ଫୁଲବାଣୀ: କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ପାଇଁ କନ୍ଧମାଳ ଜିଲ୍ଲାରେ ଶ୍ରୀ ଅନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଟିକାବାଲୀ ବ୍ଲକରେ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା କୃଷି ବିଭାଗଙ୍କ ମିଳିତ ସହାୟତାରେ ଏହା ଚାଲୁରହିଛି । ପାବୁରିଆ ଗ୍ରାମ ପଂଚାୟତ ସଭା ଗୃହରେ ଚାଷୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତାଲିମରେ କନ୍ଧମାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରି ଚିତରଞନ ସତପଥୀ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷରେ ଆଗ୍ରୋନୋମିକ ପ୍ରାକ୍ଟିସ କରିବାକୁ ପ୍ରବର୍ତାଇବା ସହିତ ବ୍ଲକର କଇଁଝର ପଂଚାୟତକୁ ମଡେଲ ହିସାବରେ ନେଇ କାର୍ଯ୍ୟ କରିବାକୁ କହିଥିଲେ।
ଆହୁରି ମଧ୍ୟ ସେ ମାଣ୍ଡିଆ ଓ ସ୍ୱଦେଶୀ ଧାନ ଚାଷ କରିବାକୁ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଗୁଟିଙ୍ଗିଆ ଗ୍ରାମପଂଚାୟତର କେଙ୍ଗଲେଙ୍ଗିଆ ଗ୍ରାମର ଚାଷୀ ନବଘନ ପ୍ରଧାନଙ୍କ ଜମିରେ ୧୪ ପ୍ରକାରର ଅଧିକ ଅମଳକ୍ଷମ ସ୍ୱଦେଶୀ ଧାନ ଏବଂ ବୁର୍ବିନାଜୁ ଗ୍ରାମପଂଚାୟତର ପେନାଗୋବେରି ଗ୍ରାମ ତୁଳସୀ ସ୍ୱୟଂସହାୟକ ଦଳ ମାଧ୍ୟମରେ ୦୭ ପ୍ରକାରର ଧାନ ଭେରାଇଟିକୁ ପରିକ୍ଷାମୂଳକ ଭାବେ ଚାଷ କରିବା ପାଇଁ ଯୋଜନା କରିଥିଲେ।



