ମହଙ୍ଗା ପଡିଲା ଅନୁକମ୍ପା, ଓପିଏସସିର ସହଯୋଗୀ ପ୍ରଫେସର ଚୟନ ତାଲିକା ହାଇକୋର୍ଟରେ ରଦ୍ଦ
ଡେସ୍କ: କିଛି ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସି ଓଡିଶା ଲୋକସେବା ଆୟୋଗକୁ କୋର୍ଟଙ୍କ ନିର୍ଦ୍ଦେଶ ବଳବତ୍ତର ଥିବା ବେଳେ ସାକ୍ଷାତକାର ନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗତ ସୋମବାର ଦିନ ଓଡିଶା ହାଇକୋର୍ଟ ଓପିଏସସି ଦ୍ୱାରା ମନୋବିଜ୍ଞାନ ବିଷୟ ପାଇଁ ଚୂଡାନ୍ତ ସହଯୋଗୀ ପ୍ରଫେସରଙ୍କ ଚୟନ ତାଲିକାକୁ ରଦ୍ଦ କରିଛନ୍ତି। ବିଚାରପତି ଡଃ ସଂଜୀବ କୁମାର ପାଣିଗ୍ରାହୀ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗରେ ସହଯୋଗୀ ପ୍ରଫେସର ନିଯୁକ୍ତି ପାଇଁ ଓପିଏସସି ୨୦୨୧ ଫେବୃଆରୀ ୮ରେ ବିଜ୍ଞାପନ (ସଂଖ୍ୟା – ୦୦୮) ପ୍ରକାଶ କରିଥିଲେ। ଏହି ପଦବୀ ପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପରେ ଓପିଏସସି ପକ୍ଷରୁ ଆବଶ୍ୟକ ଶିକ୍ଷାଗତ ପ୍ରମାଣପତ୍ର ନ ଥିବା ଆଧାରରେ ୪୪ ଜଣ ଆବେଦନକାରୀଙ୍କ ପ୍ରତ୍ୟାଖାନ ତାଲିକା ମଧ୍ୟ ପ୍ରକାଶ କରିଥିଲେ। କିନ୍ତୁ ସେହି ତାଲିକାରେ ଥିବା ମୋନାଲିକା ରଥ ନାମକ ଜଣେ ଆବେଦନକାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ସ୍ୱରୂପ ସାକ୍ଷାତକାର ପାଇଁ ବିନା ନୋଟିସରେ ଇମେଲ ମାଧ୍ୟମରେ ଡାକିଥିଲେ ଓ ମୋନାଲିକା ରଥ ମଧ୍ୟ ସହଯୋଗୀ ପ୍ରଫେସର ଚୟନ ହୋଇଥିଲେ। ଏହାକୁ ନ୍ୟାୟାଳୟ ବେଆଇନ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ଏହି ପଦବୀ ପାଇଁ ହୋଇଥିବା ସାକ୍ଷାତକାର ବୋର୍ଡରେ ଚୟନ ହୋଇଥିବା ୩ ଜଣ ପ୍ରାର୍ଥୀ ପ୍ରିୟଙ୍କା ତିୱାରୀ, ସୁଦର୍ଶନ ବେହେରା ଓ ପ୍ରଭାକର ଦ୍ଵାରୀଙ୍କ ପିଏଚଡ଼ି ଗାଇଡ଼ ବିଶେଷଜ୍ଞ ରହିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ନିୟୁକ୍ତି ପ୍ରକ୍ରିୟାରେ ପକ୍ଷପାତର ସମ୍ଭାବନା ନିଯୁକ୍ତି ପ୍ରକ୍ରିୟାକୁ କଳୁଷିତ କରିବା ପାଇଁ ଯଥେଷ୍ଟ।
ସୂଚନାଯୋଗ୍ୟ ଯେ, ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଅନୁଯାୟୀ ଅଧ୍ୟାପକ ଚୟନ ପାଇଁ ଲିଖିତ ପରୀକ୍ଷାର ବ୍ୟବସ୍ଥା ଥିଲେ ମଧ୍ୟ ଆୟୋଗ ସମ୍ପୂର୍ଣ ନିଯୁକ୍ତି ପ୍ରକ୍ରିୟା କେବଳ ସାକ୍ଷାତକାର ଆଧାରରେ କରୁଛି ଯାହା ପକ୍ଷପାତିତାକୁ ପ୍ରଶ୍ରୟ ଦେଉଛି। ଏହି ମାମଲାରେ ଆଇନଜୀବୀ ଶାଶ୍ୱତ ଦାସ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିଲେ।
Comments are closed.