ଆଠଗଡ଼: ଆଠଗଡ଼ ମହାନଦୀରୁ ପାଣି ଢେଙ୍କାନାଳ ଗଜମରା ଅଞ୍ଚଳକୁ ନେବା ଲାଗି ବିନା ଅନୁମତିରେ ସରକାରୀ ଜମିରେ ବଡ ବଡ ଗାତ ଖୋଳା ଯାଉଥିବା ଅଭିଯୋଗ ହୋଇଛି। ସେଠାରେ ଥିବା ଏକ କମ୍ପାନୀକୁ ପାଣି ଯୋଗାଇବା ପାଇଁ ଏହି ପାଇପ ଲାଇନ କାର୍ଯ୍ୟ ଇଡ଼କୋ ମାଧ୍ୟମରେ ଏକ ଠିକା ସଂସ୍ଥା ଆରମ୍ଭ କରିଛି ବୋଲି କୁହାଯାଉଛି। କିନ୍ତୁ ପାଣି ପାଇପ ବିଛାଇବା ପାଇଁ ଆଠଗଡ଼ ରାଜସ୍ବ ବିଭାଗର ବିନା ଅନୁମତିରେ ଏହି ପାଇପ ଲାଇନ ବିଛା ଲାଗି ମାଟି ଖୋଳାଖୋଳି ଚାଲିଛି ବୋଲି ଜଣାପଡିଛି।
ଏ ବିଷୟରେ ଆଠଗଡ଼ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ଓ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟଙ୍କୁ ଯୋଗାଯୋଗ କରିବାରେ ସେମାନେ ଜାଣିନାହାଁନ୍ତି କି ଅନୁମତି ଦେଇନଥିବା କହିଥିଲେ। ଏବେ ସୂଚନା ପାଇବା ପରେ ରାଜସ୍ବ ନିରୀକ୍ଷକଙ୍କୁ ପାଇପ ଲାଇନ ଖୋଳି ପାଇପ ବିଛା ଯାଉଥିବା ସ୍ଥାନକୁ ଅନୁସନ୍ଧାନ ଲାଗି ପଠାଇଛୁ ବୋଲି ତହସିଲଦାର କହିଛନ୍ତି। ଅନିୟମିତତା କରିଥିଲେ ସଂପୃକ୍ତ ସଂସ୍ଥା ବିରୋଧରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।



