ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା ମାମଲା -ହତ୍ୟାକାରୀ ଯୋଗେଶ୍ୱରକୁ ଆଜୀବନ କାରାଦଣ୍ଡ

ପାଟଣାଗଡ :ପାଟଣାଗଡ ଉପଖଣ୍ଡ ବେଲପଡ଼ାରେ ୨୦୧୧ ଅକ୍ଟୋବର ୨୮ରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା । ଜଣେ ବିଧବା ମହିଳା ଓ ତାଙ୍କ ୨ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ବେଲପଡ଼ାରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ପୁଲିସ ତଦନ୍ତ କରି ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲା । ଦୀର୍ଘ ୧୧ ବର୍ଷ ଧରି ମାମଲାର ବିଚାର ଚାଲିବା ପରେ ପାଟଣାଗଡ ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ) ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ବେଲପଡ଼ାରେ ସ୍ୱର୍ଗତ ଲଳିତ ମେହେରଙ୍କ ପତ୍ନୀ ଦିପ୍ତିମୟୀ ମେହେର(୬୨) ଓ ୨ଝିଅ ପ୍ରତିଭା ଓ ପ୍ରଣତି ରହୁଥିଲେ । ସିଲେଇ କାମ କରୁଥିବା ଯୋଗେଶ୍ୱର ମେହେର ନାମକ ଜଣେ ବ୍ୟକ୍ତି ପରିବାର ସହ ଦିପ୍ତିମୟୀଙ୍କ ଘରେ ଭଡାରେ ଥିଲେ । ତେବେ କୌଣସି କାରଣ ଯୋଗୁଁ ଯୋଗେଶ୍ୱରଙ୍କୁ ଘର ଛାଡିବାକୁ ଦିପ୍ତିମୟୀ କହିଥିଲେ । ଅନ୍ୟତ୍ର ଭଡ଼ାରେ ଯୋଗେଶ୍ୱର ରହିଥିଲେ । ତେବେ ଘଟଣା ଦିନ ରାତିରେ ଯୋଗେଶ୍ୱର ଦିପ୍ତିମୟୀଙ୍କ ଘରକୁ ଯାଇଥିଲେ । ପ୍ରଥମେ ବୃଦ୍ଧା ଦିପ୍ତିମୟୀଙ୍କୁ ଧାରୁଆ ଅସ୍ତ୍ର ସହାୟତାରେ ମାରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ବାମ କାନ, ବେକ ଓ କାନ୍ଧରେ ଆଘାତ ଲାଗିଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ ଦିପ୍ତିମୟୀ । ତେବେ ଏତିକିରେ ଥମି ନଥିଲେ ଯୋଗେଶ୍ୱର । ମୃତ ଦିପ୍ତିମୟୀଙ୍କ ୨ଝିଅ ପ୍ରତିଭା ଓ ପ୍ରଣତିଙ୍କୁ ବି ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ । ଘରେ ଥିବା ୦.୫୨୬ ଗ୍ରାମର ସୁନାଗହଣା ଚୋରି କରି ପଳାଇ ଯାଇଥିଲେ । ହତ୍ୟା ଘଟଣା ପ୍ରଘଟ ହେବା ପରେ ବେଲପଡ଼ାରେ ଉତ୍ତେଜନା ସହ ଅଭିଯୁକ୍ତକୁ ଗିରଫ ଦାବିରେ ପୋଡାଜଳା ହୋଇଥିଲା । ବେଲପଡ଼ା ପୁଲିସ ମାମଲାର ତଦନ୍ତ କରି ଶେଷରେ ଅଭିଯୁକ୍ତ ଯୋଗେଶ୍ୱରଙ୍କୁ ଗିରଫ କରିଥିଲା ।

ଏକ ବନ୍ଧ ହୁଡାରୁ ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରାଯାଇଥିଲା । ୨୦୧୧ ମସିହାରୁ ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା ମାମଲାର ବିଚାର ପାଟଣାଗଡ ଅତିରିକ୍ତ ଜିଲା ଦୌରା ଜଜ୍‌ଙ୍କ ନ୍ୟାୟାଳୟରେ ଚାଲିଥିଲା । ୩ଜଣ ଡାକ୍ତର, ସାଇଣ୍ଟିଫିକ୍‌ ଦଳ, ୨୭ଜଣ ସାକ୍ଷୀ, ୪୦ଟି ଦସ୍ତାବିଜ, ୩୮ଟି ଉପକରଣ, ପରିସ୍ଥିତି ଜନିତ ପ୍ରମାଣକୁ ଆଧାର କରି ୫୬ ପୃଷ୍ଠା ସମ୍ବଳିତ ରାୟ ପାଟଣାଗଡ ଅତିରିକ୍ତ ଜିଲା ଦୌରା ଜଜ୍‌ ଶ୍ୱେତା ମିଶ୍ର ଶୁଣାଣି କରିଥିଲେ । ହତ୍ୟା ମାମଲାରେ ଦୋଷୀ ଯୋଗେଶ୍ୱରଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ଅତିରିକ୍ତ ବର୍ଷେ କାରାଦଣ୍ଡ ଶୁଣାଣି କରିଥିଲେ । ସେହିପରି ସୁନା ଚୋରି ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ, ୧୦ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ରାୟ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଦୋଷୀ ସାବ୍ୟସ୍ତ ହୋଇଥିବା ଯୋଗେଶ୍ୱରଙ୍କ ପକ୍ଷରୁ କଟକର ଓକିଲ ଅନିରୁଦ୍ଧ ଦାଶ ଓ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଆଶିଷ ଚନ୍ଦନ ମାମଲା ପରିଚାଳନା କରିଥିଲେ ।

Comments are closed.