ଭୁବନେଶ୍ୱର/ଯାଜପୁର : ଜାତୀୟ ରାଜପଥ-୫୩ ଅନ୍ତର୍ଗତ ଡୁବୁରୀ-କାମାକ୍ଷାନଗର ୪ଥାକିଆ ରାଜପଥକୁ ଚଳିତ ମାସ ୫ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହା ସ୍ୱାଗତ ଯୋଗ୍ୟ । ମାତ୍ର ଏହି ରାସ୍ତାର ସୁକିନ୍ଦାଗଡ ନିକଟରେ ଥିବା ଫ୍ଲାଏ ଓଭରର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇ ପାରିନାହିଁ ଏବଂ ଏହି ସ୍ଥାନଟିକୁ ଖାଲ ଖମା କରିଦେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଛାଡି ଯାଇଛନ୍ତି। ଯାହାକୁ ଗଣମାଧ୍ୟମରେ ସମାଲୋଚନା କରାଯିବା ସହ ଜନସାଧାରଣ ଦୈନନ୍ଦିନ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୁକିନ୍ଦାଗଡ ଠାରେ ବ୍ଲକ, ତହସିଲ, ବିଚାରାଳୟ, ସବଟ୍ରେଜେରୀ, ସବରେଜିଷ୍ଟ୍ରାର ତଥା ରେଙ୍ଗାଲି କେନାଲ କାର୍ଯ୍ୟାଳୟ ଏବଂ ସୁକିନ୍ଦା ସିଏଚସି, ସୁକିନ୍ଦା କଲେଜ, ଥାନା, ରେଲୱେ ଷ୍ଟେସନ ଇତ୍ୟାଦି ଥିବାରୁ ଦୈନନ୍ଦିନ ହଜାର ହଜାର ଲୋକ ଏଠାକୁ ନିଜ ନିଜର କାର୍ଯ୍ୟ ପାଇଁ ଆସିଥାନ୍ତି । ଏହି ସବୁ ଅଫିସ ଓ କୋର୍ଟ କଚେରୀ ଥିବାରୁ ସୁକିନ୍ଦା ଗଡ ଯାଜପୁର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ । କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ସୁକିନ୍ଦା କ୍ରୋମାଇଟ ଖଣି ଗୁଡିକ ଅବସ୍ଥିତ ହେତୁ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦୈନିକ ହଜାର ହଜାର ଟ୍ରକ ବସ୍ ଏବଂ ଚାରି ଚକିଆ ଯାନ ଯାତାୟତ କରନ୍ତି । ତେଣୁ ଏଠାରେ ଏକ ଫ୍ଲାଏ ଓଭର ନିର୍ମାଣ ପାଇଁ ଅତୀତରେ ଜନସାଧାରଣଙ୍କ ଅନୁରୋଧକୁ ସମର୍ଥନ କରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡାଇ ଏବଂ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଇବା ପରେ ଏକ ଫ୍ଲାଏ ଓଭର ନିର୍ମାଣ ପାଇଁ ବିଭାଗୀୟ ନିଷ୍ପତ୍ତି ହୋଇଥିଲା।
ତେଣୁ ଡୁବୁରୀ ଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଚାରିଥାକିଆ ଜାତୀୟ ରାଜପଥ ଲୋକାର୍ପଣ ହୋଇ ସାରିଥିବା ବେଳେ ସୁକିନ୍ଦାଗଡ ଠାରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି।



