ଉଦୟଗିରି/ଯାଜପୁର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ହୀରକ ତ୍ରିଭୁଜ ଅନ୍ତର୍ଭୁକ୍ତ ଉଦୟଗିରି, ଲଳିତଗିରି ଓ ରତ୍ନଗିରିର ପ୍ରସିଦ୍ଧ ବୌଦ୍ଧପୀଠ ସମୂହକୁ ବିଶ୍ଵ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ଏକ ପରିଯୋଜନା କରାଯାଉଛି। ଏଥି ସହିତ ଯାଜପୁର ଜିଲ୍ଲାର ବିଶ୍ୱବିଖ୍ୟାତ ବୌଦ୍ଧପୀଠ ଉଦୟଗିରିଠାରେ ଏକ ବହୁମୂଖୀ ସଂଗ୍ରହାଳୟ ନିର୍ମାଣ କରାଯିବା ନେଇ ଯଥେଷ୍ଟ ସଂଭାବନା ରହିଛି ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟିଂ ଆର୍କିଓଲୋଜିଷ୍ଟ ଡ. ଦିବିଷଦ ବ୍ରଜସୁନ୍ଦର ଗଡନାୟକ କହିଛନ୍ତି। ଭୁବନେଶ୍ଵରଠାରେ ଥିବା ଭାରତ ସରକାରଙ୍କ ଆଇଆଇଟି ଶିକ୍ଷା ସଂସ୍ଥାନର ଗବେଷକ ବିଦ୍ୟାର୍ଥୀମାନେ ଗତକାଲି ବିଶ୍ଵବିଖ୍ୟାତ ବୌଦ୍ଧପୀଠଗୁଡିକୁ ଶିକ୍ଷା ଓ ଗବେଷଣା ପରିଦର୍ଶନରେ ଆସିଥିଲେ।
ଶ୍ରୀ ଗଡନାୟକଙ୍କ ସହିତ ପୂର୍ବତନ କେନ୍ଦ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶକ ଡ. ଅଶୋକ କୁମାର ପଟେଲ, ପୂର୍ବତନ ପ୍ରତ୍ନତତ୍ତ୍ଵ ଅଧୀକ୍ଷକ ଡ. ଜୀବନ କୁମାର ପଟ୍ଟନାୟକ , ପ୍ରତ୍ନତତ୍ତ୍ଵବିତ୍ ତଥା ଗବେଷକ ଡ. ସୁନୀଲ କୁମାର ପଟ୍ଟନାୟକ ଓ ଭୁବନେଶ୍ଵର ଆଇଆଇଟିର ପ୍ରଫେସର ଶୁଭଙ୍କର ପତିଙ୍କ ସହିତ ଆଇଆଇଟିର ଗବେଷକ ଛାତ୍ରଛାତ୍ରୀମାନେ ବୌଦ୍ଧପୀଠ ଲଳିତଗିରି, ନୂତନ ଭାବେ ଆବିଷ୍କୃତ ପାରାଭାଡି ଓ ଉଦୟଗିରି ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ଇତିହାସ, ପ୍ରତ୍ନତତ୍ତ୍ଵ ଓ ବୌଦ୍ଧ ଐତିହ୍ୟ ସଂପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହିତ ଲଳିତଗିରିର ବୌଦ୍ଧ ସଂଗ୍ରହାଳୟ ମଧ୍ୟ ପରିଦର୍ଶନ କରିଥିଲେ। ସମୟ ଅଭାବରୁ ସେମାନେ ଉଦୟଗିରି ବୌଦ୍ଧପୀଠ ଅଂଚଳ ପରିଦର୍ଶନ କରିନଥିଲେ ମଧ୍ୟ ସ୍ଥାନୀୟ ଅଂଚଳବାସୀଙ୍କ ସହିତ ଆଲୋଚନା କରିଥିଲେ।
ଉଦୟଗିରିଠାରେ ପହଞ୍ଚିବାପରେ ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ବୁଦ୍ଧିଜୀବିମାନଙ୍କୁ ଉଦୟଗିରିର ସୁଦୂର ପ୍ରସାରୀ ବିକାଶମୂଳକ ଯୋଜନା ସମ୍ପର୍କରେ ସେମାନେ ଆଲୋଚନା ବେଳେ ସୂଚନା ଦେଇଥିଲେ। ବୌଦ୍ଧ ବିହାର ଚାରିପଟେ ନିର୍ମାଣ କରାଯାଇଥିବା ଐତିହ୍ୟ ପାଚେରୀରୁ ଚୋରମାନେ ଲୁହାବାଡ କାଟି ନେଉଥିବାରୁ ସେହି ସ୍ଥାନରେ ପଥର ନିର୍ମିତ ପାଚେରୀ ନିର୍ମାଣ କରାଯିବା ପାଇଁ ଯୋଜନା ରହିଥିବା କୁହାଯାଇଛି। ଉଦୟଗିରି ବୌଦ୍ଧପୀଠ ଇଲାକାରେ ଫୁଲ ବଗିଚା ଓ ଉଦ୍ୟାନକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯିବ। ଏଠାରେ ଯେଉଁ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ତାହା ଅନ୍ୟତ୍ର ନିର୍ମାଣ କରାଯାଇଥିବା ମ୍ୟୁଜିୟମ୍ ଠାରୁ ଅଧିକ ଉନ୍ନତ କରାଯିବ।
ପୁରୀ ସର୍କଲର ପ୍ରତ୍ନତତ୍ତ୍ଵ ଅଧିକ୍ଷକ ଡ ଗଡନାୟକ କହିଥିଲେ ଯେ, ପୂର୍ବରୁ ସଂଗ୍ରହାଳୟ ପାଇଁ ଯେଉଁ ପ୍ରକଳ୍ପ ରିପୋର୍ଟ ଦିଆଯାଇଥିଲା, ତାକୁ ସଂଶୋଧନ ଏବଂ ପରିବର୍ଦ୍ଧିତ କରାଯାଇ ନୂତନ ଭାବେ ପ୍ରକଳ୍ପ ପ୍ରସ୍ତୁତକରି ପଠାଇବା ପାଇଁ କେନ୍ଦ୍ରରୁ ନିର୍ଦ୍ଦେଶ ଦିଆଯିବା ପରେ ସଂପୂର୍ଣ୍ଣ ନୂତନ ପ୍ରକଳ୍ପ ପ୍ରସ୍ତୁତ କରି ପୁଣିଥରେ ପଠାଯାଇଛି। ତେବେ ଉଦୟଗିରିଠାରେ ନୂତନ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ଏହାକୁ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ବେଶ୍ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି। ଏଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଉଦୟଗିରିଠାରେ ନିଶ୍ଚିତ ଭାବରେ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ଏବଂ ଏଥିପାଇଁ ପ୍ରାରମ୍ଭିକ ବିଭାଗୀୟ କାର୍ଯ୍ୟାନ୍ୱୟନ ଆରମ୍ଭ ହେଲାଣି।
ବୌଦ୍ଧ ସଂଗ୍ରହାଳୟରେ ଆବିଷ୍କୃତ କୀର୍ତ୍ତିରାଜିଗୁଡିକର ପ୍ରଦର୍ଶନ ସହିତ, ପାଠାଗାର, ଗବେଷଣାଗାର, ପଥର ଖୋଦେଇ କ୍ରାଫ୍ଟ ସେଣ୍ଟର, କର୍ମଚାରୀ ଓ ଗବେଷଣା ପାଇଁ ଆସୁଥିବା ଛାତ୍ର ଛାତ୍ରୀ, ଐତିହାସିକ ଓ ପର୍ଯ୍ୟଟକମାନଙ୍କ ରହଣି ପାଇଁ ବାସଗୃହ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି। ଏଏସଆଇ ଅଧିକାରୀମାନଙ୍କୁ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ଅଧକ୍ଷା ଡଃ ଅରୁନ୍ଧତୀ ଦେବୀ, ଆବାହକ ସାମ୍ବାଦିକ ମହେଶ୍ବର ବଳ, ଡ. ଭାଗ୍ୟଧର ସାହୁ, ରାମଚନ୍ଦ୍ର ସାମଲ, ଉମାକାନ୍ତ ବଳ, କିଶୋର ଚନ୍ଦ୍ର ଦାଶ, ଡମ୍ବରୁଧର ଜେନା, ପ୍ରଦୀପ ଦେଓ, ଶୈଳେନ୍ଦ୍ର ନାରାୟଣ ରାୟ, ଉମେଶ ଚନ୍ଦ୍ର ପ୍ରଧାନ, ସୁର ମୋହନ ମହାପାତ୍ର, ବାବାଜୀ ଚରଣ ଜେନା, ଜ୍ଞାନେନ୍ଦ୍ର ପ୍ରଧାନ, ପ୍ରଦ୍ୟୁମ୍ନ ଜେନା ଓ ଗୋବର୍ଦ୍ଧନ ଜେନା ପ୍ରମୁଖ ସ୍ୱାଗତ କରିବା ସହିତ ଆଲୋଚନାରେ ଭାଗ ନେଇଥିଲେ।



