ଆଜି ଓଜେଇଇ ଫଳ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରିଚାଳିତ ବିଭିନ୍ନ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରେ ଫଳ ପ୍ରକାଶ କରାଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆନୁଷ୍ଠାନିକ ଭାବେ ଫଳ ଘୋଷଣା କରିବେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍.କେ ଚାନ୍ଦ କହିଛନ୍ତି।
ଛାତ୍ରଛାତ୍ରୀ ଓଜେଇଇ ୱେବ୍ସାଇଟ୍ (www.ojee.nic.in)କୁ ଲଗ୍ଇନ କରି ଫଳ ଦେଖିପାରିବେ । ଏହି ପରୀକ୍ଷା ଜୁଲାଇ ୪ରୁ ୮ ପର୍ଯ୍ୟନ୍ତ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହୋଇଥିଲା । ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା, ଏମ୍ସିଏ, ଏମ.ଏସ୍ସି(କମ୍ପ୍ୟୁଟର ସାଇନ୍ସ), ଏମ୍.ଟେକ, ଏମ୍.ଆର୍କ, ଏମ୍.ପ୍ଲାନ, ଏମ୍.ଫାର୍ମା, ବି.କ୍ୟାଟ୍, ଏମ୍ବିଏ, ଇଣ୍ଟ୍ରିଗ୍ରେଟେଡ ଏମ୍ବିଏ, ଲାଟେରାଲ ଫାର୍ମା, ଲାଟେରାଲ ଟେକ୍ (ବି.ଏସ୍ସି), ବି.କ୍ୟାଟ୍(ଫିଲ୍ମ ଏଡ଼ିଟିଂ), ଲାଟେରାଲ ଏଣ୍ଟ୍ରି ଏମ୍ବିଏ, ଲାଟେରାଲ ଟେକ୍ (ଡିପ୍ଲୋମା) ଏବଂ ବି.ଫାର୍ମା ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଖିଥିଲେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୫୮ ହଜାର ୯୧୮ ବିଦ୍ୟାର୍ଥୀ ପରୀକ୍ଷା ଦେବା ନିମନ୍ତେ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮୨.୫ ପ୍ରତିଶତ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ଓଜେଇଇ ପକ୍ଷରୁ କୁହାଯାଇଛି ।
Comments are closed.