ସବୁଥର ବକ୍ରିଦ୍ ପୂର୍ବରୁ ପଶୁ ବଜାରରେ ଗହଳି ଲାଗେ। ବଳିଦାନ ପାଇଁ ଦେଶର ପ୍ରତ୍ୟେକ ସହର ଓ ଗାଁ ଆଖପାଖରେ ବସିଥିବା ପଶୁବଜାରରୁ ମୁସଲମାନ ଧର୍ମାବଲମ୍ବୀମାନେ ଛେଳି, ମେଣ୍ଢା ଆଦି କିଣିଥାଆନ୍ତି ଓ ବକ୍ରିଦରେ ଏହାକୁ ବଳିଦାନ ଦେଇ ଏହି ପର୍ବ ପାଳନ କରିଥାଆନ୍ତି। ମାତ୍ର ଏଥର କରୋନା ପାଇଁ ସବୁ ପର୍ବ ଭଳି ବକ୍ରିଦ୍ ମଧ୍ୟ ଫିକା ପଡ଼ିଯିବ।
ମହାମାରୀ ସମୟରେ ଅଧିକ ଲୋକ ଏକାଠି ହେଲେ ବିପଦ ଥିବାରୁ ଦେଶର କେତେକ ସ୍ଥାନରେ ଅନ୍ଲାଇନରେ ପଶୁ କିଣାବିକା ହେଉଛି। କେତେକ ଅନ୍ଲାଇନ୍ ସାଇଟ୍ରେ ପଶୁ ବିକ୍ରି ହେଉଥିବା ବେଳେ ଆଉ କେତେକ ସାଇଟ୍ରେ ବଳିଦାନକୁ ଲାଇଭ୍ ଦେଖିବାର ଅଫର୍ ଦିଆଯାଉଛି। ଏହିପରି କିଛି ସାଇଟ୍ ଟଙ୍କା ନେଇ ବକ୍ରିଦ ଅବସରରେ ଅନ୍ଲାଇନ୍ ବଳିଦାନର ଆୟୋଜନ କରୁଛନ୍ତି।



