ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ଉତ୍ତରାଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି। ଉତ୍ତରାଞ୍ଚଳର ଏକାଧିକ ଜିଲା ବାଦଲଫଟା ବର୍ଷା ଏବଂ ବନ୍ୟା ଯୋଗୁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ବହୁ ଘର, ରାସ୍ତା ଏବଂ ଗାଁ ବନ୍ୟାରେ ଭାସିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଶନିବାର ଉଦ୍ଧାରକାର୍ଯ୍ୟ ପାଇଁ ଯାଉଥିବା ଏକ ହେଲିକପ୍ଟର ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି।
ବିଭିନ୍ନ ଜିଲାକୁ ସଂଯୋଗ କରୁଥବା ରାସ୍ତାଘାଟ ଧୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଛି। ପ୍ରାଣ ହରାଇଥିବା ୩୪୪ ଜଣଙ୍କ ମଧ୍ୟରୁ ଖାଇବର ପଖତୁନଖ୍ବା ପ୍ରଦେଶରେ କେବଳ ୩୨୮ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି। ୧୨୦ରୁ ଅଧିକ ଲୋକ ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ବହୁ ଲୋକ ନିଖୋଜ ରହିଛନ୍ତି। ସ୍ଵାତ, ଶାଙ୍ଗଲା, ମନଶେରା, ବାଜଉର ଏବଂ ବାତ୍ତାଗ୍ରାମକୁ ବିପର୍ଯ୍ୟୟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ୯ଟି ଜିଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୨୦୦୦ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି।



