ଭୁବନେଶ୍ବର : ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଉଭୟ ସ୍ଥୂଳ ଓ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ବାସ୍ତବ ଉନ୍ନତି ଲାଭ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନା ପରେ କହିଛନ୍ତି । ରାଜୀବ୍ କୁମାର ଓ ତାଙ୍କ ଟିମ୍କୁ ଓଡ଼ିଶାରେ ସ୍ୱାଗତ କରିବା ଅବସରରେ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ନୀତି ଆୟୋଗ ସକରାତ୍ମକ ପଦକ୍ଷେପ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ରାଜ୍ୟରେ ବିଭିନ୍ନ କ୍ଷେତ୍ର ଓ ନିରନ୍ତର ବିକାଶକୁ ଆଗକୁ ନେବା ଦିଗରେ ନୀତି ଆୟୋଗ ଯେଉଁ ସହଯୋଗ ଯୋଗାଇ ଦେଉଛି, ତାହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହାକୁ ଜାରି ରଖିବା ଲାଗି ମୁଖ୍ୟମନ୍ତ୍ରୀ ନୀତି ଆୟୋଗର ସହଯୋଗ କାମନା କରିଛନ୍ତି । ମାଓବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ଅର୍ଥନୈତିକ ସଶକ୍ତୀକରଣ କରିବା ଦିଗରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଦ୍ୱାରା ସଫଳତା ହାସଲ କରାଯାଇପାରିଛି । ସେ କହିଛନ୍ତି, ରାଜ୍ୟ ସରକାର ତା’ର ନିଜସ୍ୱ ସ୍ୱାସ୍ଥ୍ୟ ସୁନିଶ୍ଚିତ ଯୋଜନା ଆଣିପାରିଛି । ଏହାଦ୍ୱାରା ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇଥିବା ହସ୍ପିଟାଲରେ ଲୋକମାନଙ୍କୁ ନଗଦ ବିହୀନ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।
ସେହିପରି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ବ୍ୟାଙ୍କ୍ ଜମାଖାତାକୁ ଅର୍ଥ ହସ୍ତାନ୍ତର କରାଯିବା ଦିଗରେ ରାଜ୍ୟ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇପାରିଛନ୍ତି । ଭିତ୍ତିଭୂମି ଉନ୍ନତି ଏବଂ ନିର୍ମାଣ ଓ ଖଣିଭିତ୍ତିକ ଶିଳ୍ପ ସ୍ଥାପନ ଦିଗରେ ପୁଞ୍ଜିପତିମାନଙ୍କୁ ରାଜ୍ୟ ଆକୃଷ୍ଟ କରିବାରେ ଲାଗିଛି । ରାଜ୍ୟ କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲେ ମଧ୍ୟ ତାହାକୁ ପ୍ରତିହତ କରିବା ଦିଗରେ ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ଏହି ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାଜ୍ୟ ସରକାର ମୁଣ୍ଡପିଛା ଆୟ ବୃଦ୍ଧି, କୃଷିକ୍ଷେତ୍ରରେ ଉନ୍ନତି ଏବଂ ବିତ୍ତୀୟ ନିଅଣ୍ଟକୁ ୫ ପ୍ରତିଶତ ତଳେ ରଖିପାରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ଦ୍ଦିଷ୍ଟ ବିକାଶମୂଳକ କାର୍ଯ୍ୟରେ ଉନ୍ନତି ଆଣିବା ଦିଗରେ ନୀତି ଆୟୋଗ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ରାଜୀବ କୁମାର କହିଛନ୍ତି ।
ରାଜ୍ୟର ନିରନ୍ତର ବିକାଶକୁ ଆଗେଇ ନେବାରେ ନୀତି ଆୟୋଗର ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
Popular Categories



