ପ୍ରସ୍ତାବିତ ଭୁବନେଶ୍ୱର-ପୁରୀ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ପିପିଲି: ପ୍ରସ୍ତାବିତ ଭୁବନେଶ୍ୱର-ପୁରୀ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜାତୀୟ ରାଜପଥରେ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ନେଇ ପ୍ରଭାବିତ ହେବାକୁ ଥିବା ଲୋକେ ନାନା ଆଶଙ୍କା ମଧ୍ୟରେ ଗତି କରୁଛନ୍ତି। ଏହି ସର୍ଭେ କାର୍ଯ୍ୟ ଯୋଗୁଁ ଉତ୍ତରା ବଜାର ଠାରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ନିର୍ମାଣଧିନ ଅନେକ ବ୍ୟବସାୟ ପ୍ରକଳ୍ପ, ବାସଗୃହ ପ୍ରକଳ୍ପ, ଛୋଟ ଶିଳ୍ପ ପ୍ରତିଷ୍ଠାନ, ଅନେକ ଅର୍ଥନୈତିକ ପ୍ରକଳ୍ପର କାର୍ଯ୍ୟ ଏବେ ବାଧାପ୍ରାପ୍ତ ହୋଇଛି। ଲୋକେ ନିଜର ଜମି, ଘର, ଭିଟାମାଟି ହରାଇବା ଆଶଙ୍କାରେ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ପ୍ରକଳ୍ପ ସଂପର୍କରେ କୌଣସି ସରକାରୀ ବିଜ୍ଞାପନ ପ୍ରକାଶ ପାଇନଥିବା ବେଳେ ଏଥିଯୋଗୁଁ ସାଧାରଣ ଲୋକଙ୍କ ଉପରେ ଅର୍ଥନୈତିକ ଓ ସାମାଜିକ ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ସରକାର ତୁରନ୍ତ ଏହି ସର୍ଭେ କରାଯାଉଥିବା ମେଟ୍ରୋ ପ୍ରକଳ୍ପ ସଂପର୍କରେ ସମସ୍ତ ତଥ୍ୟକୁ ସାର୍ବଜନିନ କରିବା ସହ ଏ ସଂପର୍କରେ ଗ୍ରାମ୍ୟ ସଭା ଓ ଜନଶୁଣାଣି କରନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି।
ପ୍ରସ୍ତାବିତ ଭୁବନେଶ୍ୱର-ପୁରୀ ମେଟ୍ରୋ ରେଳ ପ୍ରକଳ୍ପ ପ୍ରତିବାଦରେ ଦାଣ୍ଡମୁକୁନ୍ଦପୁର ଠାରେ ଜନସ୍ୱାର୍ଥ ସୁରକ୍ଷା ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଂନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ, ଗତ କିଛିଦିନ ଧରି ଭୁବନେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ବରୁ ୨ଶହରୁ ଦେଢଶହ ମିଟର ଦୂରତା ପର୍ଯ୍ୟନ୍ତ ସର୍ଭେ ବେଳେ ଚିହ୍ନ ଦିଆଯାଉଛି। ଏହା ଦ୍ୱାରା ଅନେକ ଗ୍ରାମ ମାନଚିତ୍ରରୁ ଲିଭିଯିବାକୁ ଥିବା ବେଳେ ଅନେକ ବଜାର, ଘର, ଧର୍ମାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ମୂଲ୍ୟବାନ ଚାଷ ଜମି ଆଦି ଧ୍ୱଂସ ପାଇଯିବ। ଜାତୀୟ ରାଜପଥ ନିର୍ମାଣ ବେଳେ ଗତ ୧୦ବର୍ଷ ତଳେ ଲୋକେ ନିଜର ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନ ଓ ଚାଷଜମିକୁ ହରାଇଥିବା ବେଳେ ଏବେ ଏହି ସର୍ଭେ ଯୋଗୁଁ ଜାତୀୟ ରାଜପଥ କଡରେ ବାସ କରୁଥିବା ଲୋକେ ଭୟଭିତ ହୋଇପଡ଼ିଛନ୍ତି। ଋଣ କରି ବ୍ୟବସାୟ ପ୍ରତିଷ୍ଠାନ କରିଥିବା ଓ ବାସଗୃହ ନିର୍ମାଣ କରୁଥିବା ଲୋକେ ଏବେ ଚିନ୍ତାରେ ଅଛନ୍ତି। ଏହି ସର୍ଭେ କାର୍ଯ୍ୟ ଯୋଗୁଁ ପ୍ରଭାବିତ ହେବାକୁ ଥିବା ବହୁ ଲୋକଙ୍କର ରକ୍ତଚାପ ବଢ଼ି ଯାଇଥିବା ବେଳେ ଅଧିକାଂଶ ଲୋକେ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିଛନ୍ତି। କେବଳ ରାଜନିତି କରିବା ପାଇଁ ଏବଂ ଭୋଟ୍ ହାତେଇବା ପାଇଁ ସରକାର ଏଭଳି କାର୍ଯ୍ୟ କରୁଥିବା ଆଶ୍ରିତ ଅଭିଯୋଗ କରିଛନ୍ତି। ଯଦି ପ୍ରକଳ୍ପର ଆବଶ୍ୟକତା ଅଛି ତେବେ ଲୋକଙ୍କୁ ଅଯଥା ଭ୍ରମିତ ନକରି ପ୍ରକଳ୍ପ କରାଯିବାର ଯଥାର୍ଥତା ଏବଂ ପ୍ରକଳ୍ପ ପାଇଁ କେତେ ଜମିର ଆବଶ୍ୟକ ଅଛି ସେ ସଂପର୍କରେ ସରକାର ତୁରନ୍ତ ସଂପୂର୍ଣ୍ଣ ତଥ୍ୟକୁ ସାର୍ବଜନିନ କରନ୍ତୁ। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏ ବାବଦରେ ଗ୍ରାମ୍ୟ ସଭା ଓ ଜନଶୁଣାଣି କରନ୍ତୁ। ନଚେତ୍ ଜନସ୍ୱାର୍ଥ ସୁରକ୍ଷା ସମିତି, ପିପିଲି ସାଂସ୍କୃତିକ ପରିଷଦ ଭଳି ଅନେକ ଅନୁଷ୍ଠାନ ଓ ସାଧାରଣ ଲୋକଙ୍କୁ ସାଥିରେ ଧରି ବିଜେପି ଗଣଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।
ଭୁବନେଶ୍ୱର ବିମାନବନ୍ଦର ଠାରୁ ପୁରୀର ପ୍ରସ୍ତାବିତ ବିମାନବନ୍ଦର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ହାଇୱେ ନିର୍ମାଣ ପାଇଁ ସରକାରଙ୍କ ଯୋଜନା ରହିଥିବା ବେଳେ ଏଭଳି ଏକ ମେଟ୍ରୋ ପ୍ରକଳ୍ପର କୌଣସି ଆବଶ୍ୟକତା ନଥିବା ସଂପର୍କରେ ଜନସ୍ୱାର୍ଥ ସୁରକ୍ଷା ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ୭୫ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଭାରତର ୬ଟି ସହରରେ ମେଟ୍ରୋ ରହିଛି। ଆବଶ୍ୟକ ଜନସଂଖ୍ୟା ନଥାଇ ଏବଂ ଟ୍ରାଫିକ୍ ସମସ୍ୟା ନଥାଇ ପୁରୀକୁ ଏକ ମେଟ୍ରୋ ପ୍ରକଳ୍ପ କରିବାର କୌଣସି ଆବଶ୍ୟକତା ନାହିଁ। ସରକାର ଯଦି ଚାହୁଁଛନ୍ତି, ତେବେ ଭୁବନେଶ୍ୱର-ପୁରୀ ୪ଲେନ୍ ବିଶିଷ୍ଟ ଜାତୀୟ ରାଜପଥକୁ ୮ଲେନ୍ରେ ପରିଣତ କରନ୍ତୁ। ଏହା ଦ୍ୱାରା ଜମି ଅଧିଗ୍ରହଣ କମ୍ ରହିବ, ଖର୍ଚ୍ଚ କମ୍ ରହିବ ଏବଂ ସାଧାରଣ ଜନତା ଭିଟାମାଟି ହରାଇବାରୁ ବଞ୍ଚିତ ହେବେ ବୋଲି ଶ୍ରୀମିଶ୍ର କହିଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରକଳ୍ପରୁ ଓହରି ଯାଇ ସାଧାରଣ ଜନତାଙ୍କ ମନରେ ଆଶଙ୍କା ବଦଳରେ ଆଶା ସୃଷ୍ଟି କରନ୍ତୁ ଓ ସ୍ୱତଃ ସୃଷ୍ଟି ହେଉଥିବା ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଶ୍ରୀମିଶ୍ର ସରକାରଙ୍କ ଠାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ସାଂସ୍କୃତିକ ପରିଷଦର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ଜନସ୍ୱାର୍ଥ ସୁରକ୍ଷା ସମିତିର ସୁଦର୍ଶନ ମିଶ୍ର ଓ ସମାଜସେବୀ ଧିରେନ୍ଦ୍ର ନାଥ ମିଶ୍ର ଉପସ୍ଥିତ ଥିଲେ।
Comments are closed.