ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ କଲାମ ଜୟନ୍ତୀ ପାଳିତ

ସମ୍ବଲପୁର: ସ୍ଥାନୀୟ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଭାରତରତ୍ନ ଡ. ଏ.ପି.ଜେ ଅବଦୁଲ କଲାମଙ୍କ ୯୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସାସ୍କୃତିକ ସମାଜର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିକ୍ଷାବିତ ଡ. ବସନ୍ତ କୁମାର ଦାଶ ଯୋଗଦେଇ କଲାମଙ୍କ ଜୀବନୀ ଏବଂ କାର୍ଯ୍ୟଦକ୍ଷତାର ବିଭିନ୍ନ ଦୃଷ୍ଟାନ୍ତ ଉପସ୍ଥାପନ କରି କହିଥିଲେ ଯେ, ମଣିଷକୁ ଆଗକୁ ବଢିବାକୁ ହେଲେ ସକରାତ୍ମକ ମନୋବୃତ୍ତି ନେଇ ଆଶାବାଦୀ ହେବା ଉଚିତ।ବିବେକାନନ୍ଦଙ୍କ ସଦୃଶ କଲାମ ମଧ୍ୟ ତାଙ୍କ ଏହି ସକରାତ୍ମକ ଆଚରଣ ଯୋଗୁଁଁ ସର୍ବଗ୍ରାହ୍ୟ ଓ ସର୍ବଜନଙ୍କ ଆଦରଣୀୟ ହୋଇ ପାରିଥିଲେ। ଅତି ସାଧାରଣ ଜୀବନଶୈଳୀ ସହ ଉଚ୍ଚ ଚିନ୍ତାଧାରା ଏବଂ ପରୋପକାରର ମହାନ ଆଦର୍ଶ ବହନକରି ସେ ନିଜକୁ ଜଣେ ମହତ ପୁରୁଷ ଭାବରେ ପ୍ରତିଷ୍ଠା କରି ପାରିଥିଲେ। ଦୂରଦୃଷ୍ଟି ହେବା, ବୈଜ୍ଞାନିକ ଚିନ୍ତାଧାରା, ଗ୍ରାମାଞ୍ଚଳରେ ସହରୀକରଣ କରିବା, ଯୁବଶକ୍ତି ପ୍ରୋତ୍ସାହିତ କରିବା, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା, ସ୍ଥାୟୀ ଅଭିବୃଦ୍ଧିକୁ ଧ୍ୟାନ ଦେବା, ଅନ୍ତର୍ଭୂକ୍ତିକରଣ, ଲୋକାଭିମୁଖୀ ହେବା ଏହି ସାତଟି ଦୀଗ ରାଷ୍ଟ୍ର ନିର୍ମାଣ ସକାଶେ ନିହାତି ଜରୁରୀ ଯାହା ଡ.କଲାମଙ୍କ ଆଦର୍ଶରେ ପ୍ରତିଫଳିତ ହୋଇଥିବା ଡ. ଦାଶ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ତଥା ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷକ ଦିଲୀପ କୁମାର ସାହୁ, ଅରବିନ୍ଦ ମହାପାତ୍ର, ସୁଶାନ୍ତ କୁମାର ଗୁରୁ, ରାମାନୁଜ ପଣ୍ଡା, ପୁରାତନ ଛାତ୍ରସଂସଦ ସଭାପତି ପ୍ରଦୀପ୍ତ କୁମାର ନାଥ, ସ୍କୁଲର ଅଧ୍ୟୟନରତ ଛାତ୍ର ପ୍ରବୀଣ କୁମାର ପାଣ୍ଡେ ପ୍ରମୁଖ କଲାମଙ୍କ ବିଭିନ୍ନ ବିଚାରଧାରା ଉପରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଦୀନବନ୍ଧୁ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପୂର୍ବରୁ ସ୍କୁଲ ସମ୍ମୁଖରେ ଥିବା କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

Comments are closed.