ଭୁବନେଶ୍ୱର: ଓଡ଼ିଶା ବଜ୍ରପାତର ମାତ୍ରାଧିକ ଶିକାର ହେଉଛି। ବିଜୁଳି ଘଡଘଡିରେ ବହୁ ମୂଲ୍ୟବାନ ଜୀବନ ଯାଉଛି। ମଣିଷ ଏବଂ ପଶୁ ବିଜୁଳି ଘଡ଼ଘଡ଼ି ଆଘାତରୁ ରକ୍ଷା ପାଉନାହାନ୍ତି। ୨୦୨୧ ବର୍ଷରେ ଓଡ଼ିଶାରୁ ସର୍ବାଧକ ୨୧୩ ଲୋକଙ୍କ ଜୀବନ ନେଇଛି ବଜ୍ରପାତ। ଦେଶରେ ବିଜୁଳି-ଘଡଘଡି ଜନିତ ମୃତ୍ୟୁହାରରେ ଓଡ଼ିଶା ଦେଶରେ ପ୍ରଥମ। ଗୋଟିଏ ପଟେ ରାଜ୍ୟ ସରକାର ବାତ୍ୟା ମୁକାବିଲା କରିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେଇ ଜାତିସଂଘରୁ ପ୍ରଶଂସିତ ହେଉଛନ୍ତି। ସରକାର ବାତ୍ୟା ମୁହଁରୁ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ଅଥଚ ବଜ୍ରପାତ ମୁହଁରୁ ରକ୍ଷା କରିବାରେ ସଫଳ ହୋଇପାରୁନାହାନ୍ତି।
ଫଳରେ ପ୍ରତିବର୍ଷ କାଳବୈଶାଖୀ, ପ୍ରାକ ମୌସୁମି ଏବଂ ମୌସୁମି ଋତୁରେ ବଜ୍ରପାତ ଘଟି ବହୁ ଲୋକଙ୍କ ଜୀବନ ଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଲୋକଙ୍କୁ ସଚେତନ କରିବା ଦିଗରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ପଛରେ ରହିଛି। ଯଦ୍ଦ୍ବାରା ପ୍ରତିବର୍ଷ ଶହ ଶହ ଲୋକଙ୍କ ମୂଲ୍ୟବାନ ଜୀବନ ଚାଲିଯାଉଛି। ରାଜ୍ୟ ପାଇଁ ବଜ୍ରପାତ ଅତି ସମ୍ବେଦନଶୀତ ପ୍ରସଙ୍ଗ ହୋଇ ରହିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୦୨୧ ବର୍ଷରେ ଗ୍ରୀଷ୍ମ ଏବଂ ମୌସୁମି ଜନିତ ବର୍ଷା ସଂକ୍ରାନ୍ତରେ ବାର୍ଷିକ ବିବରଣୀ(ରିପୋର୍ଟ) ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଦେଶରେ ବିଜୁଳି ଘଡଘଡିରେ ୭୮୦ ଲୋକଙ୍କ ମୃତ୍ୟୁ ହୋଇଛି। ସର୍ବାଧିକ ମୃତ୍ୟୁହାର ଓଡ଼ିଶାରେ ୨୧୩ ରହିଛି, ଯାହା କି ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। ୨୦୨୦ ବର୍ଷରେ ବିହାର ବଜ୍ରପାତ ଜନିତ ମୃତ୍ୟୁହାରରେ ପ୍ରଥମରେ ଥିବାବେଳେ ୨୦୨୧ରେ ତୃତୀୟ ସ୍ଥାନକୁ ଖସି ଆସିଛି। ମଧ୍ୟପ୍ରଦେଶରେ ୧୫୬ ଜୀବନ ନେଇଛି ବଜ୍ରପାତ। ଫଳରେ ମଧ୍ୟପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି। ତା’ତଳକୁ ବିହାରରେ ୮୯, ମହାରାଷ୍ଟ୍ରରେ ୭୬, ପଶ୍ଚିମବଙ୍ଗରେ ୫୮, ଝାଡ଼ଖଣ୍ଡରେ ୫୪, ଉତ୍ତରପ୍ରଦେଶରେ ୪୯ ଏବଂ ରାଜସ୍ଥାନରେ ୪୮ଜଣଙ୍କ ଜୀବନ ଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଯୋଗୁଁ ମୋଟ ୧୭୫୦ ଲୋକ ମୃତ୍ୟୁବରଣ କରିଛନ୍ତି। ଅଂଶୁଘାତ, ଅତି ପ୍ରବଳ ବର୍ଷା, ବନ୍ୟା, ବାତ୍ୟା ପ୍ରଭାବରେ ଲୋକେ ମୃତ୍ୟୁବରଣ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁହାର ଦେଖିଲେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୫୦ ଜଣଙ୍କ ଜୀବନ ଯାଇଥିବାବେଳେ ଓଡ଼ିଶାରୁ ୨୨୩ ଜଣ ମୃତ୍ୟୁବରଣ କରିଛନ୍ତି। ମଧ୍ୟପ୍ରଦେଶରେ ୧୯୧, ଉତ୍ତରାଖଣ୍ଡରେ ୧୪୭ ଏବଂ ବିହାରରେ ୧୦୨ଜଣଙ୍କ ମୃତ୍ୟୁ ହୋଇଛି।
ବିଜୁଳି ଘଡଘଡି ସମ୍ବନ୍ଧରେ ସୂଚନା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ଭିତ୍ତିଭୂମି ସୁଦୃଢ କରାଯାଉ ନାହିଁ। ଫଳସ୍ବରୂପ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର କାଳବୈଶାଖୀ, ପ୍ରାକ୍ ମୌସୁମି ଏବଂ ମୌସୁମି ସମୟରେ ବଜ୍ରପାତ ପାଇଁ ୩ ଘଣ୍ଟା ପୂର୍ବରୁ ସତର୍କ ସୂଚନା ଜାରି କରୁଛି। ଯେଉଁ ସତର୍କ ସୂଚନା ଜାରି କରୁଛି ତାହା ଜିଲାସ୍ତରୀୟ। ଜିଲାସ୍ତରୀୟ ସତର୍କ ସୂଚନା ଜାରି କରୁଥିବାରୁ ନିର୍ଦିଷ୍ଟ କେଉଁ ଅଞ୍ଚଳରେ ବଜ୍ରପାତ ଘଟିବ ତାହା ସଠିକ ଆକଳନ କରାଯାଉ ପାରୁନାହିଁ। ବିଜୁଳି ଘଡଘଡି ସଂକ୍ରାନ୍ତରେ ଲୋକଙ୍କୁ ନିର୍ଦିଷ୍ଟ ସ୍ଥାନୀୟ ଓ ସମୟ ଉପରେ ସତର୍କ ସୂଚନା ଦିଆଯିବା ଦରକାର। ଯାହା ଏ କ୍ଷେତ୍ରରେ ସରକାର ଓ ପାଣିପାଗ ବିଭାଗ ବହୁ ପଛରେ ପଡିଛନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦିଷ୍ଟ ସ୍ଥାନୀୟ ଓ ସମୟ ପାଇଁ ସତର୍କ ସୂଚନା ଆକଳନ କରିବାକୁ ହେଲେ ସରକାର ନୂତନ ବୈଷୟିକ ଜ୍ଞାନକୌଶଳ ସହ ଉପକରଣ ଭିତ୍ତିଭୂମି ସୁଦୃଢ କରିବା ଦରକାର, କିନ୍ତୁ ଏ ପର୍ଯ୍ୟନ୍ତ ତାହା ରାଜ୍ୟ ସରକାର କରିପାରିନାହାନ୍ତି। ଓଡ଼ିଶାରେ ଗୋପାଳପୁର ଏବଂ ପାରାଦ୍ବୀପରେ ଦୁଇଟି ଡପଲର୍ ରେଡାର ବସିଛି।
ଏହି ଦୁଇ ରେଡାରକୁ ନେଇ ପାଣିପାଗ ବୈଜ୍ଞାନିକ ପୂର୍ବାନୁମାନ କରୁଛନ୍ତି। ଉପରୋକ୍ତ ଦୁଇଟି ରେଡାର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ନିର୍ଭୁଲ ଆକଳନ କରିବାରେ ସମସ୍ୟା ଉପୁଜୁଛି।
ପାଣିପାଗ ବିଭାଗ ନିର୍ଦିଷ୍ଟ ସ୍ଥାନ ପାଇଁ ଆକଳନ କରିବାକୁ ହେଲେ ସରକାର ଏହି ରେଡାର ସଂଖ୍ୟା ବୃଦ୍ଧି କରିବା ଦରକାର। ବହୁଦିନ ହେଲା ସମ୍ବଲପୁର ଏବଂ ଚାନ୍ଦିପୁରରେ ଏହା ସ୍ଥାପନ କରିବା ଦିଗରେ ପ୍ରସ୍ତାବ ରହିଛି, କିନ୍ତୁ ଏଥିପ୍ରତି ସରକାର ଗୁରୁତ୍ବ ଦେଉନାହାନ୍ତି। ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ନେଉଛି ବଜ୍ରପାତ। ୨୦୨୧ରେ ଓଡ଼ିଶାକୁ ତିନିଟି ବାତ୍ୟା ଆସିଛି। ମେ ୨୩ରୁ ୨୮ ମଧ୍ୟରେ ବାତ୍ୟା ୟସ୍, ସେେପ୍ଟମ୍ବର ୨୪ରୁ ୨୮ମଧ୍ୟରେ ଗୁଲାବ ଏବଂ ଡିସେମ୍ବରରେ ଜୱାଦ ପ୍ରଭାବ ବିସ୍ତାର କରିବା ଦ୍ବାରା ୪ ଜଣଙ୍କ ଜୀବନ ନେଇଛି। ବନ୍ୟା ଏବଂ ଅତି ପ୍ରବଳ ବର୍ଷାରେ ୩, ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ୩ଜଣଙ୍କ ମୃତ୍ୟୁ ହୋଇଛି।
୨୦୨୧ ବର୍ଷ ଦେଶରେ ପଞ୍ଚମ ଉତ୍ତପ୍ତ ବର୍ଷ ଥିଲା। ୧୯୮୧-୨୦୧୦ ଦୀର୍ଘକାଳୀନ ହାରାହାରି ତାପମାତ୍ରା ଦେଖିଲେ ୨୦୨୧ରେ ୦.୪୪ ଡିଗ୍ରୀ ତାପମାତ୍ରା ବଢ଼ିଛି। ୧୯୬୧-୨୦୧୦ ଦୀର୍ଘକାଳୀନ ହାରାହାରି ବର୍ଷା ଦେଖିଲେ ୧୦୫ ପ୍ରତିଶତ ବର୍ଷା ହୋଇଛି। ସ୍ବାଭାବିକଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ଉତ୍ତର ଭାରତ ମହାସାଗରରେ ୫ ବାତ୍ୟା, ବଙ୍ଗୋପସାଗରରେ ୩ ଏବଂ ଆରବ ସାଗରରେ ୨ଟି ବାତ୍ୟା ସୃଷ୍ଟି ହୋଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାର ଜଳବାୟୁ ଏବଂ ଭୌଗୋଳିକ ସ୍ଥିତି ଅନୁସାରେ ଅଧିକ ବଜ୍ରପାତ ହେଉଛି। ଆଗକୁ ଏହାର ମାତ୍ରା ଆହୁରି ବଢ଼ିବ। ଏଥିରୁ ରକ୍ଷା ପାଇବାକୁ ହେଲେ ନିର୍ଦିଷ୍ଟ ସ୍ଥାନ ଏବଂ ସମୟରେ ପାଇଁ ପୂର୍ବାନୁମାନ କରି ସତର୍କ ସୂଚନା ଦିଆଯିବ ଦରକାର। ସରକାର ଉପଯୁକ୍ତ ଯନ୍ତ୍ରାଂଶ ଯୋଗାଇ ଦେଲେ ପାଣିପାଗ ବିଭାଗ ନିର୍ଦିଷ୍ଟ ସ୍ଥାନ ପାଇଁ ଆକଳନ କରିପାରିବ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ରାଜ୍ୟରେ ପ୍ରଦୂଷଣ ବଢୁଛି। ଖଣି ଅଞ୍ଚଳ ଗୁଡିକରେ ପ୍ରଦୂଷଣ ବଢ଼ିବା ଯୋଗୁଁ ଉପରୋକ୍ତ ଅଞ୍ଚଳରେ ଅଧିକ ବଜ୍ରପାତ ହେଉଛି। ନିର୍ଦିଷ୍ଟ ସ୍ଥାନ ଏବଂ ସମୟ ପାଇଁ ଆକଳନ କରିବା ଦିଗରେ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ କରିବା ଦରକାର। ଅନ୍ୟପକ୍ଷରେ ବଜ୍ରପାତ ପ୍ରତିରୋଧୀ ଭାବେ ତାଳଗଛ ଗୁଡିକ ବିଶେଷ ଭୂମିକା ତୁଲାଉଥିବାବେଳେ ଏହି ଗଛର ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଅଧିକାଂଶ ବଜ୍ରପାତ ଜନିତ ମୃତ୍ୟୁ ବିଲରେ କାମ କରୁଥିବା ଶ୍ରମିକଙ୍କ କ୍ଷେତ୍ରରେ ଘଟୁଥିବା ଲକ୍ଷ୍ୟ କରାଯାଉଛି। ଅତୀତରେ ତାଳଗଛ ଗୁଡିକ କ୍ଷେତ ହିଡ଼ରେ ଓ ରାସ୍ତାକଡ଼ରେ ଥିବାରୁ ଏହା ବଜ୍ରପାତ ପ୍ରତିରୋଧୀ ହୋଇପାରୁଥିଲା। ମାତ୍ର ଏହି ସଂଖ୍ୟା କ୍ରମଶଃ ହ୍ରାସ ପାଇବା ଯୋଗୁଁ ବଜ୍ରପାତ ମୃତ୍ୟୁ ବଢୁଥିବା ଦେଖାଯାଉଛି। ନିକଟ ଅତୀତରେ ଜଗତସିଂହପୁର ଜିଲାରେ ବଜ୍ରପାତ ରୋକିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ରାସ୍ତାକଡ଼ରେ ତାଳଗଛ ରୋପଣ ଉପରେ ଗୁରୁତ୍ବ ଦିଆଯାଇଥିବା ନଜରକୁ ଆସିଥିଲା। ତେବେ ବଜ୍ରପାତ ଜନିତ ଆଗୁଆ ସୂଚନା ଏବଂ ପ୍ରାକୃତିକ ପରିବେଶ ସନ୍ତୁଳନତା ରକ୍ଷା ହୋଇପାରିଲେ ଅଧିକ ଜୀବନହାନିକୁ ରୋକାଯାଇପାରିବ ବୋଲି ପରିବେଶବିତ୍ ମତ ରଖିଛନ୍ତି।



