ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ
କେନ୍ଦୁଝରଗଡ଼: ଜିଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଶନିବାର ଅପରାହ୍ନରେ ଦରବାରହଲଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ବୈଠକରେ ଅଧ୍ୟକ୍ଷତା କରି ଏହି ଜାତୀୟ ଦିବସକୁ ବିପୁଳ ଆନନ୍ଦ, ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ ନିମନ୍ତେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲାପାଳ (ରାଜସ୍ୱ) ଆଲୋକ କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା, ପ୍ରକଳ୍ପ ପ୍ରଶାସକ ଜିଲା ନଗର ଉନ୍ନୟନ ସଂସ୍ଥା ରବୀନ୍ଦ୍ର କୁମାର ମଲ୍ଲିକ, କେନ୍ଦୁଝରଗଡ଼଼ ପୌରପାଳିକା ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ବୈଠକରେ ସାଧାରଣତନ୍ତ୍ର ଦିବସ -୨୦୨୫ ଜାତୀୟ ଉତ୍ସବ ପାଳନ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।
ଏହି ଜାତୀୟ ଉତ୍ସବକୁ ସମ୍ମାନ ଓ ମର୍ଯ୍ୟାଦାର ସହିତ ଜାତୀୟତାବୋଧ ବଜାୟ ରଖି ଜିଲାସ୍ତରୀୟ ଉତ୍ସବ ପାଳନରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଙ୍ଗଠନ, ସାର୍ବାପରି ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କେନ୍ଦୁଝର ଷ୍ଟାଡିୟମଠାରେ ୨୬ଜାନୁଆରୀ ସାଧାରଣତନ୍ତ୍ର ଦିବସ ପ୍ରତ୍ୟୁଷରେ ରାମଧୂନ, ସକାଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୭ରୁ ୭.୩୦ ଘଟିକା ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୮ଘଟିକାରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୮.୩୦ ମିନିଟରେ ଷ୍ଟାଡିୟମ ପଡ଼ିଆରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉାତ୍ତାଳନ ସହ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପରେ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ,ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ବୈଠକରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ କେନ୍ଦୁଝର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉକ୍ତ ଦିନ କବି ସମ୍ମିଳନୀ ଓ ପୁରସ୍କାର ବିତରଣୀ ଉତ୍ସବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି କାର୍ଯ୍ୟକ୍ରମ ବିଷୟରେ ଅତିରିକ୍ତ ଜିଲାପାଳ ଆଲୋଚନା କରି ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ଯଥାରୀତି ଦାୟିତ୍ୱ ବିଷୟରେ ଅବଗତ କରାଇଥିଲେ। ଚଳିତମାସ ୨୨, ୨୩ ଓ ୨୪ ତାରିଖ ସକାଳ ୮ଘଟିକାରେ କେନ୍ଦୁଝର ଷ୍ଟାଡିୟମଠାରେ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ। ପରେଡ଼ ପଡ଼ିଆ ସାଜସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ ତ୍ରିରଙ୍ଗା ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା। ବୈଠକରେ ଆରକ୍ଷୀ ନିରୀକ୍ଷକ ରିଜର୍ଭ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ (ରାସ୍ତା ଓ ଗୃହ) କେନ୍ଦୁଝରଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Comments are closed.