ଆଠଗଡ଼: ଆଠଗଡ଼ ନିର୍ବାଚନ ମଣ୍ଡଳୀସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ବୁଧବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନୃସିଂହ ଚରଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଅତିଥି ଭାବେ ଯୋଗଦେଇ ସମବାୟ ବିଭାଗ ମାଧ୍ୟମରେ ରାଜ୍ୟର କୃଷକ ଓ କୃଷିକ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାର ବହୁ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି ଏବଂ ଏହାର ସୁଫଳ ସମାଜରେ ସବୁଠାରୁ ତଳସ୍ତରରେ ଥିବା ନାମମାତ୍ର ଚାଷୀ କିପରି ଉପକୃତ ହୋଇପାରିବ ସେ ଦିଗରେ ସମବାୟ ବ୍ୟାଙ୍କ ଓ ଗ୍ରାମାଞ୍ଚଳରେ ଥିବା ସମବାୟ ସମିତିଗୁଡିକ ସଂକଳ୍ପବଦ୍ଧ ଉଦ୍ୟମ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ୧୦ଟି ପ୍ରାଥମିକ କୃଷିଋଣ ସମବାୟ ସମିତି ନୂତନ ଭାବେ ଗଠନ କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚାଇଥିଲେ। ଆଠଗଡ଼ ବ୍ଲକର ୬ଟି ଯଥା କୁମାରପୁୁର, କଣ୍ଡରେଇ, ସଠିଲୋ, ମହାକାଳବସ୍ତ, ଘଣ୍ଟିଖାଲ ଓ କନ୍ଦରପୁୁର, ସେହିପରି ତିଗିରିଆ ବ୍ଲକର ପୁରୁଣା ତିଗିରିଆ ଏବଂ ଟାଙ୍ଗିଚୌଦ୍ୱାର ବ୍ଲକର ବଡସାମନ୍ତରାପୁର, ଡାଳିଯୋଡା ବ୍ରହ୍ମପୁର ଓ ମହିଷାଲଣ୍ଡା ପଞ୍ଚାୟତରେ ଏହି ନୂତନ କୃଷିଋଣ ସମବାୟ ସମିତିଗୁଡିକର ସ୍ଥାପନ କରାଯାଇଥିବା ବେଳେ ସେଗୁଡିକର ପଞ୍ଜିକରଣ ପ୍ରମାଣପତ୍ର ସମିତିର ସଭାପତି ଓ ପରିଚାଳନା ପରିଷଦକୁ ମନ୍ତ୍ରୀ ହସ୍ତାନ୍ତର କରିଥିଲେ। ଏହି ସମିତିଗୁଡିକ କିପରି ଯଥାଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେଥିଲାଗି ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କର୍ମଶାଳାରେ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ଶାନ୍ତିଲତା ବେହେରା, ବିଶ୍ୱଜିତ୍ ପ୍ରଧାନ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲା ସମବାୟ ଉପନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ରାଜ୍ୟ ସମବାୟ ନିବନ୍ଧକ କାର୍ଯ୍ୟାଳୟର ଉପନିବନ୍ଧକ ଶିବପ୍ରସାଦ ସ୍ୱାଇଁ, ସହକାରୀ ନିବନ୍ଧକ ବିଜେନ୍ଦ୍ର କୁମାର ମହାନ୍ତି, ଆତ୍ମା ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତ, ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ ଓ ଏନଏସି ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି ପ୍ରମୁଖଙ୍କ ସମେତ ସମବାୟ ବିଭାଗର ବହୁ ଅଧିକାରୀ ଓ ସମବାୟ ସମିତି ଗୁଡିକର କର୍ମକର୍ତ୍ତା ଯୋଗଦାନ କରିଥିଲେ। ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ, ମନୋଜ କୁମାର ସାହୁ, ବିଷ୍ଣୁଚରଣ ଲେଙ୍କା ଓ ରଞ୍ଜନ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



