ରାଜ୍ୟପାଳଙ୍କୁ ଭେଟିଲେ ଶାସକ ବିଧାୟକ

ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗ

ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗକୁ ନେଇ ରାଜ୍ୟରେ ଦେଖାଯାଇଥିବା ରାଜନୈତିକ ଅସ୍ଥିରତା କ୍ରମରେ ଗୁରୁବାର ଶାସକ ବିଧାୟକଙ୍କ ପ୍ରତିନିଧି ଦଳ ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟିଛନ୍ତି। ରାଜଭବନରୁ ପ୍ରଘଟ ହେଉଥିବା ତଥ୍ୟକୁ ନେଇ ରାଜ୍ୟ ସରକାରରେ ଅସ୍ଥିରତା, ଦ୍ବନ୍ଦ୍ବ ଓ ଅନିଶ୍ଚିତତା ଦେଖାଯାଉଥିବାରୁ ବିଧାୟକ ପ୍ରତିନିଧି ଦଳ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ନିଜର ମତାମତ ସ୍ପଷ୍ଟ କରିବାକୁ ବିଧାୟକମାନେ ସ୍ମାରକପତ୍ର ପ୍ରଦାନ ପୂର୍ବକ ନିବେଦନ କରିଥିଲେ । ବିଧାୟକଙ୍କ ସାକ୍ଷାତ ପରେ ରାଜ୍ୟପାଳ ସ୍ପଷ୍ଟ କରିଥିଲେ ଯେ ନିର୍ବାଚନ ଆୟୋଗ (ଇସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପଦ ରଦ୍ଦ ସମ୍ପର୍କିତ ସୁପାରିସ ଚିଠି ମିଳିଛି । ଏ ପ୍ରସଙ୍ଗରେ ସେ ଆଇନଗତ ପରାମର୍ଶ ଲୋଡୁଛନ୍ତି। ଆଗାମୀ ଦୁଇଦିନ ମଧ୍ୟରେ ଏହାର ନିଷ୍ପତ୍ତି ଜଣାଇବେ। ତେବେ ଇସିଙ୍କ ସୁପାରିସକୁ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାର ଉତ୍ସ ରାଜଭବନ ନୁହେଁ ବୋଲି ରାଜ୍ୟପାଳ କହିଛନ୍ତି।
ଅନ୍ୟପଟେ ବିଧାୟକ ଦଳ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପଦ ରଦ୍ଦ ସତ୍ତ୍ବେ ରାଜ୍ୟ ସରକାରର ପତନ ହେବ ନାହିଁ। କାରଣ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଶାସକ ମେଣ୍ଟର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଛି। ଜେଏମ୍ଏମ-କଂଗ୍ରେସ-ଆରଜେଡିକୁ ନେଇ ଗଠିତ ମେଣ୍ଟ ସରକାରରେ ୪୯ ବିଧାୟକ ରହିଛନ୍ତି। ଲାଭଜନକ ପଦ (ଅଫିସ ଅଫ୍‌ ପ୍ରଫିଟ୍‌)ରେ ରହିବା ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ ହେମନ୍ତ ସୋରେନଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି। ଅଗଷ୍ଟ ୨୫ରେ ଇସି ଏହି ସୁପାରିସ କରିଥିବାବେଳେ ରାଜ୍ୟପାଳ ଏହା ଉପରେ ନିଷ୍ପତ୍ତି ନେଇ ନାହାନ୍ତି। ଏପରିକି ଇସିଙ୍କ ଏହି ସୁପାରିସ ସମ୍ପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କିମ୍ବା ସରକାରୀ ଭାବେ କିଛି କୁହାଯାଇ ନାହିଁ। ଫଳରେ ରାଜ୍ୟ ସରକାର ଓ ସୋରେନଙ୍କ ଭାଗ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଗୁରୁବାର ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ଶାସକ ବିଧାୟକ ଦଳର ୧୦ଜଣିଆ ପ୍ରତିନିଧି ମଣ୍ଡଳୀରେ ଜେଏମ୍ଏମ୍, କଂଗ୍ରେସ ଓ ଆରଜେଡିର ସଦସ୍ୟ ସାମିଲ ଥିଲେ। ସାକ୍ଷାତ ପରେ କଂଗ୍ରେସ ବିଧାୟକ ବନ୍ଧୁ ତିର୍କୀ କହିଥିଲେ ରାଜ୍ୟପାଳ ଦୁଇଦିନ ମଧ୍ୟରେ ନିଜର ନିଷ୍ପତ୍ତି ଜଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକ ପଦ ରଦ୍ଦ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ସୋରେନ ଇସ୍ତଫା ଦେବେ ନାହିଁ । ସୋରେନଙ୍କ ସଭ୍ୟ ପଦ ରଦ୍ଦ ସୁପାରିସ ସମ୍ପର୍କିତ ଖବର ପ୍ରଚାର ହେବା ପରେ ଶାସକ ମେଣ୍ଟର ବିଧାୟକଙ୍କୁ ବିଜେପିର ଘୋଡାବେପାରରୁ ଦୂରେଇ ରଖିବା ଲାଗି ନିୟମିତ ସ୍ଥାନାନ୍ତର କରାଯାଉଛି। ଶାସକ ବିଧାୟକଙ୍କୁ ବିଜେପିର ଯୋଗାଯୋଗରୁ ଦୂରେଇ ରଖିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।

kalyan agarbati

Comments are closed.