ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବଣିଆଗାଁରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନଜରବନ୍ଦୀ ରଖାଯାଇ ଟେକା ପଥର ମାଡ଼ ହୋଇଛି। ଉକ୍ତ ଗାଁର ଗୀତାଞ୍ଜଳି ଦାସ ନାମକ ମହିଳା ଗୁଣିଗାରେଡ଼ି ଓ ଡାହାଣୀ ଆଚରଣ କରୁଥିବା ଯୋଗୁ ଗାଁଲୋକ ଅସୁସ୍ଥ ହେଉଥିବା ନେଇ ଅଭିଯୋଗ ଉଠିଛି। ପଣା ସଂକ୍ରାନ୍ତି ଦିନ ସମ୍ପୃକ୍ତା ମହିଳା ପୂଜା ଡାଲା ଧରି ପୂଜା କରିବାକୁ ଯାଉଥିବା ସମୟରେ ସେହି ଗାଁର ବାପୁନୁ ସିଂ ଓ ମନ୍ମଥ ସିଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିରେ ମହିଳା ଜଣକ କୌଣସି ପ୍ରତିବାଦ କରିନଥିଲେ। ସେପଟେ ବାପୁନୁ ଓ ମନ୍ମଥ ଜଣେ ଗୁଣିଆଙ୍କ ପାଖରେ ତେଲ ପାଣି ଦେଖିବା ପରେ ସମ୍ପୃକ୍ତ ମହିଳାଙ୍କ ଉପରେ ଡାହାଣୀ ନେଇ କୁଆଡ଼େ ସନ୍ଦେହ ଉପୁଜିଥିଲା। ଉତକ୍ଷିପ୍ତ ହୋଇ ଏମାନେ ମହିଳାଙ୍କ ଘରକୁ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଆସବାବପତ୍ର ଭାଙ୍ଗିରୁଜି ଦେଇଥିବା ବେଳେ ମହିଳାଙ୍କୁ ଘରେ ନଜରବନ୍ଦୀ କରି ରଖିଥିବା ଖବର ମିଳିଛି। ନୀଳଗିରି ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି।
Popular Categories



