ପ୍ରଶ୍ନରେ ସୀମିତ ବୃହତ ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀତା

ନୂଆଦିଲ୍ଲୀ: ବିଶ୍ୱର ବୃହତ ଗଣତନ୍ତ୍ରର ନିର୍ବାଚନ ଦୋୖଡରେ ମହିଳାଙ୍କ ଭାଗିଦାରୀ ହ୍ରାସ ପାଇବା ଭାରତରେ ନାରୀ ସୁରକ୍ଷା ଓ ସ୍ୱାଧୀନତାର ବାସ୍ତବ ପ୍ରତିଫଳନ ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପ୍ରିଲ ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହୋଇଥିବା ଗଣତନ୍ତ୍ରର ମହାପର୍ବ ‘ନିର୍ବାଚନ – ୨୦୧୯’ କେବଳ ଦଳ ବଦଳ ଓ ଆରୋପ ପ୍ରତ୍ୟାରୋପର ରାଜନୀତି ଭିତରେ ସୀମିତ ରହିଯାଇଥିବା ମନେ ହୁଏ। ଦେଶରେ ଅନେକ ବର୍ଷ ଶାସନରେ ଥିବା କଂଗ୍ରେସ ଦଳର ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୧୨.୮ ପ୍ରତିଶତ ମହିଳା ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ୧୧.୮ ପ୍ରତିଶତ ମହିଳାଙ୍କୁ ନିର୍ବାଚନ ଦୌଡ଼ ପାଇଁ ମନୋନୀତ କରିଛି।

ଭାରତ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନାରୀ ସଶକ୍ତିକରଣର ମନ୍ତ୍ର ପ୍ରଚାର କରୁଥିବା ଦେଶ ଯେଉଁଠି ସ୍ବର୍ଗତ ଇନ୍ଦିରା ଗାନ୍ଧୀ ବହୁ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ ଏବଂ ଏବେର ସରକାରରେ ସୁଷମା ସ୍ୱରାଜ ଓ ନିର୍ମଳା ସୀତାରମଣଙ୍କ ଭଳି ନେତୃତ୍ୱ ଥାଇ ବି ସଂସଦରେ ଏକ ତୃତୀୟାଂଶ ଆସନ ସଂରକ୍ଷିତ ନ ହୋଇପାରିବା ଏବଂ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ସାଧାରଣ ନିର୍ବାଚନରେ ଆଖି ଦୃଷ୍ଟିଆ ସଂଖ୍ୟାରେ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ନ ଦେବା ଆଗାମୀ ଦିନରେ ମହିଳାଙ୍କ ଭାଗିଦାରୀତା ନେଇ ଭୋଟରମାନଙ୍କ ବିଦ୍ୱେଷର ଶିକାର ହୋଇପାରନ୍ତି ପ୍ରମୁଖ ରାଜନୈତିକ ଦଳ।

ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ୨ହଜାର ୮୫୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୨୦୯ ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ ଯାହା କେବଳ ୭ ପ୍ରତିଶତ ମଧ୍ୟରେ ସୀମିତ ଯାହା ପୁଣି ଥରେ ବୃହତ ରାଜନୈତିକ ପାର୍ଟି ଗୁଡିକ ଲିଙ୍ଗଗତ ସମାନତା ବଜାୟ ରଖିବାରେ ଅସଫଳ ହୋଇଥିବା ପ୍ରକାଶ କରୁଛି। କେବଳ ସେତିକି ନୁହେଁ, ଭାରତର ୯୦କୋଟି ଭୋଟରଙ୍କ ମଧ୍ୟରୁ ୪୩କୋଟି ମହିଳା ଭୋଟର ଥିଲେ ମଧ୍ୟ ସେମାନଙ୍କୁ ପ୍ରତିନିଧିତ୍ବ ଅଧିକାର ନ ଦେବା ଆଶ୍ଚର୍ଯ୍ୟର ବିଷୟ। ହିମାଚଳ ପ୍ରଦେଶ ଭଳି ଉତ୍ତରାଞ୍ଚଳ ରାଜ୍ୟରେ ଜଣେ ବି ମହିଳାଙ୍କୁ ସୁଯୋଗ ନ ଦେବା ଉଭୟ ବିଜେପି ଓ କଂଗ୍ରେସ ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇପାରେ।

ଅନ୍ୟ ପକ୍ଷରେ ଚଳିତ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକ ତୁଳନାତ୍ମକ ଭାବେ ଅଧିକ ସଂଖ୍ୟାରେ ମହିଳାମାନଙ୍କୁ ପ୍ରତିନିଧିତ୍ବ ସୁଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ୪୨ଟି ସଂସଦୀୟ ଆସନରୁ ୧୭ଟିରେ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଥିଲା ବେଳେ ଓଡ଼ିଶାରେ ବିଜୁ ଜନତା ଦଳ ଏକ ତୃତୀୟାଂଶ ଆସନରେ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ମନୋନୀତ କରିଛି।

Comments are closed.