ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା “ଅନୁସନ୍ଧାନ” ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାଶ ଓ ରବୀନ୍ଦ୍ର ସାହୁ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ବରିଷ୍ଠ ଓ କନିଷ୍ଠ ଆଦି ଦୁଇଟି ବିଭାଗରେ ୯୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ବିଚାରକ ଭାବେ ଲାରସରା ଉଚ୍ଚ ବିଦ୍ୟାଳୟର ମୋତିଲାଲ ରଣା ଓ ଲାଦର ପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବର୍ଷାରାଣି ଦାଶ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ।
ଏଥିରେ ବରିଷ୍ଠ ବିଭାଗରେ ଧିରଜ କୁମାର ସୁନା, ନୃସିଂହ ବରାଳ ଓ ରାଜବିର ବାଗଙ୍କ ପ୍ରକଳ୍ପ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ କରନ ସାହୁ, ସଞ୍ଜୟ ବରିହା ଓ କୌଶିକ ପଶାୟତଙ୍କ ପ୍ରକଳ୍ପ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ପାଇଥିବା ପ୍ରକଳ୍ପ ଗୁଡ଼ିକ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।



