www.samajalive.in
Saturday, December 13, 2025
26.1 C
Bhubaneswar

ଏଲଓସିରେ ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ପୁଣି ସମ୍ମତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଗୁଳିଗୋଳା ବନ୍ଦ ପାଇଁ ଭାରତ ଓ ପାକିସ୍ତାନ ଗୁରୁବାର ସମ୍ମତ ହୋଇଛନ୍ତି। ଉଭୟ ରାଷ୍ଟ୍ରର ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ହଟଲାଇନ୍ ଆଲୋଚନାରେ ଏହି ସମ୍ମତି ପ୍ରକାଶ ପାଇଛି। ଉଭୟ ପକ୍ଷ ସୀମାରେ ଶାନ୍ତି ପ୍ରତିଷ୍ଠା ସହ ନିୟନ୍ତ୍ରଣ ରେଖାର ସ୍ଥିତିକୁ ସମୀକ୍ଷା କରି ଯୁଦ୍ଧବିରାମ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବୁଧବାର(୨୪ତାରିଖ) ମଧ୍ୟରାତ୍ରରୁ ଏହା ଲାଗୁ ହୋଇଥିବା ଗୁରୁବାର କୁହାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ହଟ୍‌ଲାଇନ୍‌ ଯୋଗେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ମିଳିତ ବିବୃତିରେ କୁହାଯାଇଛି। ସୂଚନାନୁଯାୟୀ, ଏକ ବିରଳ ଟେଲିଫୋନ୍‌ କଲ ଏହି ଆଲୋଚନା ପାଇଁ ବାଟ ଫିଟାଇଥିଲା। ଦୁଇ ଦେଶ ମଧ୍ୟରେ ହଟ୍‌ଲାଇନ୍‌ ସର୍ବଦା ସକ୍ରିୟ ରହିଥାଏ ଏବଂ ଉଭୟ ପକ୍ଷରୁ ବ୍ରିଗେଡିୟର ପାହ୍ୟାର ଅଧିକାରୀ ନିୟମିତ ସପ୍ତାହକୁ ଥରେ ଆଲୋଚନା କରିଥାଆନ୍ତି। ସୋମବାର ଅନୁଷ୍ଠିତ ଆଲୋଚନାରେ ଅସ୍ତ୍ରବିରାମ ପାଇଁ ବାଟ ଫିଟିଥିବା କୁହାଯାଉଛି।
୨୦୦୩ରେ ଭାରତ ଓ ପାକିସ୍ତାନ ଏଲ୍‌ଓସିରେ ଅସ୍ତ୍ରବିରତି ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ ମଧ୍ୟ ଏହାର ଉଲ୍ଲଙ୍ଘନ ହେଉଛି। କିଛି କାଳ ଧରି ଏଲଓସିରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ଭାରତର ବ୍ୟାପକ ଧନଜୀବନ କ୍ଷତି ଘଟୁଥିଲାବେଳେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି। ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ମଧ୍ୟରେ ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ଉପରୋକ୍ତ ଆଲୋଚନା ହୋଇଥିଲା। ସୀମାନ୍ତରେ ବସବାସ କରୁଥିବା ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଏହା ମହତ୍ତ୍ବପୂର୍ଣ୍ଣ ବୋଲି ଭାରତର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ଏହା ସତ୍ତ୍ବେ ଭାରତ ସୀମାନ୍ତରେ ସତର୍କ ରହିବ ଓ ଅନୁପ୍ରବେଶ ପ୍ରତି ଧ୍ୟାନ ଦେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ତିନି ବର୍ଷ ମଧ୍ୟରେ ସୀମାନ୍ତରେ ୧୧ହଜାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ଘଟିଛି। ଏଥିରେ ଭାରତର ୧୪୦ ଯବାନ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତ ବର୍ଷକ ମଧ୍ୟରେ ପାକିସ୍ତାନ ୫୧୩୩ ଥର ଓ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ୨୯୯ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories