ଓଡ଼ିଆ ଗଜପତିଙ୍କ ବୀରତ୍ୱର ଗାଥା ‘ଆହେ ନୀଳ ଶୈଳ’ ଦର୍ଶକଙ୍କୁ ଦେଇଛି ଅନନ୍ୟ ଅନୁଭୂତି

ନୂଆଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ପର୍ବ-୨୦୨୩

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁଣି ଝଲସିଲା ଓଡ଼ିଆ କଳାକୃତୀର ଝଲକ। ଗୁଞ୍ଜରିତ ହେଲା ଓଡ଼ିଆ ଗଜପତିଙ୍କ ବୀରତ୍ୱର ଗାଥା। ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ମହକ ନେଇ ଦିଲ୍ଲୀରେ ଆରମ୍ଭ ହୋଇଛି ଓଡ଼ିଶା ପର୍ବ-୨୦୨୩। ଓଡ଼ିଆ ସମାଜ, ନୂଆଦିଲ୍ଲୀ ତରଫରୁ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ତିନିଦିନିଆ ମହୋତ୍ସବରେ ସମ୍ମାନିତ ଅତିଥି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସିଦ୍ଧାର୍ଥ ପ୍ରଧାନ, ସଭାପତି, ଓଡ଼ିଆ ସମାଜ, ପ୍ରକାଶ ସାହୁ ଓ ସନ୍ଦୀପ ମହାପାତ୍ର, ଟ୍ରଷ୍ଟି, ଓଡ଼ିଆ ସମାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭ ଉଦଘାଟନ କରିଥିଲେ।

ଶ୍ରୀ ଟୁଡୁ ପ୍ରଥମ ଥର ପାଇଁ ଏହି ଉତ୍ସବରେ ସାମିଲ ହୋଇପାରିଥିବାରୁ ସେ ଗର୍ବିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶାର ଇତିହାସ ସମ୍ବନ୍ଧରେ ଅବଲୋକନ କରି ଅର୍ଥନୈତିକ ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାଜ୍ୟର ସମସ୍ତ ଜିଲାର ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ମୟୂରଭଞ୍ଜ ରୁ ମାଲକାନଗିରି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଏକତା ଓ ବରିଷ୍ଠତା ଆଜି ପ୍ରତିପାଦିତ ହୋଇପାରିଛି। ଓଡ଼ିଶାର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଶାର ସେହି ଅତୀତକୁ ଆଗେଇ ନେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ଚାଲିବା ଉଚିତ ଯଦ୍ୱାରା ପର୍ଯ୍ୟଟନ ଶିଳ୍ପ, ଆଦିବାସୀ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ସ୍ୱାଗତ ସମ୍ଭାଷଣରେ ଓଡ଼ିଶା ପର୍ବ ୨୦୨୩ ଦିଲ୍ଲୀବାସୀଙ୍କୁ ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟକୁ ନୂଆରୂପରେ ଭେଟି ଦେଇଥିବା କହିଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ପର୍ବ ଅବସରରେ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶାର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିବା କହିଛନ୍ତି ଶ୍ରୀ ପ୍ରଧାନ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି. କିଷାନ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ।

ଉଦଘାଟନୀ ଉତ୍ସବରେ ଚକଲେଟ ପ୍ରଡକ୍ସନ ଦ୍ୱାରା ଥିଏଟର ନାଟକ ‘ଆହେ ନୀଳ ଶଇଳ’ ମଞ୍ଚସ୍ଥ କରାଯାଇଥିଲା। ପୁରୀ ଗଜପତିଙ୍କ ବୀରତ୍ୱର ଗାଥା ଦିଲ୍ଲୀବାସୀଙ୍କୁ ଆକର୍ଷିତ କରିଥିଲା। ମୁସଲିମ ଶାସକ ନାଏବ୍ ନାଜ୍ଜିମଙ୍କ ଲୋଲୁପ ଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କୁ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା, ଏବଂ ସେସବୁ କୁ ସେ ଧୈର୍ଯ୍ୟ ଓ ବୀରତ୍ୱର ସହ ମୁକାବିଲା କରିଥିଲେ ତାହାକୁ ନାଟକରେ ଦର୍ଶାଯାଇଛି । ନାଟକର କଳାକାରଙ୍କ ନିଚ୍ଛକ ଅଭିନୟ ଦିଲ୍ଲୀସ୍ଥିତ ପ୍ରବାସୀ ଓଡ଼ିଆଙ୍କ ସମେତ ଅଣଓଡ଼ିଆ ଦର୍ଶକଙ୍କ ମନକୁ ମଧ୍ୟ ଆତ୍କୃଷ୍ଟ କରିଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ସମାଜ ଟ୍ରଷ୍ଟି ଶ୍ରୀ ସନ୍ଦୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତ ବର୍ଷ ଓଡ଼ିଶା ପର୍ବ ୨୦୨୩ ର ବିଷୟ ବସ୍ତୁ ରହିଛି ‘ଅନନ୍ୟ ଓଡ଼ିଶା’। ଜାତୀୟ ସ୍ତରରେ ଓଡ଼ିଆ ଜାତିର ଦୃଢତା, ଭାବ, ଏକୀକୃତାକୁ ଦର୍ଶାଇବା ତଥା ଓଡ଼ିଆ ଜାତିର ଗୌରବକୁ ବିଶ୍ୱ ଦରବାରରେ ପରିଚିତ କରାଇବା ହେଉଛି ଏହି ‘ଅନନ୍ୟ ଓଡ଼ିଶା’ର ଉଦ୍ଦେଶ୍ୟ। ଏହି ବିଷୟ ବସ୍ତୁକୁ ନେଇ ଓଡ଼ିଆ ସମାଜ ପକ୍ଷରୁ ଏକ ରଚନା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ବିଜୟୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓଡ଼ିଶା ପର୍ବରେ ସାମିଲ ହେବା ସହ ରାଜଧାନୀ ଦିଲ୍ଲୀ ଭ୍ରମଣର ସୁଯୋଗ ପାଇଛନ୍ତି।

ଏହା ବ୍ୟତୀତ ଓଡ଼ିଶାର ଗ୍ରାମାଞ୍ଚଳରୁ ଦିଲ୍ଲୀ ଯାଇଥିବା ଚାଷୀମାନେ ଏକ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ଓଡ଼ିଶା ଅସ୍ମିତା, ଓଡ଼ିଶା ସ୍ୱାଭିମାନ ଓ ଓଡ଼ିଶା ସ୍ୱାବଲମ୍ବନ କନ୍କ୍ଲେଭ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କନ୍କ୍ଲେଭର ‘ଓଡ଼ିଶା ଅସ୍ମିତା’ ଆଲୋଚନାରେ ଜାତୀୟ ସଂସ୍ମାରକ ପ୍ରାଧିକରଣ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଦିପ୍ତୀ ରଞ୍ଜନ ପଟ୍ଟନାୟକ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଓ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ୍ ପୁରୀ ସର୍କଲ ଦେବୀ ଗଡ଼ନାୟକ, ରେଭେନ୍ସା କଲେଜର ଅବସରପ୍ରାପ୍ତ ପ୍ରଫେସର ଗୌରାଙ୍ଗ ଚରଣ ଦାସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମୌସୁମୀ ସାହୁ, ସ୍ତମ୍ଭକାର ଅନୀତା ସାବତ ପ୍ରମୁଖ ଯୋଗଦେଇ ଓଡ଼ିଶା ଅସ୍ମିତା ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ।

ଏହା ବ୍ୟତୀତ ଓଡ଼ିଶାର ବିଭିନ୍ନ ଜିଲାର ସୁସ୍ୱାଦୁ ବ୍ୟଞ୍ଜନ ରହିଛି ଉତ୍ସବରେ ଅନନ୍ୟ ଆକର୍ଷଣର କେନ୍ଦ୍ର। ଏଥିରେ କଟକର ଦହିବରା, ଚାଟ, ଗୁପଚୁପ୍୍, ପାହାଳ ରସଗୋଲା, ପୁରୀ ଜିଲାର ମହାପ୍ରସାଦ ଭୋଗ , ବାରିପଦାର ମୁଢିମାଂସ, ମସଲା ଚା’ ଆଦି ଓଡ଼ିଶାର ପାରମ୍ପରିକ ପିଠା, ମିଠା ଓ ଚଟପଟା ଖାଦ୍ୟର ବିଭିନ୍ନ ଷ୍ଟଲ ରହିଛି , ଯାହା ଓଡ଼ିଆ ତଥା ଅଣଓଡ଼ିଆଙ୍କୁ ପେଟପୂଜାର ଖୋରାକ ଯୋଗାଉଛି।

କେବଳ ସେତିକି ନୁହେଁ ଓଡ଼ିଶାର ଅନନ୍ୟ ତଥା ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତକଳାର ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ପର୍ବ ପରିସରରେ ପଡିଛି ଅନେକ ଷ୍ଟଲ । ଏହି ସମସ୍ତ ଷ୍ଟଲରେ ଦେଖିବାକୁ ମିଳିଛି ରାଜ୍ୟର ନିଖୁଣ ତଥା ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବିଭିନ୍ନ ସୌଖୀନ ତଥା ଘର ସାଜସଜ୍ଜାଠାରୁ ଆରମ୍ଭ କରି ପଟ୍ଟଚିତ୍ର, ଝୋଟ, କାଠ, ସବାଇ ଘାସ, ଢୋକରା, ରୂପା ତାରକସିରେ ନିର୍ମିତ ସୁନ୍ଦର ସୁନ୍ଦର ସାମଗ୍ରୀ ମିଳୁଛି । ଏଥିସହ ମନଲୋଭା ଓ ଆକର୍ଷଣୀୟ ହାତବୁଣା ସୋନପୁର ଶାଢି, ଟସର ସିଲ୍କ, ଓଡ଼ିଶାର ପାରମ୍ପରିକ ବସ୍ତ୍ର ପ୍ରତି ଆଗନ୍ତୁକ ଆକୃଷ୍ଟ ହେଉଛନ୍ତି।

Comments are closed.