ନୁଆଁଖାଇ ପାଇଁ ଚଳଚଞ୍ଚଳ ସହର
ସମ୍ବଲପୁର : ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ପାଇଁ ଜନତା ଏବେ ଉତ୍ସବ ମୁଖର। କରୋନାର ୨ ବର୍ଷ ସଙ୍କଟ ମଧ୍ୟରେ କେବଳ ବିଧି ରକ୍ଷାରେ ସୀମିତ ହୋଇ ପାଳିତ ହୋଇଥିବା ନୁଆଁଖାଇ ଉତ୍ସବ ପାଇଁ ଚଳିତ ବର୍ଷ ସେଭଳି କୌଣସି କଟକଣା ନାହିଁ । ଏଣୁ ଏବେ ଲୋକେ ୨ ବର୍ଷ ବ୍ୟବଧାନରେ ପାଳିତ ହେଉଥିବା ନୁଆଁଖାଇକୁ ଅତ୍ୟନ୍ତ ହର୍ସ ଓ ଉଲ୍ଲାସରେ ପାଳନ କରୁଛନ୍ତି । ଏଥି ପାଇଁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହର ବେଶ ଚଳଚଞ୍ଚଳ। ନୁଆଁଖାଇର ପାଳନ ବେଶ ପୂର୍ବରୁ ବଜାର ଗୁଡିକରେ ଭିଡ ଲାଗି ରହିଥିବା ବେଳେ ବୁଧବାର ଶେଷ ଦିବସ ହୋଇଥିବାରୁ ସବୁ ଦୋକାନ ବଜାରରେ ଗହଳି ଲାଗି ରହିଛି । ନୁଆଁଖାଇ ସମସ୍ତଙ୍କୁ ଯୋଡିବାର ପର୍ବ ହୋଇଥିବା ବେଳେ ଏହି ସମୟରେ ପଶ୍ଚିମ ଓଡିଶାବାସୀ ନିଜର ଘରକୁ ଫେରି ପରିବାର ସହିତ ଏକାଠି ଇଷ୍ଟ ଦେବଦେବୀଙ୍କୁ ନୂତନ ଉତ୍ପାଦିତ ଶସ୍ୟ ଭେଟି ଦେଇ ନବାନ୍ନ ଗ୍ରହଣ କରିଥାନ୍ତି। ଏଣୁ ବୁଧବାର ନୁଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ପରିବାର ଲୋକେ ନିଜ ନିଜ ଘରକୁ ଫେରୁଥିବାରୁ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡିକରେ ବେଶ ଭିଡ ପରିଲକ୍ଷିତ ହେଉଛି।
ଅପରପକ୍ଷରେ ୨ ବର୍ଷ ପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଗୁଡିକ ସହରର ବିଭିନ୍ନ ଅନୁଷ୍ଠାନ ଗୁଡିକ ପକ୍ଷରୁ ଆୟୋଜିତ ହେଉଥିବାରୁ ଏଥି ପାଇଁ ମଧ୍ୟ ଜନତା ବେଶ ଉତ୍ସାହିତ। ସମ୍ବଲପୁର ତଥା ପଶ୍ଚିମ ଓଡିଶାର ପ୍ରଥମ ମୁକ୍ତ ମଞ୍ଚ ‘ଚିତ୍ରୋତ୍ପଳା ରଙ୍ଗମଞ୍ଚ’ ନନ୍ଦପଡା ସହିତ ସମଲେଶ୍ୱରୀ ଯୁବକ ସଂଘ, ଓଡିଶା ସାଂସ୍କୃତିକ ସମାଜ ଇତ୍ୟାଦି ଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଭେଟଘାଟ କାର୍ଯ୍ୟକ୍ରମ ଗୁଡିକରେ ଭବ୍ୟ ଓ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ କଳାକାର ଦଳ ଗୁଡିକ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛନ୍ତି। ଅନ୍ୟପଟରେ ମାଁ ସମଲେଶ୍ୱରୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗ ପାଇଁ ସମସ୍ତ ପ୍ରକାରର ପ୍ରାକ ପ୍ରସ୍ତୁତି ଶେଷ ହୋଇ ସାରିଥିବା ବେଳେ ନୁଆଁଖାଇ ନିମନ୍ତେ ଏବେ ସମ୍ବଲପୁରବାସୀ ବେଶ ଉତ୍ସାହିତ ଥିବାର ପରିଲକ୍ଷିତ ହେଉଛି।
Comments are closed.