ଆରଡି : ରାଜ୍ୟ ଅନନ୍ୟ ଶୈବକ୍ଷେତ୍ର ଆରଡିଧାମକୁ ଆଗନ୍ତୁକ ଭକ୍ତ ଯେପରି ସୁଗମ ଭାବେ ଯାତାୟତ କରିବେ ସେଥିପାଇଁ କୁଆଖିଆ_ ଆଖଣ୍ଡଳମଣି ପୀଠ ଯାଏଁ ୨୦ନଂ ଜାତୀୟ ରାଜପଥ ରହିଛି। ଏହି ରାସ୍ତାର ଆରଡିପୀଠ ପ୍ରବେଶ ପଥ ବାଇପାସ ଠାରୁ ଚାରିଛକ ପର୍ଯ୍ୟନ୍ତ ଦୀର୍ଘବର୍ଷ ହେବ ଅତି ଶୋଚନୀୟ ହୋଇ ପଡିବା ସହ ଖାଲଖମା ସୃଷ୍ଟି ହୋଇଥିଲା। ଏପରି ସମସ୍ୟା ବାବଦରେ ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇବା ପରେ ଜାତୀୟରାଜପଥ କଟକ ଡିଭିଜନ ପକ୍ଷରୁ ୨କୋଟି ଟଙ୍କା ବ୍ଯୟ ବରାଦ କରାଯାଇ ଏବେ ଉକ୍ତ ରାସ୍ତାର ନବୀକରଣ କରାଯାଉଛି। ହେଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ନିମ୍ନମାନର କାର୍ଯ୍ଯ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ସବୁଠାରୁ ବଡକଥା ହେଲା କୋଟିକୋଟି ଟଙ୍କାର କାମ ହେଉଥିବା ବେଳେ ସୂଚନା ଫଳକଟିଏ ମଧ୍ଯ ଲଗିଯାଇନାହିଁ। ତାହାସହ ଲଗାଣବର୍ଷାରେ କାଦୁଅକାଦୁଅ ପଚପଚ ରାସ୍ତାକୁ ମାଟିମିଶା ବାଲି ପକାଇ ତରବରିଆ ଭାବେ ରାତି ଅର୍ଧରେ ଠିକାଦାର କାର୍ଯ୍ଯ କରିଚାଲିଛି। ଏ ବାବଦରେ ବିଭାଗୀୟ ଏସଡିଓ ଓ କନିଷ୍ଠଯନ୍ତ୍ରୀ ଜାଣି ମଧ୍ଯ ନିଦାବିଷ୍ଣୁ ସାଜିଥିବା ସ୍ଥାନୀୟ ଲୋକ କହିଛନ୍ତି। ଏପରିକି ରାସ୍ତା ଆରମ୍ଭର ଶେଷ ଯାଏଁ ଅଣ ଓସୋରିଆ ରାସ୍ତା ହୋଇଥିବାରୁ କେତେକ ପ୍ରଭାବଶାଳୀ ବ୍ଯକ୍ତି ରାସ୍ତାକୁ ଜବରଦଖଲ କରି ବାଡ ବସାଇବା ସହ କଂକ୍ରିଟ ପିଣ୍ଡି କରି ରଖିଥିବାରୁ ପୀଠକୁ ଆସୁଥିବା ଭକ୍ତଙ୍କ ଗାଡି ସହ ସ୍ଥାନୀୟ ଲୋକଙ୍କ ଗାଡି ଯାତାୟତରେ ପ୍ରତିଦିନ ବାଧକ ସାଜୁଛି।
ଫଳରେ ପ୍ରତି ସୋମବାର ଓ ବିଭିନ୍ନ ପର୍ବପର୍ବାଣୀରେ ଆଗନ୍ତୁକ ଭକ୍ତ ମଠଡିହ କୁଳେଇପଦା ଠାରୁ ଦୀର୍ଘ ୭\୮ କିମି ବୁଲି ମନ୍ଦିର ପାଖକୁ ଆସୁଛନ୍ତି। ଅନ୍ଯପଟେ କାର୍ଯ୍ଯରତ ଠିକାଦାର ଘରୋଇ ଜାଗାରେ ଜୋର ଜବରଦସ୍ତ କଂକ୍ରିଟ କରୁଥିବା ଜମି ମାଲିକ ଶେଷଦେବ ପାଢୀ, ଚନ୍ଦ୍ରକାନ୍ତ ପାଢୀ, କ୍ଷିରୋଦ ପାଢୀ ପ୍ରମୁଖ ଅଭିଯୋଗ କଲେ ଠିକାଦାର ନାଲି ଆଖି ଦେଖାଇବା ସହ ପୋଲିସ ଧମକ ଦେଉଛି। ଏପରି ସମସ୍ଯାର ଯଦି ସମାଧାନ ନହେବ ତାହାଲେ ଆଗାମୀ ଦିନରେ ଜମି ମାଲିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ରୋକଠୋକ କହିଛନ୍ତି। ନିମ୍ନମାନର କାର୍ଯ୍ଯ ଓ ସୂଚନାଫଳକ ବାବଦରେ ବିଭାଗୀୟ ଏସଡିଓଙ୍କୁ ପଚାରିବାରୁ ରାସ୍ତାରେ କଂକ୍ରିଟ ହେବା ପୂର୍ବରୁ ଉଭୟ ପାର୍ଶ୍ବରେ ସାଢେଚାରି ଫୁଟର ସୁରକ୍ଷା ପ୍ରାଚେରୀ ଉଠିବା ପରେ ବାଲି ଓ ମେଣ୍ଟାଲିଂ କରାଯାଇ ପରେ କଂକ୍ରିଟ କାର୍ଯ୍ଯ ହେବାର ବ୍ଯବସ୍ଥା ରହିଛି। ହେଲେ ଏପଟେ କନିଷ୍ଠଯନ୍ତ୍ରୀ ଓ ଠିକାଦାର କହିଛନ୍ତି ରାସ୍ତା ଅଣ ଓସାରିଆ ଓ ଗଛ ରହିଥିବାରୁ ସୁରକ୍ଷା ପ୍ରାଚେରୀ ଉଠାଯାଇପାରିବ ନାହିଁ । ତେଣୁ ଗଛମୂଳରେ କଂକ୍ରିଟ କରାଯାଇ ରସ୍ତା କାର୍ଯ୍ଯ କରାଯାଉଛି। ଯେଉଁ କାର୍ଯ୍ଯ ହେଉଛି ପଙ୍କ କାଦୁଅ ପାଣିରେ ସିମେଣ୍ଟ ଗୋଳାଯାଉଥିବା ବେଳେ ଗଛ ମୂଳରୁ ଚେର କଢାଯାଉନଥିବାରୁ ରାସ୍ତାର ସ୍ଥାୟୀତ୍ବକୁ ପ୍ରଶ୍ନ କରିଛନ୍ତି ବୁଦ୍ଧିଜିବୀ। ଏ ବାବଦରେ ଜାତୀୟରାଜପଥର ଉଚ୍ଚ ପ୍ରଦାଧିକାରୀ ଦୃଷ୍ଟି ଦେବା ସହ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।



