ଇସଲାମାବାଦ : ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପାକିସ୍ତାନ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ ନେବାରେ ଲାଗିଛି। ହଡ଼ବଡ଼ରେ ପାକିସ୍ତାନ ଗୁରୁବାର ଭାରତୀୟ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆଇ ଆଣ୍ଡ ବି’ର ସ୍ୱତନ୍ତ୍ର ଅଧିକାରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନର କୌଣସି ପ୍ରେକ୍ଷାଳୟ ବା ସିନେମା ହଲରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ହେବ ନାହିଁ।
ଏହା ପୂର୍ବରୁ ପାକିସ୍ତାନ ଭାରତ ସହ କୂଟନୈତିକ ସମ୍ପର୍କ ଚ୍ଛିନ୍ନ ଓ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବନ୍ଦ କରିଛି। ଏହାସହ ଭାରତ ପାଇଁ ତିନୋଟି ଆକାଶ ପଥ ବନ୍ଦ ଓ ସମଝୌତା ଏକ୍ସପ୍ରେସ ଚଳାଚଳ ରଦ୍ଦ କରିଛି। ପାକିସ୍ତାନର ଏଭଳି ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଭଳି କରି ପାକିସ୍ତାନ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ଅନେକ ମତବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ ପାକିସ୍ତାନ ରାଜନୀତିରେ ଜାମ୍ମୁ କାଶ୍ମୀର ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। ଜାମ୍ମୁ କାଶ୍ମୀର ନାମରେ ପାକିସ୍ତାନରେ ଅନେକ ରାଜନୀତିକୁ ଆସିଛନ୍ତି। ଜାମ୍ମୁ କାଶ୍ମୀର ନାମରେ ପାକିସ୍ତାନ ବିଦେଶରୁ ପାଣ୍ଠି ସଂଗ୍ରହ କରିଆସୁଥିଲା। ୩୭୦ ଉଚ୍ଛେଦ ସହ ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ନେଇ ଭାରତର ପଦକ୍ଷେପ ପାକିସ୍ତାନର ସମସ୍ତ ଆଶରେ ପାଣି ପୂରାଇ ଦେଇଛି। ଫଳରେ ପାକିସ୍ତାନର ଅର୍ଥନୀତିକୁ ନଦେଖି କେବଳ ନିଜ ରାଜନୀତିକୁ ବଞ୍ଚାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ମନଇଚ୍ଛା ମନ୍ତବ୍ୟ ଦେବା ସହ ଏଭଳି ପଦକ୍ଷେପ ନେଇଚାଲିଛନ୍ତି। ପାକିସ୍ତାନର ଅର୍ଥନୀତି ଦୁର୍ବଳ ହେବାରେ ଲାଗିଥିବାବେଳେ ଏଭଳି ପଦକ୍ଷେକ ତାକୁ ଆଉ ଦୁର୍ବଳ କରିଦେବ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।



