QNETIC – Mobile

ଆସୁଛି ଦୁଇ ଲଘୁଚାପ, ୩ରୁ ବଢ଼ିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ଥିବାରୁ କାଁ ଭାଁ ବର୍ଷା ହେଉଛି। ବର୍ଷା ସ୍ବାଭାବିକ ହେଉ ନ ଥିବାରୁ ଚାଷୀ ଧାନ ଓ ତଳି ବୁଣାବୁଣି କରିବାକୁ ବର୍ଷାକୁ ଅପେକ୍ଷା କରି ବସିଛି। ଆହୁରି ଦିନେରୁ ଦୁଇଦିନ ଏଭଳି ପରିସ୍ଥିତି ଲାଗି ରହିବ ବୋଲି କୁହାଯାଉଛି; କିନ୍ତୁ ଜୁଲାଇ ୩ରୁ ଉପକୂଳ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଜିଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଜୁଲାଇ ୪ରୁ ୫ ତାରିଖ ବେଳକୁ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବା ବେଳେ ଦ୍ବିତୀୟ ସପ୍ତାହର ୧୧ରୁ ୧୨ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟିର ସମ୍ଭାବନା ରହିଛି। ପ୍ରଥମ ଲଘୁଚାପ ରାଜ୍ୟରେ ଭଲ ବର୍ଷିବାର ସମ୍ଭାବନା କମ ଥିବାବେଳେ ଦ୍ବିତୀୟ ଲଘୁଚାପ ରାଜ୍ୟରେ ଭଲ ବର୍ଷା ଆଣିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ରାଜ୍ୟ ଉପରେ ଘୂର୍ଣ୍ଣିବଳୟ ଓ ନିମ୍ନଚାପରେଖା ସକ୍ରିୟ ନ ଥିବାରୁ ଏବେ ବିଶେଷ ବର୍ଷା ହେଉନାହିଁ। ଶୁକ୍ରବାର ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର, ଭଦ୍ରକ ଏବଂ ଯାଜପୁରରେ ସ୍ବଳ୍ପ ସମୟ ପାଇଁ ଝିପିଝିପି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳ ଏବଂ ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତିର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପରବର୍ତ୍ତୀ ଦୁଇଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହିତ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

୪ ତାରିଖରେ ଦକ୍ଷିଣ, ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଜୁନରେ ଭଲ ବର୍ଷା ହୋଇ ନ ଥିବା ବେଳେ ଜୁଲାଇରେ ସାରା ରାଜ୍ୟରେ ମୌସୁମୀ ସ୍ବାଭାବିକରୁ ଅଧିକ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦକ୍ଷିଣ, ପଶ୍ଚିମ ଏବଂ ସୀମାନ୍ତବର୍ତ୍ତୀ ଜିଲାଗୁଡିକରେ ସ୍ବାଭାବିକରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ବାଭାବିକ ବର୍ଷିବ ମୌସୁମୀ। କୋରାପୁଟ, କଳାହାଣ୍ଡି, ଗଜପତି ଏବଂ ମୟୂରଭଞ୍ଜରେ ସ୍ବାଭାବିକରୁ ଅଧିକ ବର୍ଷା ହେବା ସମ୍ଭାବନା ୭୫% ରହିଛି। ବଲାଙ୍ଗୀର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ଏବଂ ବୌଦ୍ଧରେ ସ୍ବାଭାବିକରୁ ଅଧିକ ବର୍ଷାର ସମ୍ଭାବନା ୩୫%ରୁ ୪୫% ରହିଛି। ଉତ୍ତର ଆଭ୍ୟନ୍ତରୀଣର କେତେକ ଅଞ୍ଚଳରେ ନିଅଣ୍ଟିଆ ବର୍ଷାର ସମ୍ଭାବନା ୩୫%ରୁ ୪୫% ରହିଥିବା ବେଳେ ବାକି ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଗୋଟିଏ ସପ୍ତାହ ବିଳମ୍ବରେ ଆସିଥିଲା। ମୌସୁମୀ ଅବଧି ୪ମାସରୁ ପ୍ରଥମ ମାସ ଜୁନରେ ସ୍ବାଭାବିକ ବର୍ଷା ୨୦୯ ମିମି ଠାରୁ ୨୨% କମ୍ ଅର୍ଥାତ୍ ୧୬୩.୭ମିମି ବର୍ଷା ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି ଏବଂ ବୌଦ୍ଧରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଦେବଗଡ଼ରେ ସ୍ବାଭାବିକରୁ ୬୫% ଅଧିକ ବର୍ଷିଛି। କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡ଼ାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି। ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ୪୦%ରୁ ୫୯% ରହିଛି। କଳାହାଣ୍ଡି ଓ ରାୟଗଡ଼ାରେ ୬୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ପାଣିପାଗ ବିଶେଷଜ୍ଞ ଶ୍ରୀ ପଶୁପାଳକ କହିଛନ୍ତି, ବର୍ତ୍ତମାନ ମୌସୁମୀ ରାଜ୍ୟରେ ନିଷ୍କ୍ରିୟ ରହିଥିବା ବେଳେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହୋଇପାରେ। ୪ତାରିଖ ବେଳକୁ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଓଡ଼ିଶା ଉପକୂଳ ଓ ତା’ପରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ ଓ ଉତ୍ତର ପ୍ରଦେଶ ଉପରେ ଗତି କରିବାର ସମ୍ଭାବନା ରହିଛି। ଏହାଫଳରେ ୫ରୁ ୭ତାରିଖ ଭିତରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ଜୁଲାଇ ଦ୍ବିତୀୟ ସପ୍ତାହ ୧୧ରୁ ୧୨ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଦ୍ବାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା କରାଇବ। ଉପକୂଳରେ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ରହିବ। ଜୁଲାଇରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ; କିନ୍ତୁ ଜୁନର ନିଅଣ୍ଟିଆ ବର୍ଷା ଜୁଲାଇରେ ଭରଣା ହେବା ସମ୍ଭାବନା କମ ବୋଲି ସେ କହିଛନ୍ତି।

Comments are closed.