ଗୋଠ ଛଡ଼ା ଦନ୍ତାର ଉତ୍ପାତ: ଭାଙ୍ଗିଲା ଘର, ଶୁଣ୍ଢ ପୁରାଇ ଖାଇଲା ଧାନ ଚାଉଳ

ପାଟଣା: କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଗୋଠ ଛଡ଼ା ଦନ୍ତା ର ଉତ୍ପାତ ଥମିବାରେ ନାଁ ଧରୁନି। ଗତ କିଛିଦିନ ବ୍ୟବଧାନ ପରେ ପୁଣି ଗତ ବିଳମ୍ବିତ ରାତିରେ ଗୋଠ ଛଡ଼ା ଦନ୍ତା ପାଟଣା ବ୍ଲକ୍ ଅନ୍ତର୍ଗତ ମୂଷାଖୋରି ଗ୍ରାମର ମାଣ୍ଡୁଆ ସାହିର ରଶ୍ମିତା ମୁଣ୍ଡାଙ୍କ ଘର ଭାଙ୍ଗି ଶୁଣ୍ଢ ପୁରାଇ ଧାନ ଚାଉଳ ଖାଇ ଦେଇଛି। ଘର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଦେଇ ଥିଲା ବେଳେ ରଶ୍ମିତାଙ୍କ ପରିବାର ଅଳ୍ପକେ ରକ୍ଷା ପାଇଛନ୍ତି। ତେବେ ଭଙ୍ଗା ଘରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
ତେଣୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ସେହିପରି ବଡ଼ ଧନୁର୍ଜୟପୁର ଗାଁର ଟୁନା ମାଝୀଙ୍କ ଘର କାନ୍ଥ କଣା କରି ଧାନ ଚାଉଳ ଖାଇଛି। ପାଟଣା ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ତେବେ କ୍ଷତିପୂରଣ ଯୋଗାଇ ଦେବାସହ ଏହି ହାତୀକୁ ଜଙ୍ଗଲକୁ ଘଉଡାଇ ଦେବାକୁ ବନ ବିଭାଗ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.