ଭୁବନେଶ୍ୱରରେ ଆଜିଠାରୁ ଜାତୀୟ ଓପନ ଦୌଡ଼କୁଦ
ଭୁବନେଶ୍ୱର : ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଏକବର୍ଷ ପରେ କଳିଙ୍ଗ ଷ୍ଟାଡ଼ିୟମ ୫୮ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତା ମଙ୍ଗଳବାରଠାରୁ ଆରମ୍ଭ ହେବ। ଓଡ଼ିଶା ସରକାର ଓ ଆଥ୍ଲେଟିକ ଫେଡ଼େରେଶନ ଅଫ ଇଣ୍ଡିଆ ଓ ଓଡ଼ିଶା ଆଥ୍ଲେଟିକ ଆସୋସିଏସନର ମିଳିତ ସହଯୋଗରେ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ଦେଶ ଓ ବିଦେଶର ମୋଟ ୮୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିପାଇଁ ସମସ୍ତ ଆଥ୍ଲେଟ୍ ସୋମବାର ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରବିବାର ୨୦୦ ପାଖାପାଖି ଆଥ୍ଲେଟ୍ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଅବଶିଷ୍ଟ ଆଥ୍ଲେଟ୍ ସୋମବାର ପହଞ୍ଚିଛନ୍ତି। ଏଥିସହିତ ନଭେମ୍ବରରେ ଖେଳାଯିବାକୁ ଥିବା ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରରେ ମିନି ଭାରତ ଭ୍ରମ ସୃଷ୍ଟିହୋଇଛି। ପ୍ରତିଯୋଗିତା ମଙ୍ଗଳବାର ସକାଳେ ୧୫୦୦ମିଟର ଦୌଡ଼ ପ୍ରାରମ୍ଭିକ ରାଉଣ୍ଡ ସହିତ ଆରମ୍ଭ ହେବ। ପ୍ରତିଯୋଗିତା ସକାଳ ୭ଟାରୁ ୯ଟା ୩୦ ଓ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖେଳାଯିବ। ନିକଟରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ାରେ ପଦକ ବିଜୟୀ ହୋଇଥିବା ଏକାଧିକ ଆଥ୍ଲେଟ୍ ଅଂଶଗ୍ରହଣ କରୁଥିବାବେଳେ ହିମା ଦାସ, ସ୍ୱପ୍ନା ବର୍ମନ, ନୀରଜ ଚୋପ୍ରା, ଦୂତି ଚାନ୍ଦଙ୍କ ଭଳି ଆଥ୍ଲେଟ୍ଙ୍କୁ ଦେଖିବାକୁ ମିଳିବନି। ଭାରତୀୟ ଆଥ୍ଲେଟଙ୍କ ସମେତ ୩ ଜାପାନୀ ଆଥ୍ଲେଟ୍ ହିଟୋମି ସିମୁଗୁ, ସୟୋଗା ଆରୋଗି ଓ ଟୋକିସି ପେନମି ମୁଖ୍ୟ ଆକର୍ଷଣ ରହିଛନ୍ତି। ହିଟୋମି ଓ ସୟୋଗା ୧୦୦ମିଟର ମହିଳା ହର୍ଡଲ୍ସରେ ଟୋକିସି ୪୦୦ ମିଟର ଦୌଡ଼ରେ ଭାଗନେବେ। ଓଡ଼ିଶା ଆଥ୍ଲେଟିକ୍ ଆସୋସିଏସନ ପକ୍ଷରୁ ଓଡ଼ିଶାରୁ ମୋଟ ୧୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି।
ଓଡ଼ିଶାର ପ୍ରତିଯୋଗୀ
ନିରଞ୍ଜନ ମହାନ୍ତି ୧୦୦ ଓ ୨୦୦ ମିଟର ଦୌଡ଼ ସହିତ ୪/୧୦୦ମିଟର ରିଲେ, ଆଶିଷ ପାତ୍ର ଲଙ୍ଗଜମ୍ପ ଓ ୪/୧୦୦ମିଟର ରିଲେ, ମନୋଜ କୁମାର ମହାରଣା ଡିସ୍କସ ଥ୍ରୋ, ମଳୟ ରଞ୍ଜନ ପତି ହାମ୍ମର ଥ୍ରୋ, ଅମୀୟ କୁମାର ମଲ୍ଲିକ ୧୦୦ ଓ ୨୦୦ମିଟର ଦୌଡ଼ ସହିତ ୪/୧୦୦ମିଟର ରିଲେ, ସୁଖଦେବ ମହାନ୍ତି ଡେକାଥଲନ୍, କୌଶଲ୍ୟ କୁମାର ନାୟକ ୪୦୦ମିଟର ହର୍ଡଲ୍ସ ଓ ୪/୧୦୦ମିଟର ରିଲେ, ଅଶୋକ ଦଣ୍ଡସେନା ୫୦୦୦ ଓ ୧୦୦୦୦ ମିଟର ଦୌଡ଼, ଅଭିଜିତ ସାହୁ ୧୦୦ମିଟର ଦୌଡ଼ ଓ ୪/୧୦୦ମିଟର ରିଲେ, ଚିନ୍ମୟ ରଞ୍ଜନ ଜେନା ଜାଭେଲିନ ଥ୍ରୋ, ହରି ବେହେରା ସଟ୍ପୁଟ୍, ରଞ୍ଜନ କୁମାର ସାହୁ ଡିସ୍କସ ଏବଂ ମହିଳା ବିଭାଗରେ ସମ୍ସାଦ ଆରା ବେଗମ୍ ୫୦୦୦ ଓ ୧୦୦୦୦ ମିଟର ଦୌଡ଼, ପାର୍ବତୀ ସେଠୀ ଡିସ୍କସ ଥ୍ରୋ, ଦିବ୍ୟା ସାଣ୍ଢିଲ୍ୟ ହାମ୍ମର ଥ୍ରୋ, ଉର୍ଜା ଭୂୟାଁ ହାମ୍ମର ଥ୍ରୋ। ଶୈଳେନ୍ଦ୍ର ପ୍ରସନ୍ନ ବର୍ମା କୋଚ ଓ ମ୍ୟାନେଜର।
ଆଜି (ମଙ୍ଗଳବାର)ଇଭେଣ୍ଟ
ସକାଳ ୭ଟା: ପୁରୁଷ ୧୫୦୦ମିଟର ରାଉଣ୍ଡ-୧, ୭ଟା୪୦: ୧୦୦ମିଟର ପୁରୁଷ ଡେକାଥଲନ୍ ରାଉଣ୍ଡ-୧, ୮ଟା: ପୁରୁଷ ୧୦୦ମିଟର ଦୌଡ଼ ରାଉଣ୍ଡ-୧, ସକାଳ ୮ଟା୧୦: ପୁରୁଷ ଡିସକସ ଥ୍ରୋ ରାଉଣ୍ଡ-୧, ୮ଟା୨୦: ପୁରୁଷ ଲଙ୍ଗଜମ୍ପ ଡେକାଥଲନ୍, ୮ଟା୩୦: ମହିଳା ୧୦୦ମିଟର ରାଉଣ୍ଡ-୧, ସକାଳ ୯ଟା୧୦: ପୁରୁଷ ଡିସକସ ଥ୍ରୋ ରାଉଣ୍ଡ-୨, ପୁରୁଷ ୪୦୦ମିଟର ଦୌଡ଼ ରାଉଣ୍ଡ-୧, ସକାଳ ୯ଟା୩୦: ପୁରୁଷ ସଟ୍ପୁଟ୍ ଡେକାଥଲନ୍ ରାଉଣ୍ଡ-୧, ସନ୍ଧ୍ୟା ୬ଟା: ପୁରୁଷ ୧୧୦ ମିଟର ହର୍ଡଲ୍ସ ରାଉଣ୍ଡ-୧, ୬ଟା ୩୦: ପୋଲଭଲ୍ଟ ପୁରୁଷ ଫାଇନାଲ, ୬ଟା୪୦: ମହିଳା ୧୦୦ ମିଟର ହର୍ଡଲ୍ସ ରାଉଣ୍ଡ-୧, ହାଇଜମ୍ପ ପୁରୁଷ ଡେକାଥଲନ୍, ରାତି ୭ଟା: ସଟ୍ପୁଟ ପୁରୁଷ ରାଉଣ୍ଡ-୧, ପୁରୁଷ ୧୦୦ମିଟର ଦୌଡ଼ ସେମିଫାଇନାଲ, ୭ଟା ୧୦: ଜାଭେଲିନ୍ ଥ୍ରୋ ମହିଳା ଫାଇନାଲ-୨, ୭ଟା ୩୦: ୧୦୦ମିଟର ମହିଳା ଦୌଡ଼ ସେମିଫାଇନାଲ, ରାତି ୮ଟା: ସଟ୍ପୁଟ୍ ପୁରୁଷ ରାଉଣ୍ଡ-୧, ପୁରୁଷ ୪୦୦ ମିଟର ଦୌଡ଼ ସେମିଫାଇନାଲ, ରାତି ୮ଟା ୧୫: ୧୦୦୦୦ ମିଟର ଦୌଡ଼ ପୁରୁଷ ଫାଇନାଲ-୪, ୮ଟା୨୦: ଟ୍ରିପଲ ଜମ୍ପ୍ ମହିଳା ଫାଇନାଲ-୩, ରାତି ୮ଟା ୫୫: ୧୦୦୦୦ ମିଟର ଦୌଡ଼ ମହିଳା ଫାଇନାଲ-୫, ରାତି ୯ଟା୪୦: ୪୦୦ମିଟର ଦୌଡ଼ ପୁରୁଷ ଡେକାଥଲନ୍।