www.samajalive.in
Wednesday, December 10, 2025
14.1 C
Bhubaneswar

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପାଇଁ ଅଟକି ଯାଇଛି। ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ପାଟକୁରା ପାଇଁ ବିଜେଡ଼ି-ବିଜେପି ମଧ୍ୟରେ ଏବେଠାରୁ ଛାୟାଯୁଦ୍ଧ ଆରମ୍ଭ ହୋଇଯାଇଥିବାବେଳେ କଂଗ୍ରେସ ମଧ୍ୟ ଦୌଡ଼ରେ ରହିଛି। ଇତିମଧ୍ୟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ,କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ବହୁ ବିଧାୟକ ଏବଂ ବରିଷ୍ଠ ନେତୃବୃନ୍ଦ ପାଟକୁରାରେ ନିର୍ବାଚନ ମଣ୍ଡଳୀରେ ରୋଡ-ଶୋ କରି ବିଜୟଙ୍କ ବିଜୟ ପାଇଁ ସାଧାରଣ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଅନ୍ୟପକ୍ଷରେ ବିଜେଡ଼ି ପାଟକୁରା ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇଛି। ଏଥିପାଇଁ ଦଳର ଘନ ଘନ ବୈଠକ ଜାରି ରହିଛି। କେତେକ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ସହିତ ବିଧାୟକ ଏବଂ ବରିଷ୍ଠ ବିଜେଡ଼ି ନେତା ପାଟକୁରାରେ ଡେରା ପକାଇଛନ୍ତି। ସେଠାରେ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଦାୟିତ୍ବ ବଣ୍ଟନ କରାଯାଇଛି। ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ପାଟକୁରା ପାଇଁ ତତ୍ପରତା ଦେଖାଦେଇଛି। ନିର୍ବାଚନକୁ ନେଇ ଦଳରେ ଦୁଇଟି ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇସାରିଲାଣି। ଏବେ ତିନିଦଳର ଆଖି ରହିଛି ପାଟକୁରାର ନିର୍ବାଚନ ତାରିଖ ଘୋଷଣା ଉପରେ।
୨୦୦୦ମସିହାଠାରୁ ଇତିମଧ୍ୟରେ ୪ଟି ବିଧାନସଭା ନିର୍ବାଚନ ଅତିକ୍ରାନ୍ତ ହୋଇଥିଲେ ହେଁ ବିଜେପି କିମ୍ବା କଂଗ୍ରେସ ସେଠାରେ ଖାତା ଖୋଲି ପାରିନାହାନ୍ତି। ପଞ୍ଚମ ପାଳ​‌ିରେ ଗଡ଼ ରକ୍ଷା ଓ ସମ୍ମାନ ବଜାୟ ରଖିବା ପାଇଁ ବିଜେଡ଼ି ଆପ୍ରାଣ ଉଦ୍ୟମ ଆରମ୍ଭ କରିଛି। ଦିବଂଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କୁ ଦଳ ପ୍ରାର୍ଥୀ କରିଛି।
ଅନ୍ୟପକ୍ଷରେ ବିଜେଡ଼ିର କୌଶଳକୁ ପ୍ରତିହତ କରିବା ପାଇଁ ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଟକୁରା ପାଇଁ ଏକ ସ୍ବତନ୍ତ୍ର ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ବୈଠକର ନିଷ୍ପତ୍ତି ସମ୍ପର୍କରେ ପ୍ରାର୍ଥୀ ବିଜୟ ମହାପାତ୍ର ମୁହଁ ଖୋଲି ନଥିଲେ ମଧ୍ୟ ଦଳ ପକ୍ଷରୁ ଏଥର ବିଜୟଙ୍କ ବିଜୟ ନିଶ୍ଚିତ ବୋଲି କୁହାଯାଇଛି। ଏହାକୁ ନେଇ ଦଳ ପକ୍ଷରୁ ଇତିମଧ୍ୟରେ ପଥପ୍ରାନ୍ତ ସଭା ଓ ନିର୍ବାଚନୀ ସଭା ଆରମ୍ଭ ହୋଇଗଲାଣି। ଅପେକ୍ଷା ରହିଛି ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣାକୁ। ସେହିପରି କଂଗ୍ରେସ ପକ୍ଷରୁ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି। ଜୟନ୍ତଙ୍କୁ ଜିତାଇବାପାଇଁ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଦଳର ଛାମୁଆ ନେତା ପୂର୍ବରୁ ପ୍ରଚାର ମଧ୍ୟ କରିଛନ୍ତି। ଆଗାମୀ ଦିନରେ କିଭଳି ସମରସଜ୍ଜା ହେବ ସେନେଇ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଉଦ୍ୟମ ଚଳାଇଛନ୍ତି।
ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ପାଟକୁରା ନିର୍ବାଚନ ତାରିଖ ଯେତେବେଳେ ବି ଘୋଷଣା ହେଲେ ଆମକୁ କିଛି ଫରକ ପଡ଼ିବ ନାହିଁ। ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀଙ୍କୁ ପାଟକୁରାବାସୀ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବେ। ପାଟକୁରାକୁ ନେଇ ବିଜେଡ଼ି ଚିନ୍ତିତ ନୁହେଁ ବୋଲି ଶ୍ରୀ ଦେବ କହିଛନ୍ତି।
ସେହିପରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ପାଟକୁରାରେ ବିଜେପି ନିଶ୍ଚିତ ଜିତିବ। ପାଟକୁରାବାସୀ ଏଥର ବିଜୟ ବାବୁଙ୍କୁ ଜିତାଇ ସରକାରଙ୍କୁ ଉଚିତ୍ ଶିକ୍ଷା ଦେବେ। ପାଟକୁରା ପାଇଁ ଦଳ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ସାଂସଦ ଓ ବିଧାୟକମାନେ ସେଠାରେ ଦାୟିତ୍ବ ସମ୍ଭାଳି ପ୍ରଚାର କରିବେ। ନିର୍ବାଚନ ତାରିଖ ଘୋଷଣା ପରେ ଦଳର ବରିଷ୍ଠ ନେତାମାନେ ସେଠାରେ ପ୍ରଚାର ଅଭିଯାନରେ ସାମିଲ ହେବେ।
ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଦଳ ପକ୍ଷରୁ ଜୟନ୍ତ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପାଟକୁରା ନିର୍ବାଚନ ସମ୍ପର୍କରେ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାକୁ ନେଇ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ସେଠାରେ ନିର୍ବାଚନ ତାରିଖ ଘୋଷଣା ପରେ ଦଳର ବରିଷ୍ଠ ନେତାମାନଙ୍କୁ ପ୍ରଚାର ପାଇଁ ପଠାଯିବ। ଗତଥର କଂଗ୍ରେସ ସେଠାରୁ ଭଲ ଭୋଟ ପାଇଥିଲା। ବିଜେଡ଼ି-ବିଜେପି ବିରୋଧରେ ଜନମତ ସୃଷ୍ଟି ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories