ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ପ୍ୟାକେଜ-୩ ଅର୍ନ୍ତଗତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ନିକଟରେ ଉଚ୍ଚତାସମ୍ପନ୍ନ ରେଲଓ୍ବେ ଓଭରବ୍ରିଜ ନିର୍ମାଣ କାମ ଚାଲିଛି। ଏଥିରେ ଶ୍ରମିକଙ୍କ ସୁରକ୍ଷା ସମ୍ପର୍କିତ ଶୀର୍ଷକ ଖବର ଗତ ୧ ତାରିଖରେ ‘ସମାଜ’ରେ ପ୍ରକାଶ ପାଇଥିଲା। ‘ସମାଜ’ରେ ଖବର ପ୍ରକାଶ ପାଇବାପରେ ନିର୍ମାଣ ଦାୟିତ୍ୱରେ ଥିବା ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରେଳ କର୍ତ୍ତୃପକ୍ଷ ଠିକାସଂସ୍ଥାକୁ କଡା ତାଗିଦ୍ ପରେ ବର୍ତମାନ ଶ୍ରମିକମାନେ ମୁଣ୍ଡରେ ହେଲମେଟ, ହାତରେ ଗ୍ଲବ୍ସ ଏବଂ ଦେହରେ ଜ୍ୟାକେଟ୍ ପିନ୍ଧି କାମକରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଉଚ୍ଚତାସମ୍ପନ୍ନ ବ୍ରିଜ୍ ନିର୍ମାଣବେଳେ ଶ୍ରମିକଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ତଳେ ସେଫ୍ଟି ନେଟ୍, ସେଫ୍ଟି ବେଲ୍ଟ ଭଳି ଆହୁରି ଅନେକ ଆନୁସାଙ୍ଗିକ ବ୍ୟବହାର କରାଯାଉ ନଥିବା ଦେଖିବାକୁ ମିଳିଛି। ଯେହେତୁ ସେଠାରେ ଚଳପ୍ରଚଳ ନାହିଁ ତେଣୁ ସେଫ୍ଟି ନେଟ୍ ଆବଶ୍ୟକ ନାହିଁ ବୋଲି କହିଛନ୍ତି ରେଳ କର୍ତ୍ତୃପକ୍ଷ। କାର୍ଯ୍ୟ ସମୟରେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି।
ପ୍ରକାଶ ଯେ, ପଶ୍ଚିମ ଓଡ଼ିଶାର ଲାଇଫ୍ଲାଇନ୍ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ପ୍ୟାକେଜ୍-୩ ଅର୍ନ୍ତଗତ ହରଭଙ୍ଗା ବ୍ଲକର ବଦଲାଠାରୁ କରଞ୍ଜକଟା ମଧ୍ୟରେ ସମସ୍ତ ଉଚ୍ଚତାସମ୍ପନ୍ନ ବ୍ରିିଜ ନିର୍ମାଣାଧୀନ ରହିଛି । ଚାରିଛକ-ହରଭଙ୍ଗା ପୂର୍ତ୍ତ ବିଭାଗ ରାସ୍ତାକୁ ରେଳପଥ ଅତିକ୍ରମ କରୁଥିବାରୁ କରଞ୍ଜକଟା ନିକଟରେ ବର୍ତମାନ ସୁଦୀର୍ଘ ରେଲଓ୍ବେ ଉଚ୍ଚତାସମ୍ପନ୍ନ ବ୍ରିଜ ନିର୍ମାଣାଧୀନ ରହିଛି । ଗୋଟିଏ ହାଏଲବୁଲ ବ୍ରିଜ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକ ଦିଆଯିବା କଡା ପ୍ରାବଧାନ ରହିଛି । ନିର୍ମାଣ କାମବେଳେ ଶ୍ରମିକଙ୍କ ସୁରକ୍ଷା ପାଇଁ ସୁରକ୍ଷା ଗ୍ଲାସଠାରୁ ଆରମ୍ଭ କରି ଗ୍ଲବ୍ସ, ଷ୍ଟିଲ ଟଏଡ୍ ବୁଟ୍, ସେଫ୍ଟି ବେଲ୍ଟ, ସେଫ୍ଟି ନେଟ୍ ଭଳି ଅନେକ ଆନୁସାଙ୍ଗିକ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାର ପ୍ରାବଧାନ ରହିଛି । ଏହି କ୍ଷେତ୍ରରେ ତଦାରଖ ପାଇଁ ଜଣେ ସୁରକ୍ଷା ଅଧିକାରୀଙ୍କ ଗୁରୁ ଦାୟିତ୍ୱ ରହିଛି । ଏହା ସହିତ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ଦୃଷ୍ଟି ଦେବାର ବିଧିବ୍ୟବସ୍ଥା ରହିଛି ।



