କେନ୍ଦୁଝରଗଡ଼଼: କେନ୍ଦୁଝରଗଡ଼଼ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାକୁକୁର ଓ ଗୃହପାଳିତ ଗାଈଗୋରୁ ଯୋଗୁଁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ପଥଚାରୀ। ଗୋରୁ ଗାଈ ଓ ବୁଲା କୁକୁରଙ୍କ ଅବାଧ ବିଚରଣକୁ ନେଇ କାହାରି ନିଘା ନଥିବା ବେଳେ ସହରର ପ୍ରମୁଖ ରାସ୍ତାରେ ଏହି ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ସହର ମଧ୍ୟରେ ଏବେ ମାଳ ମାଳ ଗାଈ ଗୋରୁ ବୁଲୁଥିବା ବେଳେ ପୌରାଞ୍ଚଳ ଅଧିନରେ ଥିବା କାଞ୍ଜିଆହୁଦା ଦୀର୍ଘବର୍ଷ ହେବ ବନ୍ଦ ଥିବାରୁ ପୌରପାଳିକା ଗୋରୁ-ଗାଈଙ୍କୁ ଧରିଲେ କେଉଁଠାରେ ରଖିବ ତାହା ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ତେବେ ଏହି ବୁଲା ଗୋସମ୍ପଦ ଓ କୁକୁର ମାନଙ୍କ ମାଲିକମାନେ ଦୈନଦିନ ରାସ୍ତାରେ ଗୋରୁ ଗାଈ ଓ କୁକୁରକୁ ଛାଡି ଦେଉଥିବାରୁ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି। ବୁଲା ଗାଈ ଗୋରୁ ଧରିବା କାର୍ଯ୍ୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ କର୍ମଚାରୀ ନିୟୋଜିତ କରାଯାଇ ଅଭିଯାନ ଆରମ୍ଭ କରିବାକୁ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି। ସହରରେ ଦିନକୁ ଦିନ ବୁଲା ଗାଈ ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏମାନଙ୍କୁ ଧରିବା ପାଇଁ ପୌର କର୍ତ୍ତୃପକ୍ଷ ସକ୍ଷମ ହେଉନାହାନ୍ତି। ଅନ୍ୟପକ୍ଷରେ ଗାଈ ଗୋରୁ ମାଲିକମାନେ ସଚେତନ ନହେବାରୁ ପ୍ରତ୍ୟେକ ଦିନ ସହରର ବିଭିନ୍ନ ରାସ୍ତାରେ ମାଳ ମାଳ ଗୋସମ୍ପଦ ରାସ୍ତା ଉପରେ ବୁଲୁଥିବାରୁ ବିଭିନ୍ନ ସମୟରେ ପଥଚାରୀ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ସହରର ଅଧିକାଂଶ ରାସ୍ତା ଅଣଓସାରିଆ ଓ ସଂକୀର୍ଣ୍ଣ ତେଣୁ ଗୋସମ୍ପଦ ରାସ୍ତାରେ ଚଲାବୁଲା କଲେ ଜନସାଧାରଣ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ସହରରେ ଶହ ଶହ ବୁଲା କୁକୁର ରାସ୍ତା ଉପରେ ଶୋଇ ରହୁଥିଲେ ହେଁ ଏମାନଙ୍କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟ ବନ୍ଦ ରହିଛି। ଗାଈ ଗୋରୁ ଓ ଷଣ୍ଢ ସହରର ବିଭିନ୍ନ ସ୍ଥାନ ଓ ରାସ୍ତାକୁ ଦଖଲ କରି ରହୁଛନ୍ତି। ବୁଲା କୁକୁରମାନେ ରାତିରେ ଯାତାୟତ କରୁଥିବା ଲୋକଙ୍କୁ ଗୋଡାଇବା ଫଳରେ ବାଇକରୁ ପଡ଼ି ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପୌର ପ୍ରଶାସନ ତୁରନ୍ତ ଏ ଦିଗରେ ତ୍ୱରିତ୍ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Popular Categories



