ଚାନ୍ଦବାଲିରେ କୋଇଲା ମାଫିଆଙ୍କ ରାଜ, ଟଙ୍କା ନଦେବାରୁ ଜାଳିଦେଲେ ଜେସିବି

ଡେସ୍କ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଚୋରୀ, ଡକାୟତି, ରାହାଜାନୀ ବୃଦ୍ଧି ପାଇଛି। ପୂର୍ବ ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ କୋଇଲା ଚୋରା ଚାଲାଣକୁ ଵିରୋଧ କରି ଆକ୍ରୋଶର ଶୀକାର ହୋଇଛନ୍ତି ଦିଲ୍ଲୀପ କୁମାର ଭୋଇ। ଭଦ୍ରକ ଜିଲ୍ଲା ନାଲୁଗୁଣ୍ଡା ପଞ୍ଚାୟତ ଇଟୁଆ ଗାଁର ଦିଲ୍ଲୀପ ତାଙ୍କ ଜେସିବିକୁ କୋଇଲା ମାଫିଆ ପୋଡ଼ି ଦେଇଥିବା ନେଇ ସେ ଵାଂଶଡା ଥାନାରେ ଅଭିଯୋଗ କରିଛନ୍ତି।

ଦିଲ୍ଲୀପଙ୍କ ଏକ ଜେସିବିକୁ କୋଇଲା ମାଫିଆ ନିଆଁ ଲଗାଇ ସମ୍ପୂର୍ଣ ପୋଡି ଦେଇ ଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ୮ଟା ବେଳେ ମତୋ ଗଉଡୁଣୀ ପୋଖରୀରେ କାମ ସାରି ଦିଲ୍ଲୀପ ତାଙ୍କ ବନ୍ଧୁ ଆନନ୍ଦ ସାମଲଙ୍କ ଘର ପାଖରେ ଜେସିବ୍ ମେସିନ ରଖି ଘରକୁ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଜେସିବ୍ ମେସିନ ହଠାତ ଜଳିବାକୁ ଲାଗିଲା। ଖବର ପାଇ ଗାଡି ମାଲିକ ଅଗ୍ନିଶମ ବାହିନୀକୁ ଫୋନ କରିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମେସିନଟି ସମ୍ପୂର୍ଣ ଜଳି ଯାଇଥିଲା। କେହି କୋଇଲା ମାଫିଆ ପେଟ୍ରୋଲ ପକାଇ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ମାଲିକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗ୍ରାମବାସୀଙ୍କ କହିବା କଥା ରୋଜଗାର ବନ୍ଦ ହୋଇଗଲେ କୋଇଲା ମାଫିଆ କିଛି କରିବାକୁ ପଛାଉ ନାହାନ୍ତି। ତେଣୁ ପୂର୍ବରୁ କିଛି ମାଫିଆ ଦିଲ୍ଲୀପଙ୍କୁ ଆକ୍ରମଣ କରିବା ନେଇ ଧମକ ଚମକ ଦେଇଥିଲେ। ଫଳସୂରୁପ ସେମାନେ ଏଭଳି କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି।

ଚାରି ଜଣଙ୍କ ଉପରେ ସଂଦେହ ହେବାରୁ ଜେସିବି ମାଲିକ ସେମାନଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ବାଂଶଡା ଥାନା ଅଧିକାରୀ କହିଛନ୍ତି, ଏତଲା ଆଧାରରେ ତଦନ୍ତ ଚାଲିଛି। ଭଦ୍ରକରୁ ଏକ ସାଇଣ୍ଟଫିକ୍ ଟିମ ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Comments are closed.