ଜିଆରଏସ୍ ଆକ୍ରମଣକାରୀକୁ ଗିରଫ ଦାବିରେ ସାମିଲ ହେଲେ ସମସ୍ତ ବ୍ଲକ କର୍ମଚାରୀ
ରାଜରାସ୍ତାରେ ପିଇଓ ଏବଂ ଜିଆରଏସ୍, ଉନ୍ନୟନମୂଳକ କାର୍ଯ୍ୟ ଠପ୍
କେନ୍ଦୁଝରଗଡ : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡିଶା ଆହ୍ୱାନକ୍ରମେ ୨ଦଫା ଦାବିରେ ସମଗ୍ର ରାଜ୍ୟରେ ଚଳିତମାସ ୧୮ ତାରିଖରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହିକ୍ରମରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କେନ୍ଦୁଝର ଜିଲା ଶାଖା ପକ୍ଷରୁ ୧୮ ତାରିଖ ଠାରୁ ଜିଲାର ସମସ୍ତ ୧୩ଟି ବ୍ଲକ ଅଧିନ ୨୯୭ଟି ପଞ୍ଚାୟତରେ କାର୍ଯ୍ୟରତ ୧୮୦ରୁ ଅଧିକ ପିଇଓ ସମୂହ ଛୁଟିରେ ରହି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ସାମିଲ ହୋଇଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ଯୁକ୍ତ ୩ କରାଯିବା ସହ ଲେଭେଲ-୫ରୁ ଲେଭେଲ-୯କୁ ଦରମା ବୃଦ୍ଧି ଏବଂ ୧୦ବର୍ଷ ଚାକିରି ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଜିପିଡିଓ ଭାବେ ଶତପ୍ରତିଶତ ପଦୋନ୍ନତି ସହ ପିଇଓ ମାନଙ୍କୁ ମଧ୍ୟ ଓଆରଏସ୍ କ୍ୟାଡରରେ ଅର୍ନ୍ତଭୁକ୍ତ କରାଯିବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି ।
ଅପରପକ୍ଷରେ ସଦର ବ୍ଲକ ବାଉରିପଦା ପଞ୍ଚାୟତରେ ଗତ ସ୍ୱାଧିନତା ଦିବସ ପରୀପ୍ରେକ୍ଷିରେ ଅଗଷ୍ଟ ୧୫ ତାରିଖ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ କାଠକରଞ୍ଜିଆ ଗ୍ରାମର ଦିଲ୍ଲୀପ କୁମାର ରାୟ କାହିଁକି ତାଙ୍କ ନାମ ଆବାସ ଯୋଜନାରୁ ବାଦ୍ ଦିଆଗଲା କହି ହଠାତ୍ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ସୋମନାଥ ମହାନ୍ତଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହି ଘଟଣା ପରେ ଆକ୍ରମଣର ଶୀକାର ଜିଆରଏସ୍ ଶ୍ରୀ ମହାନ୍ତଙ୍କ ସମେତ ସଦର ବ୍ଲକର ସମସ୍ତ ଜିଆରଏସ୍ ଅଗଷ୍ଟ ୧୬ ତାରିଖ ଏ ସମ୍ପର୍କରେ ସଦର ବିଡିଓଙ୍କୁ ଲିଖିତ ଭାବେ ଅବଗତ କରିବା ସହ ଆକ୍ରମଣକାରୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଇତିମଧ୍ୟରେ ଘଟଣାର ୯ଦିନ ବିତିଯାଇଥିଲେ ହେଁ ଅଭିଯୁକ୍ତକୁ ଗିରଫ କରାନଯିବାରୁ ସଦର ବ୍ଲକ ଜିଆରଏସ୍ ସଂଘ ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ବୁଧବାର ବିଡିଓଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ଲକ କର୍ମଚାରୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ନାଏକ ଓ ସହକାରୀ ଯନ୍ତ୍ରୀ ଇଂ ସାଈ ସୁନ୍ଦର ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ବୁଧବାର ଜିଆରଏସ୍ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ ଆକ୍ରମଣକାରୀ ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଏବିଡିଓ ଶ୍ରୀ ନାଏକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆକ୍ରମଣ ଶୀକାର ଜିଆରଏସ୍ ସୋମନାଥ ମହାନ୍ତ, ଦେବାଶିଷ ରାଉତ, ଚିତ୍ତରଞ୍ଜନ ମାର୍ଡି, ବଳଭଦ୍ର ମହାକୁଡ, ବୃନ୍ଦାବନ ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ଜିତେନ୍ଦ୍ର କୁମାର ମହାନ୍ତ, ବେଣୁଧର ମହାନ୍ତ, ପ୍ରମିଳା ବାରିକ, ସନ୍ଧ୍ୟାରାଣୀ ଗାର୍ଡିଆଙ୍କ ସମେତ ବ୍ଲକ କର୍ମଚାରୀ ସଦର ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ସାମିଲ ହୋଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ସଦର ଥାନା ଅଧକାରୀ ଓ ଟାଉନ ଥାନା ଅଧିକାରୀ ବୁଧବାର ମଧ୍ୟାହ୍ନରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି,ତେଣୁ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ। ତେବେ ଅଭିଯୁକ୍ତକୁ ଗିରଫ ସହ କାର୍ଯ୍ୟରତ କର୍ମଚାରୀଙ୍କୁ ସୁରକ୍ଷା ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଦର ବ୍ଲକ ଜିଆରଏସ୍ ସଂଘ ସଭାପତି ଶ୍ରୀ ସାହୁ ସ୍ପଷ୍ଟ କରିବା ସହ ଆବଶ୍ୟକ ପଡିଲେ ଆଗାମୀ ଦିନରେ ଜିଲାବ୍ୟାପୀ ସମସ୍ତ ବ୍ଲକର ଜିଆରଏସ୍ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେବୋଲି ଚେତାବନୀ ଦେଇଛନ୍ତି। ପିଇଓ ଏବଂ ଜିଆରଏସ୍ ଉଭୟ ଆନ୍ଦୋଳନରେ ସାମିଲ ହୋଇ ରାଜରାସ୍ତାକୁ ଓହ୍ଲାଇଥିବା ଯୋଗୁଁ ବିଶେଷକରି ସଦର ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ସମେତ କାର୍ଯ୍ୟାଳୟର ଦୈନଦିନ କାର୍ଯ୍ୟ ମଧ୍ୟ ବନ୍ଦ ରହିଥିବାରୁ ହିତାଧିକାରୀ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି।
Comments are closed.