www.samajalive.in
Wednesday, December 10, 2025
26.1 C
Bhubaneswar

ବିକ୍ରି ହେଉଛି ଗ୍ରାହକଙ୍କ ତଥ୍ୟ : ସାଇବର ଠକଙ୍କୁ ମେଲ୍‌ କରୁଛନ୍ତି ଏଜେନ୍ସି

କଟକ : ସପିଂମଲରୁ ଚୋରି ହେଉଛି ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ। ଯାହାକୁ ଖୁବ୍‌ ସହଜରେ ହାସଲ କରି ନେଉଛନ୍ତି ସାଇବର ଅପରାଧୀ। ପରେ ଠକ ଦଳ ଏକା ସାଙ୍ଗେ ବହୁ ଗ୍ରାହକଙ୍କ ସହ ଯୋଗାଯୋଗ କରି ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଠକି ନେଉଛନ୍ତି। ଏହା ପଛରେ ଏକ ବଡ଼ ଅପରାଧିକ ଦଳ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଓଡ଼ିଶାରେ ଏହି ରାକେଟ୍‌ ସକ୍ରିୟ ରହିଛି । ଟଙ୍କା କମାଇବା ପାଇଁ ସାଇବର ଅପରାଧୀଙ୍କୁ ଏଜେଣ୍ଟମାନଙ୍କ ଜରିଆରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି କରାଯାଉଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ସପିଂମଲ ଭଳି ଅନ୍ୟାନ୍ୟ ବଡ଼ ବଡ଼ ଘରୋଇ ସଂସ୍ଥାଗୁଡ଼ିକରେ ଗ୍ରାହକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ ଉଠିଛି। କ୍ରାଇମ୍‌ବ୍ରାଞ୍ଚ ଏପରି ସାଙ୍ଘାତିକ ଅପରାଧିକ କାର୍ଯ୍ୟକଳାପ ସଂକ୍ରାନ୍ତରେ ଜାଣିବା ପରେ ଏହାକୁ ରୋକିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛି।
ପ୍ରତିଦିନ ବହୁ ଲୋକେ ସପିଂମଲରେ ବିଭିନ୍ନ ସାମଗ୍ରୀ କ୍ରୟ କରୁଥାନ୍ତି। ସପିଂମଲ କର୍ମଚାରୀମାନେ ଗ୍ରାହକଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡି ସଂଗ୍ରହ କରି ରଖିଥାନ୍ତି। ଏହା ଦ୍ବାରା ସେମାନେ ଉକ୍ତ ବ୍ୟାବସାୟିକ ପ୍ରତିଷ୍ଠାନର ବିଜ୍ଞାପନ ଓ ଅଫର ସମ୍ପର୍କିତ ବାର୍ତ୍ତା ସିଧାସଳଖ ଗ୍ରାହକଙ୍କୁ ପହଞ୍ଚାଇଥାନ୍ତି। ଗ୍ରାହକମାନେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ପରେ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି। ସାଇବର ଅପରାଧୀମାନେ ଖୁବ୍‍ ସହଜରେ ବହୁ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡି ହାସଲ କରି ନେଉଛନ୍ତି। ଅଧିକାଂଶ ସପିଂମଲ କିମ୍ବା ବିଭିନ୍ନ ଘରୋଇ ସଂସ୍ଥା ଗୁଡ଼ିକରେ ବିଭିନ୍ନ ଏଜେନ୍ସି ଦ୍ବାରା ବିଜ୍ଞାପନ ଓ ପ୍ରସାର କାର୍ଯ୍ୟ ପରିଚାଳିତ ହୋଇଥାଏ। ଏହି ଏଜେନ୍ସି ଗୁଡ଼ିକ ଲକ୍ଷାଧିକ ଲୋକଙ୍କ ତଥ୍ୟ ନିଜ ପାଖରେ ରଖିଥାନ୍ତି। ଏମାନଙ୍କ ଉପରେ କାହାରି ନିୟନ୍ତ୍ରଣ ନଥାଏ। କେତେକ ଏଜେନ୍ସି ଟଙ୍କା ପାଇଁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। ନିକଟରେ ମୟୂରଭଞ୍ଜରୁ ଏକ ସାଇବର ଠକ ଦଳ ଗିରଫ ହୋଇଥିଲେ। ସେମାନେ ସିମ୍‌ ବକ୍ସ ବ୍ୟବହାର କରି ଏକାସାଙ୍ଗେ ହଜାର ହଜାର ଲୋକଙ୍କୁ ଫେକ୍‌ ବାର୍ତ୍ତା ଓ ଫୋନ୍‌ କଲ କରି ଲୁଟୁଥିଲେ। ସେମାନଙ୍କଠାରୁ ଜବତ ହୋଇଥିବା ଲାପଟପ୍‌ ଯାଞ୍ଚ କରିବା ପରେ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲାପଟପ୍‌ରେ ରହିଥିଲା। ତେବେ ସମସ୍ତ ତଥ୍ୟ ଥିବା ପିଡିଏଫ୍‌ ଫାଇଲ ମେଲକୁ ଆସିଥିଲା। ଏହାକୁ ଡାଉନ୍‌ଲୋଡ କରି ସାଇବର ଠକମାନେ ଲୋକଙ୍କ ସହ ଯୋଗଯୋଗ କରି ଠକୁଥିଲେ। ଉକ୍ତ ମେଲ ମୁମ୍ବଇର ଏକ ଏଜେନ୍ସିରୁ ଆସିଥିବା ଜଣାପଡିଛି। କିଛି ମାସ ତଳେ ଭୁବନେଶ୍ବରରୁ ଏକ ସାଇବର ଠକ ଦଳ ଧରାପଡ଼ିଥିଲେ। ସେମାନଙ୍କ ମୋବାଇଲରେ ବହୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ରହିଥିବା ଜଣାପଡ଼ିଥିଲା। ସେମାନେ କେଉଁଠାରୁ ଏତେ ଲୋକଙ୍କ ତଥ୍ୟ ହାସଲ କରୁଛନ୍ତି ଏହାର ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ମୁମ୍ବଇ ଲିଙ୍କ ମିଳିଥିଲା। ମୁମ୍ବଇରେ ସୁନ୍ଦରମ୍‌ ଚରଣ ନାମକ ଜଣେ ବ୍ୟକ୍ତି ମାର୍କେଟିଙ୍ଗ ଓ ବିଜ୍ଞାପନ ପ୍ରଦାନକାରୀ ସଂସ୍ଥା ଖୋଲିଥିଲା। ସେ ଲୋକଙ୍କୁ ମେସେଜ୍‌, ଅଡିଓ କଲ, ମେଲ, ହ୍ବାଟ୍ସଆପ୍‌, ଫେସବୁକ ଜରିଆରେ ବିଭିନ୍ନ ସପିଂମଲ ଓ ଘରୋଇ ସଂସ୍ଥାର ବିଜ୍ଞାପନ ଓ ପ୍ରସାର କରୁଥିଲା। ସେଠାରୁ ସଂଗ୍ରହ କରୁଥିବା ଜନସାଧାରଣଙ୍କ ବ୍ୟକ୍ତିଗତ ତଥ୍ୟ ଟଙ୍କା ପାଇଁ ସାଇବର ଠକଦଳଙ୍କୁ ବିକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। ବହୁ ସଂସ୍ଥା ସପିଂମଲ ଭଳି ଅନ୍ୟାନ୍ୟ ବ୍ୟବସାୟିକ କେନ୍ଦ୍ରର ପ୍ରସାର ଦାୟିତ୍ବ ନେଇଥିବା ବେଳେ ସେମାନେ ମଧ୍ୟ ଏପରି ବ୍ୟକ୍ତିଗତ ତଥ୍ୟ ବିକ୍ରି କରୁଛନ୍ତି। କିପରି ଜନସାଧାରଣଙ୍କ ତଥ୍ୟ ଚୋରି ନହେବ ଓ ଏ ନେଇ ସଚେତନ ରହିବେ କ୍ରାଇମବ୍ରାଞ୍ଚ ଖୁବ୍‌ ଶୀଘ୍ର ମାର୍ଗଦର୍ଶିକା ଜାରି କରିବାକୁ ଯୋଜନା କରିଛି। ଅତ୍ୟାବଶ୍ୟକ ନଥିଲେ କୌଣସି ସ୍ଥାନରେ ନିଜର ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସଚେତନ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories