ଓଟିଇଟି ଉତ୍ତର ପ୍ରଘଟ

ଭୁବନେଶ୍ବରରୁ କାରସାଦି ସୂଚନା, ୫ ଶିକ୍ଷକଙ୍କ ସଂପୃକ୍ତି ନେଇ ଚର୍ଚ୍ଚା

ମାଲକାନିଗିରି : ସାରା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହୋଇଛି। ତେବେ ପ୍ରଶ୍ନପତ୍ର ନ ମିଳୁଣୁ ଉତ୍ତରର ନକଲ କପି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଓଟିଇଟି ଏ-ସେଟ୍‌ ପ୍ରଶ୍ନପତ୍ରର ସମାନ କ୍ରମାଙ୍କ(ସିରିଏଲ ନମ୍ବର) ଥାଇ ଉତ୍ତରର ଏକ ଜେରକ୍ସ କପି ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲିବାଥିବା ଦେଖାଯାଇଥିଲା। ମାଲକାନଗିରି ଜିଲା ସହର ମହକୁମାରେ ଆଜି ପରୀକ୍ଷା ପାଇଁ ପିଲାମାନେ କେନ୍ଦ୍ରକୁ ଯିବା ପୂର୍ବରୁ ଏହି ଉତ୍ତରର ଜେରକ୍ସ କପି ଗଣମାଧ୍ୟମ ହାତରେ ଲାଗିଥିଲା। ଗଣମାଧ୍ୟମ ପ୍ରତିନିଧି ଏହା ପିଲାଙ୍କୁ ଦିଆଯାଇଥିବା ପ୍ରଶ୍ନପତ୍ରର ସଠିକ୍ ଉତ୍ତର କି ନୁହେଁ, ତାହା ଯାଞ୍ଚ କରିବାକୁ କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରିଥିଲେ। ପରେ ଏହାକୁ ମିଳାଯିବା ପରେ ପ୍ରଶ୍ନପତ୍ରର ଏହା କ୍ରମାନ୍ବୟ ଉତ୍ତର ଥିବା ଜଣାପଡିଥିଲା। ତେବେ ଏହି ଉତ୍ତର ପ୍ରଘଟ ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ସରକାରୀ ବିଦ୍ୟାଳୟରୁ ହୋଇଥିବା ଏବଂ ଏଥିରେ ୫ ଜଣ ଶିକ୍ଷକଙ୍କ ସଂପୃକ୍ତି ଥିବା କୁହାଯାଉଛି।
ତେବେ ଉତ୍ତରକୁ ଏକ କାଗଜରେ ଲେଖାଯାଇ ପରେ ତାହାକୁ ଜେରକ୍ସ କରାଯାଇଥିବା ଜଣାପଡିଛି। ଆଉ ଏହି ଜେରକ୍ସ କପି ହିଁ ଭାଇରାଲ ହୋଇଛି। ପ୍ରଶ୍ନପତ୍ରକୁ ସିଧାସଳଖ ପ୍ରଘଟ ନକରି ଏହାର ଉତ୍ତରକୁ ପ୍ରଘଟ କରାଯିବା ଭାଇରାଲର ଏକ ନୂଆ ତରିକା ବୋଲି କୁହାଯାଉଛି। କାରଣ ପୂର୍ବରୁ ଭାଇରାଲ ହେଉଥିବା ପ୍ରଶ୍ନପତ୍ରର କୋଡିଂ ଅନୁଯାୟୀ ଏହା କେଉଁ କେନ୍ଦ୍ର ବା ସ୍ଥାନରୁ ଲିକ୍‌ ହୋଇଛି ତାହା ଜଣାପଡୁଥିଲା। ପରେ ପ୍ରଘଟକାରୀ କୋଡିଂ ନମ୍ବରକୁ ହଟାଇ ପ୍ରଶ୍ନପତ୍ର ଲିକ୍‌ କରିବା ଦେଖାଯାଇଥିଲା। ଏବେ ପ୍ରଥମଥର ପାଇଁ ପ୍ରଶ୍ନପତ୍ର ପ୍ରଘଟ ନ କରି ନୂଆ କାରସାଦିରେ ଉତ୍ତରକୁ ଏକ କାଗଜରେ ଲେଖି ତାହାକୁ ଜେରକ୍ସ କରାଯାଇ ଭାଇରାଲ ହେବା ଘଟଣାକୁ ନେଇ ଚିନ୍ତାପ୍ରକାଶ ପାଇଛି। ଭାଇରାଲ ହେଉଥିବା ଉତ୍ତର ଗୁଚ୍ଛ କେଉଁ କେନ୍ଦ୍ରରୁ ହୋଇଛି ତାହା ଧରିବା ଲାଗି ବିଭାଗ ପକ୍ଷରୁ ତନାଘନା ଚାଲିଛି।
ସୂଚନା ମୁତାବକ ମାଲକାନଗିରି ଜିଲା ସଦର ମହକୁମାରେ ଓଟିଇଟି ପରୀକ୍ଷା ନିମନ୍ତେ ଗତ ୨୭ ତାରିଖ ଦିନ ପ୍ରଶ୍ନପତ୍ର ଆସି କଡ଼ା ସୁରକ୍ଷା ମଧ୍ୟରେ ମାଲକାନଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିଲା। ତେବେ ଏହି ଷ୍ଟ୍ରଙ୍ଗରୁମ୍‌କୁ ମଧ୍ୟ ପୁଲିସ ଅଧିକାରୀ ଓ କିଛି ପ୍ରଶାସନିକ ଅଧିକାରୀ ଜଗି ରହିଥିଲେ ା ଆଜି ସକାଳ ୬.୩୦ରେ ଜିଲାରେ ଥିବା ତିନୋଟି ପରୀକ୍ଷା କେନ୍ଦ୍ରକୁ ଏହି ପ୍ରଶ୍ନପତ୍ର ଯାଇଥିଲା। ପରୀକ୍ଷାର୍ଥୀ ପରୀକ୍ଷା ଦେବା ପୂର୍ବରୁ ଏହି ପ୍ରଶ୍ନର କେବଳ ଉତ୍ତର ଲେଖାଥିବା ଜେରକ୍ସ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିଲା ା ଏଠାରେ ପ୍ରଶ୍ନ ଉଠୁଛି ଯେ, କଡ଼ା ସୁରକ୍ଷା ମଧ୍ୟରେ ଏହି ପ୍ରଶ୍ନପତ୍ର ଥିବା ସତ୍ତ୍ବେ ଏହାର ଉତ୍ତର କିପରି ବାହାରକୁ ଆସିଲା ? ଏଭଳି ଘଟଣା ମେଧାବୀ ପରୀକ୍ଷାର୍ଥୀଙ୍କୁ ଚିନ୍ତିତ କରିଛି। ଏହି ପ୍ରଶ୍ନପତ୍ର ପାଇବା ପାଇଁ କେତେକ ଅସାଧୁ ପରୀକ୍ଷାର୍ଥୀ ୫ ହଜାର ଟଙ୍କା ଦେଇ ପ୍ରଶ୍ନପତ୍ର ହାତେଇଥିବା ଅବିଭକ୍ତ କୋରାପୁଟ ଜିଲାରେ ଦୁଇଦିନ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା। ଯାହା ସତ୍ୟତା ଥିବା ଏବେ ସାମ୍ନାକୁ ଆସିଛି। ସୂଚନାଥାଉକି, କୋରାପୁଟ ଜିଲାର ନାରାୟଣପାଟଣା ଅଞ୍ଚଳରେ କିଛି ଦଲାଲ
ପରୀକ୍ଷାର୍ଥୀମାନଙ୍କୁ ଯୋଗାଯୋଗ କରିବା ସହ ସେମାନଙ୍କଠାରୁ ୫ରୁ ୧୦ ହଜାର ଟଙ୍କା ନେଇ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ଭଲ ପରୀକ୍ଷା କକ୍ଷ, ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଆଯିବ ବୋଲି କହି ଦଲାଲମାନେ ଟଙ୍କା ଆଦାର କରିଥିବା କିଛି ପରୀକ୍ଷାର୍ଥୀ ନାମ ଗୋପନ ରଖି ପୂର୍ବରୁ କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଦଲାଲମାନେ ପୂର୍ବରୁ କିଛି ଫିକ୍ସିଂ କରିନାହାନ୍ତି ତ ? ଏମାନଙ୍କ ସହ ଶିକ୍ଷା ବିଭାଗର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ସାମିଲ ଥିବା କୁହାଯାଉଛି। ଗଣଶିକ୍ଷା ବିଭାଗ ଏହାକୁ ଗୁରୁତର ସହ ନେଇ ପୁଣି ଥରେ ପରୀକ୍ଷା କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ପରୀକ୍ଷାକୁ ବାତିଲ୍‌ କରାଯାଇ ପୁନର୍ବାର ନୂତନ ପ୍ରଶ୍ନପତ୍ରରେ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର, ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ଏ ସମ୍ବନ୍ଧରେ ମାଲକାନଗିରି ଜିଲା ଶିକ୍ଷାଧିକାରୀ ମାନସକୁମାର ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଏପରି ଘଟଣା ତାଙ୍କ ଦୃଷ୍ଟିକୁ ଆସିନାହିଁ, ଏହାର ତଦନ୍ତ କରାଯିବା ସହ ଘଟଣା ସତ୍ୟ ହୋଇଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହାସହ ପୁନର୍ବାର ପରୀକ୍ଷା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ସ୍ପ​‌ଷ୍ଟ କରିଛନ୍ତି।
ରାଜ୍ୟର ହଜାର ହଜାର ପିଲା ସିଟି ପାସ୍‌ କରିବା ପରେ ଓଟିଇଟି ପରୀକ୍ଷା ଦେଇ ଚାକିରି ଆଶାରେ ରହିଛନ୍ତି। ଏଭଳିସ୍ଥିତିରେ ଉତ୍ତର ପ୍ରଘଟ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି। କଠିନ ପରିଶ୍ରମ କରି ପରୀକ୍ଷା ଦେଇ ଫଳ ଓ ପରବର୍ତ୍ତୀ ସମୟରେ ଚାକିରି ପାଇବା ଆଶାରେ ଥିବା ଏହି ମେଧାବୀ ମାନଙ୍କୁ ଉତ୍ତର ପ୍ରଘଟ ଘଟଣା ନୈରାଶ୍ୟ ଆଡ଼କୁ ଠେଲିଦେଇଛି। ରାଜ୍ୟରେ କୌଣସି ପରୀକ୍ଷା ସଠିକ୍ ଢଙ୍ଗରେ ହୋଇ ନପାରିବା ସରକାରଙ୍କ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି।

kalyan agarbati

Comments are closed.