ଛାତ୍ର ହଜିଛି
ସତ୍ୟବାଦୀ, ୨୩।୧୨।୩୩:ବୀର ରାମଚନ୍ଦ୍ରପୁର ନିବାସୀ ମୁରାରୀ ମିଶ୍ରଙ୍କ ପୁତ୍ର ଗୋପୀନାଥ ମିଶ୍ର, ବୟସ ୧୮ ବର୍ଷ। ଚଳିତମାସ ୨୦ତାରିଖ ବୁଧବାର ଦିନ ସ୍କୁଲକୁ ଦରମା ଦେବାକୁ ଆସି କେଉଁ ଆଡ଼େ ଚାଲିଯାଇଛି। ତାହାର ବର୍ଣ୍ଣ କିଞ୍ଚିତ୍ ଗୋରା, କପାଳରେ ଘା’ ଚିହ୍ନ ଅଛି, ଡାହାଣ ଗୋଡ଼ ଅଳ୍ପ ଗୋଦର। ସତ୍ୟବାଦୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼େ। ଏ ବର୍ଷ ମାଇନର୍ ପରୀକ୍ଷା ଦେବାକୁ ଯାଇପାରିନଥିଲା। ତାହାର ଅନୁସନ୍ଧାନ ନେଇ ସତ୍ୟବାଦୀ ସ୍କୁଲ୍ ହେଡମାଷ୍ଟରଙ୍କ ନିକଟକୁ ଖବର ଦେଲେ, ବାଳକର ପିତା ତାକୁ ଘେନିଆସିବେ ଓ ଅନୁସନ୍ଧାନକାରୀଙ୍କୁ ୫୧ଟଙ୍କା ପୁରସ୍କାର ଦେବେ।
ଦିନରେ ଦୁଇଥର ବ୍ୟୋମଯାନ
ରମ୍ଭା(ଗଞ୍ଜାମ), ୨୩।୧୨।୩୩: ଗୋଟିଏ ବ୍ୟୋମାଯାନ ଠିକ୍ ଦିନ ବାରଟାବେଳେ ଥରେ ଦକ୍ଷିଣରୁ ଉତ୍ତର ଦିଗ ପ୍ରତି ଏବଂ ଚାରିଟାବେଳେ ଉତ୍ତର ଦିଗରୁ ଦକ୍ଷିଣ ଦିଗ ପ୍ରତି ଦୁଇଥର ଯାତ୍ରା କଲା। ରମ୍ଭା ଉପରେ ଦୁଇଥର ବୁଲି ପୁଣି ସମୁଦ୍ର ତଟ ଆଡ଼କୁ ଗତି କରିବା ଦେଖାଗଲା।ଦିନ ଭିତରେ ଦୁଇଥର ଆସି ରମ୍ଭା ଉପରେ ବୁଲିଯିବା କାରଣ ଜଣାଯାଉନାହିଁ।
ମହାତ୍ମାଜୀଙ୍କ ଘରେ ସୈନ୍ୟ ରହିବ
ମୁନ୍ସିଗଞ୍ଜ,ତା୨୧।୧୨।୩୩: ମହାତ୍ମାଜୀ ତାଙ୍କର ବଙ୍ଗଦେଶ ଗସ୍ତ ସମୟରେ ବିକ୍ରମପୁର ଜମିଦାର୍ ଶ୍ରୀଯୁକ୍ତ ଦେବୀଚରଣ ରାୟଙ୍କ ଘରେ ରହିବାର ଥିଲା।ବର୍ତ୍ତମାନ ଜଣାଯାଇଛି ଯେ ସେ ଘରେ ନରଉଇଚ ରେଜିମେଣ୍ଟର କେତେକ ସୈନ୍ୟ ସେମାନଙ୍କର ଶୀତଦିନିଆ ଗସ୍ତ ସମୟରେ ରହିବେ।
ଆସେମ୍ବ୍ଲିରେ ନୂଆ ଶୁଳ୍କ ଆଇନ
ଦିଲ୍ଲୀ, ତା୨୨।୧୨।୩୩: ସରକାରଙ୍କ ବାଣିଜ୍ୟ ମନ୍ତ୍ରୀ ସାର୍ ଯୋଶେଫ୍ ଭୋର୍ ଶୁଳ୍କ ଆଇନର ପରିବର୍ତ୍ତନ ଆଣିବା ପାଇଁ ଆସେମ୍ବ୍ଲିରେ ପ୍ରସ୍ତାବ ଆଗତ କରିଛନ୍ତି।ଭାରତର ଅନେକ କ୍ଷୁଦ୍ର ଶିଳ୍ପକୁ ବିଦେଶୀ ପ୍ରତିଯୋଗିତାରୁ ରକ୍ଷା କରିବା ପାଇଁ ଏହା କରାଯାଉଛି ବୋଲି ସେ ଘୋଷଣା କଲେ। ସାର୍ ଯୋଶେଫ୍ କହିଲେ ଯେ ଗଲା ବର୍ଷ ଭାରତର କେତେକ ଶିଳ୍ପ ଉପରେ ବିଦେଶୀ ପ୍ରତିଯୋଗିତା ଘୋର୍ ବିପଦ ଜନ୍ମେଇଛି। ସେସବୁ ତିଷ୍ଠି ରହିବା ବଡ଼ କଷ୍ଟକର।



