କେନ୍ଦୁଝରଗଡ଼: ଆବଶ୍ୟକ ଭିତ୍ତିଭୂମି ଅଭାବ ସାଙ୍ଗକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୬୦ବର୍ଷରୁ ଊର୍ଦ୍ଧ୍ବ ସମୟଧରି କାର୍ଯ୍ୟକ୍ଷମ ଜିଲା ରକ୍ତ ଭଣ୍ଡାର ବା ଓଡ଼ିଶା ରକ୍ତ କେନ୍ଦ୍ର କେନ୍ଦୁଝର ଶାଖା ଉଧେଇପାରୁନି। ସବୁଠାରୁ ବଡକଥା, ଓଡ଼ିଶା ରକ୍ତ କେନ୍ଦ୍ର କେନ୍ଦୁଝରର ଲାଇସେନ୍ସ ୨୨ ମାର୍ଚ୍ଚ ୨୦୨୦ରୁ ଶେଷ ହୋଇଥିବା ବେଳେ ଲାଇସେନ୍ସ ନବୀକରଣ ପାଇଁ ଅପ୍ରେଲ ୨୦୨୦ରୁ ଆବେଦନ କରାଯାଇଥିଲେ ମଧ୍ୟ ୩ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନବୀକରଣ ହୋଇନପାରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। କେବଳ ଓଡ଼ିଶା ରକ୍ତ କେନ୍ଦ୍ର କେନ୍ଦୁଝର ଶାଖା ନୁହେଁ, ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରର ଲାଇସେନ୍ସ ମଧ୍ୟ ୫ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଅବଧି ଶେଷ ହୋଇଥିଲେ ମଧ୍ୟ ଏହା ଅଦ୍ୟାବଧି ନବୀକରଣ ହୋଇପାରିନାହିଁ। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଜିଲା ରକ୍ତଭଣ୍ଡାର ଲାଇସେନ୍ସ ନବୀକରଣ ହୋଇପାରୁ ନ ଥିବାରୁ ରକ୍ତଭଣ୍ଡାରର ଆଧୁନିକୀକରଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ମନ୍ଥରତା ସାଙ୍ଗକୁ ଭୁଲ ବିଦ୍ୟୁତକରଣ ଯୋଗୁଁ ନିକଟରେ ଦୁଇଟି ଫ୍ରିଜ୍ ହାଇ ଭୋଲଟେଜ୍ ଯୋଗୁଁ ପୋଡ଼ିଯିବା ଦେଖିବାକୁ ମିଳିଛି।
ସେହିଭଳି ଜିଲା ଭଣ୍ଡାରକୁ ଆଜକୁ ୧୮ବର୍ଷ ଧରି କମ୍ପୋନେଣ୍ଟ ସେପାରେସନ ୟୁନିଟ୍ ଯୋଗାଇ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଦିନଟିଏ ପାଇଁ ତାହା ରୋଗୀ ସେବାରେ ଆସି ନପାରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ସାଧାରଣତଃ ଯେକୌଣସି ବ୍ୟକ୍ତିଠାରୁ ସଂଗୃହିତ ୧ୟୁନିଟ୍ ରକ୍ତକୁ ପରୀକ୍ଷା ପରେ ୩୫ଦିନ ମଧ୍ୟରେ ରୋଗୀ ଶରୀରରେ ବ୍ୟବହାର ହେବାକଥା। ଏହି ୧ୟୁନିଟ୍ ରକ୍ତକୁ କମ୍ପୋନେଟ୍ ସେପାରେସନ ୟୁନିଟ୍ ଦ୍ୱାରା ପ୍ରୟୋଗ କରାଗଲେ ଏଥିରୁ ନିର୍ଗତ ରକ୍ତ ଅତିକମରେ ୩ଜଣ ରୋଗୀଙ୍କ ସେବାରେ ବ୍ୟବହାର ହୋଇଥାଏ। କମ୍ପୋନେଟ୍ ସେପାରେସନ ୟୁନିଟ୍ ମେସିନରେ ୧ୟୁନିଟ୍ ରକ୍ତ ପ୍ରୟୋଗ ହେଲେ ସେଥିରୁ ପ୍ଲାଜମା, ପ୍ଲାଟିଲେଟ୍ ଓ ରେଡ୍ ପ୍ୟାକ ବ୍ଲଡସେଲ ୩ ପ୍ରକାରର ରକ୍ତ ପୃଥକୀକରଣ ହୋଇ ତାହା ଭିନ୍ନ ଭିନ୍ନ ରୋଗୀ ସେବାରେ ଲାଗିପାରିବ। ସାଧାରଣ ଭାବେ ସଂଗୃହିତ ରକ୍ତ ଗ୍ରହଣର ୩୫ଦିନ ମଧ୍ୟରେ ରୋଗୀ ଶରୀରରେ ବ୍ୟବହାର ନିହାତି ଆବଶ୍ୟକ ଥିବାବେଳେ କମ୍ପୋନେଟ୍ ସେପାରେସନ ୟୁନିଟରୁ ପ୍ରୟୋଗ ହୋଇ ବାହାରୁଥିବା ପ୍ଲାଜମା ସର୍ବାଧିକ ୧ବର୍ଷ ମଧ୍ୟରେ ବ୍ୟବହାର ହୋଇପାରିବ। ସେହିଭଳି ରେଡ୍ ପ୍ୟାକ୍ ବ୍ଲଡସେଲର ଅବଧି ୪୨ଦିନ ଥିବାବେଳେ ପ୍ଲାଟିଲେଟ୍କୁ ମାତ୍ର ୫ଦିନ ମଧ୍ୟରେ ବ୍ୟବହାର କରିବା ଆବଶ୍ୟକ। ପ୍ଲାଟିଲେଟ୍ ରକ୍ତ ପୋଡାଜଳା ଗୁରୁତର ରୋଗୀ ଶରୀରରେ ବ୍ୟବହାର କରାଗଲେ ରୋଗୀର ଆଶୁ ଆରୋଗ୍ୟ ସମ୍ଭାବନା ଅଧିକ ରହିଥାଏ। ଗୁରୁତ୍ୱପୂର୍ଣ୍ଣ ଏହି କମ୍ପୋନେଟ୍ ସେପାରେସନ ୟୁନିଟ୍ ମେସିନକୁ ତତ୍କାଳୀନ ଜିଲାପାଳ ସୁଶୀଲ କୁମାର ଲୋହାନୀଙ୍କ ପ୍ରତ୍ୟକ୍ଷ ଚେଷ୍ଟା ବଳରେ ୮.୫ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା ଖଣି ନିଗମ ପକ୍ଷରୁ ଆଜକୁ ୧୮ବର୍ଷ ତଳେ ୧୫ ଅଗଷ୍ଟ ୨୦୦୫ ମସିହାରେ ପ୍ରଥମଥର ପାଇଁ ଜିଲା ରକ୍ତ ଭଣ୍ଡାରକୁ ଯୋଗାଇ ଦିଆଯାଇଥିଲା। ଏହି ମେସିନ ବ୍ୟବହାର ସମ୍ପର୍କରେ କର୍ମଚାରୀଙ୍କ ଅଭିଜ୍ଞତା ନଥିବା ଦର୍ଶାଇ କ୍ରୟ ହୋଇ ଯୋଗାଣ ପରଠାରୁ ଦିନଟିଏ ପାଇଁ ରୋଗୀ ସେବାରେ ଆସିପାରିଲା ନାହିଁ। ଗୋଟିଏ କମ୍ପୋନେଣ୍ଟ ସେପାରେସନ ୟୁନିଟ୍ ମେସିନ ଯୋଗାଣର ୧୫ବର୍ଷ ପରେ କାର୍ଯ୍ୟକ୍ଷମ ହୋଇନପାରି ଅଚଳ ହୋଇ ପଡ଼ି ରହିଥିବା ବେଳେ ପୁଣିଥରେ ୩ବର୍ଷ ତଳେ ଆଉ ଏକ ଅତ୍ୟାଧୁନିକ କମ୍ପୋନେଣ୍ଟ ସେପାରେସନ ୟୁନିଟ୍ ମେସିନ ଜିଲା ରକ୍ତ ଭଣ୍ଡାରକୁ ଯୋଗାଣ ସହ ଇଞ୍ଜିନିୟରଙ୍କ ଦ୍ୱାରା କାର୍ଯ୍ୟକ୍ଷମ କରାଯାଇ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ଏପରିକି ଏହି ମେସିନକୁ କାର୍ଯ୍ୟକ୍ଷମ ପାଇଁ ଜଣେ ଲାବ୍ରୋଟେରୀ ଟେକ୍ନିସିଆନ ମଧ୍ୟ ତାଲିମ ହାସଲ କରିଥିଲେ ହେଁ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ତାହା ମଧ୍ୟ ଦିନଟିଏ ପାଇଁ ରୋଗୀସେବାରେ ଆସିନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ଜିଲା ରକ୍ତ ଭଣ୍ଡାରରେ ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ବର୍ଷବର୍ଷ ଧରି ଏ.ସି. ଅଚଳ ହେବା ରକ୍ତଦାତାଙ୍କୁ ନିରାଶ କରିଛି। ସବୁଠାରୁ ବଡକଥା, ଓଡ଼ିଶା ରକ୍ତ କେନ୍ଦ୍ର କେନ୍ଦୁଝର ଶାଖା ପରିଚାଳନା ପାଇଁ ଜଣେ ତାଲିମପ୍ରାପ୍ତ ଅଭିଜ୍ଞ ପାଥୋଲୋଜିଷ୍ଟ ଡାକ୍ତରଙ୍କୁ ରକ୍ତଭଣ୍ଡାର ଅଧିକାରୀ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ପୃକ୍ତ ଡାକ୍ତର ଦୀର୍ଘବର୍ଷ ଧରି ଅନୁପସ୍ଥିତ ରହିବା ଏବଂ ପରବର୍ତ୍ତୀ ସମୟରେ ଡେପୁଟେସନରେ ରାଜ୍ୟ ବାହାରକୁ ବଦଳି ହୋଇଯିବା ଫଳରେ ବର୍ତ୍ତମାନ ଜଣେ ଡାକ୍ତରଙ୍କ ଦ୍ୱାରା କାମଚଳା ଭାବେ ଏହି ରକ୍ତଭଣ୍ଡାର କାର୍ଯ୍ୟକ୍ଷମ ହୋଇ ଆସୁଛି। ଏଭଳିସ୍ଥିତିରେ ଜିଲା ରକ୍ତଭଣ୍ଡାରକୁ ସୁଚାରୁରୂପେ ପରିଚାଳନା ସହ ରୋଗୀଙ୍କୁ ତ୍ୱରିତ୍ ସେବା ଯୋଗାଇ ଦେବାକୁ ହେଲେ ଜଣେ ଅଭିଜ୍ଞ ତାଲିମପ୍ରାପ୍ତ ପାଥୋଲୋଜିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି।
ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଓଡ଼ିଶା ରକ୍ତ କେନ୍ଦ୍ର ବା ଜିଲା ରକ୍ତଭଣ୍ଡାରର ଉନ୍ନତିକରଣ କାର୍ଯ୍ୟ ବିଳମ୍ବ ନେଇ ଠିକାସଂସ୍ଥାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ଦାୟୀ କରିଛନ୍ତି। ଯେତେ ଶୀଘ୍ର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ ସେତେ ଶିଘ୍ର କମ୍ପୋନେଣ୍ଟ ସେପାରେସନ ୟୁନିଟ କାର୍ଯ୍ୟକ୍ଷମ ସହ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ ବୋଲି ଡାକ୍ତର ପୃଷ୍ଟି କହିଛନ୍ତି। ଏଥିସହ ଭିତ୍ତିଭୂମି ବିକାଶ କାର୍ଯ୍ୟ ଶେଷ ହେବାମାତ୍ରେ ରକ୍ତଭଣ୍ଡାର ଲାଇସେନ୍ସ ନବୀକରଣ କିଭଳି ଯଥୀଶୀଘ୍ର କରାଯାଇ ପାରିବ ସେ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡାକ୍ତର ପୃଷ୍ଟି କହିଛନ୍ତି।



