋକାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟର ମୁଖ୍ୟବଜାର ପ୍ରାଙ୍ଗଣରେ ମିଶନଶକ୍ତି ଆନୁକୂଲ୍ୟରେ ମା’ ବରାଳ ଦେବୀ ବ୍ଲକ ସ୍ତରୀୟ ମହାସଂଘ ଫିରିଙ୍ଗିଆ ତରଫରୁ ଆମ ଦୋକାନ ଆରମ୍ଭ ହୋଇଥିବା ବେଳେ ଏହାକୁ ଆନୁଷ୍ଠାନିକ ଭାବେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଉଦ୍‌ଘାଟିତ କରିଛନ୍ତି । ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରୟାସ ଫଳରେ ଅଞ୍ଚଳର ମହିଳା ସ୍ୱେଚ୍ଛାସେବୀ ମାନେ ଯେଉଁ ସବୁ ଜିନିଷ ତିଆରି କରୁଛନ୍ତି ସେଗୁଡ଼ିକ ଯେଭଳି ଭାବେ ବିକ୍ରି ହୋଇ ପାରିବ ତାହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଏହି ଆମ ଦୋକାନ କାର୍ଯ୍ୟକ୍ରମ ।

ମିଶନଶକ୍ତି ଫିରିଙ୍ଗିଆ ବ୍ଲକର ସଂଯୋଜକ ବାଦଲ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭୀନିତ୍‌ ଅଗ୍ରୱାଲା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ, ଅତିରିକ୍ତ ତହସିଲଦାର ତପନ ମଲ୍ଲିକ,ଫିରିଙ୍ଗିଆ ବ୍ଲକ ଏପିଓ ସୁମନ୍ତ ଉଠାଣ ସିଂ, ଜୀବିକା ମିଶନର ସହ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ବାଦଲ ନାୟକ, ଓଡ଼ିଶା ଜୀବିକା ମିଶନର ସଂଗ୍ରାମ କେଶରି ସାହୁ, ଶୁଶାନ୍ତ କୁମାର ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମା’ ବରାଳଦେବୀ ବ୍ଳକ ସ୍ତରୀୟ ମହାସଂଘର ସଭାନେତ୍ରୀ ଶ୍ରୀମତି ମାମୁନି ପ୍ରଧାନ, ସଂପାଦିକା ଶ୍ରୀମତି ପ୍ରଭାସିନୀ ସାହୁ ଓ ସମସ୍ତ କାର୍ଯ୍ୟକାରିଣୀ କମିଟି ସଭ୍ୟାମାନେ ଉପସ୍ଥିତ ଥିଲେ ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ଥିବା ବେଳେ ଫିରିଙ୍ଗିଆ ବ୍ଲକରେ ଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଉଥିବା ସସସ୍ତ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ଜିନିଷ ଆମ ଦୋକାନରେ ବିକ୍ରି କରାଯିବ ବୋଲି ବିଡିଓ ପ୍ରକଶ କରିଛନ୍ତି । ସେହିଭଳି ଆମ ଦୋକାନ ପଦକ୍ଷେପକୁ ଜିଲାପାଳ ସ୍ୱାଗତ କରିବା ସହିତ ଗ୍ରାମାଞ୍ଚଳର ମିଶନ ଶକ୍ତି ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ବଜାର ଦେବା ପାଇଁ ଏକ ସୁନ୍ଦର ଚେଷ୍ଟା ବୋଲି ମଧ୍ୟ ଜିଲାପାଳ ପ୍ରକାଶ କରିଥିଲେ ।

ଫିରିଙ୍ଗିଆ ବିଡିଓଙ୍କ ବ୍ୟକ୍ତିଗତ ଉଦ୍ୟମ ଫଳରେ ଫିରିଙ୍ଗିଆ ଠାରେ ଏହି ଆମ ଦୋକାନ ଖୋଲା ଯାଇପାରିଥିବା ବେଳେ ଏହି ଦୋକାନରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଖଲି, ଝୁଣା, ହରିଡ଼ା, ବାହାଡ଼ା, ଅଁଳା, ପାଳୁଅ, ବାଉଁଶରେ ପ୍ରସ୍ତୁତ ଜିନିଷ, ମାଣ୍ଡିଆ, କଳା ଚାଉଳ, ବାସ୍ନା ଚାଉଳ, ବାଦାମ ଲଡ଼ୁ, ଫୁଟଝାଡ଼ୁ, ଅଙ୍ଗନୱାଡ଼ି ଶିଶୁ ପୋଷାକ , ସ୍କୁଲ ପୋଷାକ , ହଳଦୀ , ସୋରିଶ, ମୁଢି , କୋଳଥ ଡାଲି , ଚଣା ଡାଲି ଭଳି ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ପାଇଁ ରଖାଯାଇଛି । ଆଗାମୀ ଦିନରେ ବ୍ଲକର ଅନ୍ୟ ପଂଚାୟତ ମାନଙ୍କରେ ଏହି ଆମ ଦୋକାନ ଖୋଲାଯିବା ନେଇ ଯୋଜନା ରହିଥିବା ବିଡିଓ ସୂଚନା ଦେଇଛନ୍ତି । ଅନ୍ୟପଟେ ଫିରିଙ୍ଗିଆ ଘାଟି ସାହି ଠାରେ ଥିବା ସ୍ୱୟଂ ସହାୟକ ଗୋଷ୍ଟୀ ଦ୍ୱାରା କରାଯାଇଥିବା ବାୟୋପ୍ଲକ ବା କୁଣ୍ଡା ସାହାଯ୍ୟରେ ମାଛଚାଷ ପ୍ରକଳ୍ପକୁ ମଧ୍ୟ ସମସ୍ତ ଅତିଥି ମାନେ ବୁଲିଦେଖିଥିଲେ ।

Comments are closed.