www.samajalive.in
Friday, December 12, 2025
23.1 C
Bhubaneswar

ଆମେରିକା ଭାରତକୁ ଦେବ ୮କୋଟି ପାନ ଫାଇଜର

ୱାଶିଂଟନ୍‌: ସ୍ବଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ୫୦କୋଟି ପାନ ଫାଇଜର ଟିକା ଯୋଗାଇଦେବ। ଏହି ରାଷ୍ଟ୍ରଙ୍କ ସଂଖ୍ୟା ୯୨। ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ଜି-୭ ବୈଠକ ଅବସରରେ ଏହି ଘୋଷଣା କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଆମେରିକା ବିଶ୍ବର ଏକକ ସର୍ବାଧିକ ଟିକା ଦାନ ଓ ବିକ୍ରୟକାରୀ ରାଷ୍ଟ୍ରର ମାନ୍ୟତା ପାଇବ। ରାଷ୍ଟ୍ରପତି ହେବା ପରେ ପ୍ରଥମ ୟୁରୋପ ଗସ୍ତରେ ଆସି ବାଇଡେନ୍‌ ଗୁରୁବାର ବ୍ରିଟେନ୍‌ରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରଙ୍କୁ କରୋନା ମୁକାବିଲାରେ ସମ୍ମିଳିତ ଲଢ଼େଇ ପାଇଁ ଆହ୍ବାନ ଦେଇଛନ୍ତି। ଟିକା ଦାନ ଦ୍ବାରା ବହୁ ଅମୂଲ୍ୟ ଜୀବନ ବଞ୍ଚାଇ ହେବ ବୋଲି ସେ କହିଛନ୍ତି।

ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ପ୍ରଦତ୍ତ ସୂଚନାନୁଯାୟୀ, ଏହି ଟିକା ଯୋଗାଣ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ। ବର୍ଷ ଶେଷ ସୁଦ୍ଧା ୨୦୦ ନିୟୁତ ଟିକା ଯୋଗାଇ ଦିଆଯିବ। ଅବଶିଷ୍ଟ ୩୦୦ ନିୟୁତ ଟିକା ୨୦୨୨ ମଧ୍ୟଭାଗ ସୁଦ୍ଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। କରୋନା ଟିକାକରଣରେ ଅଗ୍ରଣୀ ଭୂମିକା ନିଭାଉଥିବା ଜାତିସଂଘର ସହଯୋଗୀ ଅନୁଷ୍ଠାନ ଭାବେ ଆନ୍ତର୍ଜାତିକ ପ୍ରୟାସ ‘କୋଭାକ୍ସ’ (କୋଭିଡ ଭାକ୍ସିନ୍‌ ଗ୍ଲୋବାଲ ଆକ୍ସେସ୍‌) ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାଧ୍ୟମରେ ଏହା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭାରତକୁ ୮କୋଟି ପାନ ଟିକା ମିଳିବା ସମ୍ଭାବନା ରହିଛି। ଏହା ଆମେରିକାର ବଳକା ବା ଅବ୍ୟବହୃତ ଟିକା। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଏବଂ ଆଫ୍ରିକାକୁ ଯଥାକ୍ରମେ ୧ କୋଟି ୯୦ ଲକ୍ଷ ଓ ୨ କୋଟି ୫୦ ଲକ୍ଷ ଅବ୍ୟବହୃତ ଟିକା ଯୋଗାଇ ଦିଆଯିବ। ଗତ ସପ୍ତାହରେ ଉପରାଷ୍ଟ୍ରପତି କମଳା ହାରିସ୍‌ ବିଭିନ୍ନ ରାଷ୍ଟ୍ରକୁ ଚଳିତ ଜୁନ୍‌ ଶେଷ ସୁଦ୍ଧା ୮୦ନିୟୁତ ଟିକା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।

- Advertisement -

ଏତଦ୍‌ ବ୍ୟତୀତ ବାଇଡେନ୍‌ ପ୍ରଶାସନ ପକ୍ଷରୁ କରୋନା ବିରୋଧୀ ଲଢ଼େଇ ପାଇଁ କୋଭାକ୍ସକୁ ୨୦୦କୋଟି ଡଲାର ​ପ୍ରଦାନ କରାଯାଇଛି। ଏତେ ପରିମାଣ ଅର୍ଥ କୌଣସି ରାଷ୍ଟ୍ର ଦାନ କରି ନାହାନ୍ତି। ‘କ୍ବାଦ୍‌’ ରାଷ୍ଟ୍ର ଗୋଷ୍ଠୀର ଉଦ୍ୟମକ୍ରମେ ଏହି ସହାୟତା ପ୍ରଦାନ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଆମେରିକା ୭ଟି ବିମାନ ଭର୍ତ୍ତି ପ୍ରାୟ ୧୦୦ନିୟୁତ ଡଲାର ମୂଲ୍ୟର ଜୀବନରକ୍ଷାକାରୀ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଇଛି। ଏତଦ୍‌ବ୍ୟତୀତ ଭାରତୀୟ ବଂଶୋଦ୍ଭବ ଓ କେତେକ ଘରୋଇ ବ୍ୟାବସାୟିକ ପ୍ରତିଷ୍ଠାନ ପକ୍ଷରୁ ୪୦୦ ନିୟୁତ ଡଲାର ମୂଲ୍ୟର ସହାୟତା ଯୋଗାଇ ଦିଆଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories