ଭୁବନେଶ୍ୱର : କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଆର୍ଥିକ ସନ୍ତୁଳନ ବିଗିଡ଼ିବା ପ୍ରସଙ୍ଗକୁ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ସମବାୟ ବ୍ୟାଙ୍କରେ ୩୬୪୬କୋଟିର ହିସାବ ଏପାଖ ସେପାଖ ନେଇ ‘ନାବାର୍ଡ’ ପ୍ରଶ୍ନ ଉଠାଇଥିବାବେଳେ ସରକାରଙ୍କ ଆଖି ମଧ୍ୟ ଖୋସି ହୋଇଯାଇଛି। ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହେବାପରେ ଏଥିଲାଗି କେଉଁମାନେ ଦାୟୀ ଏବଂ ସେମାନଙ୍କ ଉପରେ କି ପ୍ରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ଆସନ୍ତା ୧୫ରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ନିର୍ଦେଶକ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକ, ନାବାର୍ଡ ମହାପ୍ରବନ୍ଧକ ଓ ସମବାୟ ସମିତି ମହାସମୀକ୍ଷକ ଯୋଗଦେବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।
‘ନାବାର୍ଡ’ ପକ୍ଷରୁ ନିକଟରେ ରାଜ୍ୟସ୍ତରୀୟ ‘ଟାସ୍କଫୋର୍ସ’ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ହଜାର ହଜାର କୋଟିର ‘ଇମ୍ବାଲାନ୍ସ ଇନ୍ ପ୍ରିନ୍ସିପୁଲ୍’ ଗୁମର ଧରାପଡ଼ିଥିଲା। ଏହାସହିତ ରାଜ୍ୟରେ ସମବାୟ ବ୍ୟାଙ୍କଗୁଡିକ ଠିକଣା ଭାବେ ପରିଚାଳିତ ହେଉ ନ ଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା। ଏମିତିକି ବିଭିନ୍ନ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ରିଜର୍ଭ ବ୍ୟାଙ୍କ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ନୁହନ୍ତି। ଯେଉଁଥିପାଇଁ କୃଷିଋଣ ବାବଦ ମୂଳଧନ ପ୍ରାୟ ୩୬୪୬.୪୧କୋଟିର ଭାରସାମ୍ୟ ରହି ନ ଥିବା ଜଣାଯାଇଥିଲା। ନାବାର୍ଡ ତଥ୍ୟ ଅନୁଯାୟୀ, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ସର୍ବାଧିକ ୫୭୦.୯୯କୋଟି ଟଙ୍କାର ‘ଇମବାଲାନ୍ସ ଇନ୍ ପ୍ରିନସିପୁଲ୍’ ହୋଇଥିବାବେଳେ ସମ୍ବଲପୁରରେ ୫୧୫.୭୫କୋଟି ଟଙ୍କା ରହିଛି। ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ସବୁଠାରୁ କମ୍ ୩୬କୋଟି ଟଙ୍କାର ‘ଇମବାଲାନ୍ସ ଇନ୍ ପ୍ରିନସିପୁଲ୍’ ରହିଛି।
ସେହିପରି ନାବାର୍ଡ ତଥ୍ୟ ଅନୁଯାୟୀ, ୨୦୧୯ ମାର୍ଚ୍ଚ ୩୧ରେ ୧୯୫୦.୦୮କୋଟିର କୃଷିଋଣ ମୂଳଧନ ବାବଦ ଅର୍ଥ ଭାରସାମ୍ୟ ହରାଇଥିବାବେଳେ ୨୦୨୦ରେ ଏହା ବଢ଼ି ୨୩୪୩.୯୭କୋଟି ଟଙ୍କାରେ ପହଞ୍ଚିଛି। ୨୦୨୧ ବେଳକୁ ଏହା ୨୯୭୪.୩୮କୋଟି ଟଙ୍କା ରହିଥିବାବେଳେ ଏବେ ଭାରସାମ୍ୟ ପୂରା ବିଗିଡ଼ି ଯାଇଛି। ୨୦୧୯ ରେ ରାଜ୍ୟରେ ୧୯୫୦କୋଟି ମୂଳଧନର ହିସାବ ନ ଥିବାବେଳେ ଏବେ ଏହି ପରିମାଣ ୩୬୪୬ କୋଟିରେ ପହଞ୍ଚିଛି। ୪ଟି ବ୍ୟାଙ୍କରେ କୃଷିଋଣ ମୂଳରାଶି ଶତାଧିକ ଗୁଣ ଭାରସାମ୍ୟ ହରାଇ ସାରିଲାଣି। ସେଥିମଧ୍ୟରେ ବଲାଙ୍ଗୀର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୨୬୮.୪୦ପ୍ରତିଶତ ଭାରସାମ୍ୟ ହରାଇଥିବାବେଳେ ଭବାନୀପାଟଣାରେ ୨୬୧.୪୨ପ୍ରତିଶତ, ସମ୍ବଲପୁରରେ ୧୩୯.୩୧ପ୍ରତିଶତ, କୋରାପୁଟରେ ୧୦୧.୬୪ପ୍ରତିଶତ ଗତ ମାର୍ଚ୍ଚ ସୁଦ୍ଧା ରହିଥିବା ବୈଠକରୁ ଜଣାଯାଇଥିଲା।
ସମବାୟ ବ୍ୟାଙ୍କରେ ୩୬୪୬ କୋଟିର ହିସାବ ନାହିଁ
Popular Categories



