ଡେସ୍କ: ଯାଜପୁରରୁ ସଂଦିଗ୍ଧ ଆତଙ୍କୀ ସୟଦ ଇସାନ ବୁଖାରୀ ଧରା ପଡିବା ପରେ ତଦନ୍ତ ପ୍ରକ୍ରିୟାକୁ ଆଗେ ନେବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା – ଏନଆଇଏ ସହଯୋଗ କରିବ। ଏବେ ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ। ଇତି ମଧ୍ୟରେ ସୟଦ ଇସାନ ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯିବା ପରେ ସେଗୁଡିକୁ ଫ୍ରିଜ କରିବା ଲାଗି କ୍ରାଇମବ୍ରାଞ୍ଚ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ – ଏଫଆଇୟୁକୁ ଅନୁରୋଧ କରିଛି। ଏହାଛଡା ସେହି ସବୁ ଆକାଉଣ୍ଟରେ ହୋଇଥିବା ଦେଣନେଣ ସମ୍ପର୍କରେ ଅଧିକ ତଥ୍ୟ ସଦ୍ଗ୍ରହ ପାଇଁ ଏସଟିଏଫ ଉଦ୍ୟମ କରୁଛି।
ଏହାଛଡା ଆତଙ୍କୀ ବୁଖାରୀର ହ୍ଵାଟ୍ସଆପରୁ କେତେକ ଭାରତ ବିରୋଧୀ ମେସେଜ ରହିଥିବା ଜଣାପଡିଛି। ସେଥିରୁ କେତେକ ମେସେଜ ଡିଲିଟ ହୋଇଥିବାରୁ, ସେଗୁଡିକୁ ବାହାର କରିବା ଲାଗି ଚେଷ୍ଟା ଚାଲିଥିବା କୁହାଯାଇଛି। ସୂଚନା ଅନୁଯାୟୀ, ବୁଖାରୀର ପାକିସ୍ତାନ ଓ କେରଳ ଯୁବକଙ୍କ ସହ ସମ୍ପର୍କ ରହିଥିବା ଜଣାପଡିଛି।
ଅନ୍ୟ ପକ୍ଷରେ, ସେ ନିଜକୁ ଡାକ୍ତର ଭାବରେ ପରିଚୟ ଦେଇ ୭ଟି ବିବାହ କରିଛି। ତାର କୌଣସି ସ୍ତ୍ରୀ ଅନ୍ୟ ବିବାହ ସମ୍ପର୍କରେ ଜାଣିନାହାନ୍ତି। ଏସଟିଏଫ ଏସପିଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ୭ଦିନ ରିମାଣ୍ଡ ଆବେଦନ ହେବ। ସେ କହିଛନ୍ତି, ବୁଖାରୀ ନିଜକୁ ଡାକ୍ତର କହି ଏକାଧିକ ବିବାହ କରିଥିଲା ଓ ତାର ୫/୬ ପିଲା ଅଛନ୍ତି। ତେବେ ଗିରଫ ବୁଖାରୀର ଆଉ କେଉଁଠି ସ୍ତ୍ରୀ ଅଛନ୍ତି ତାହା ବିଷୟରେ ମଧ୍ୟ ତଦନ୍ତ କରାଯିବ। ବୁଖାରୀ ମୋବାଇଲରୁ ପାକିସ୍ତାନ ନମ୍ବର ମିଳିଥିବା ସେ କହିଛନ୍ତି।



