ଶୁକ୍ରବାର ଅନାସ୍ଥା ପ୍ରସ୍ଥାବ ଉପରେ ଆଲୋଚନା!

0

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବିରୋଧରେ ବୁଧବାର ଲୋକସଭା ମୌସୁମୀ ଅଧିବେଶନରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। କଂଗ୍ରେସ ଏବଂ ଟିଡିପି ନେତୃତ୍ୱରେ ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୨ରୁ ୩ ଦିନ ମଧ୍ୟରେ ବିଜ୍ଞପ୍ତି ଜାରି କରାଯିବ ବୋଲି ବାଚସ୍ପତି କହିଛନ୍ତି। ଆସନ୍ତା ଶୁକ୍ରବାର ଏନେଇ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଅଧିବେଶନ ହୋହଲ୍ଲା ମଧ୍ୟରେ ଆରମ୍ଭ ହୋଇଥିଲା। ବାଚସ୍ପତି ସୁମିତ୍ରା ମହାଜନ ପ୍ରଶ୍ନକାଳର ଘୋଷଣା କରିଥିଲେ ଓ ଏହାର ଶେଷରେ ଟିଡିପି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଏହାକୁ ସ୍ୱୀକାର କରି ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଥିଲେ। ତେବେ ବାଚସ୍ପତି ସୁମିତ୍ରା ମହାଜାନ ଏହା ଉପରେ ଚର୍ଚ୍ଚା ପାଇଁ ସମୟ ଦେଇନାହାନ୍ତି। ୨ ଦିନ ପରେ ଅର୍ଥାତ ଶୁକ୍ରବାର ଏହା ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଏହା ହେଉଛି ପ୍ରଥମ ଅନାସ୍ଥା ପ୍ରସ୍ତାବ। ଏହା ପୂର୍ବରୁ ମାର୍ଚ୍ଚରେ ବଜେଟ ଅଧିବେଶନ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ କଥା ଉଠାଯାଇଥିଲେ ବି ତାହା ଆଗତ ହୋଇପାରିନଥିଲା। ସଂଖ୍ୟା ଖେଳରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ କୌଣସି ବିପଦ ନାହିଁ। ବହୁମତ ପାଇଁ ୨୭୨ ଆସନ ଆବଶ୍ୟକ ଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ସମସ୍ତ ସହଯୋଗୀଙ୍କୁ ମିଶାଇ ଲୋକସଭାରେ ୩୧୧ ସାଂସଦ ରହିଛନ୍ତି।
ବିରୋଧୀ ଏହି ଅଧିବେଶନରେ ମହିଳା ସୁରକ୍ଷା, ବେକାରି, ପିଟି ପିଟି ହତ୍ୟା, କୃଷକଙ୍କ ସ୍ଥିତି, ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାନ ନିରୋଧୀ କାନୁନ, ଦରଦାମ, ପେଟ୍ରୋଲ ଏବଂଡିଜେଲର ଆକାଶ ଛୁଅାଁ ଦର, ସୁଇସ୍‍ ବ୍ୟାଙ୍କରେ କଳାଧାନ ଆଦି ୫୦ଟି ପ୍ରସଙ୍ଗ ଉତ୍ଥାପନ କରି ମୋଦୀ ସରକାରଙ୍କୁ ଘେରିବ ବୋଲି ମଙ୍ଗଳବାର କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ। ସୋମବାର କଂଗ୍ରେସ ନେତୃତ୍ୱରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ବୈଠକରେ ସାମିଲ ୧୨ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ତେଲୁଗ ଦେଶମ ପାର୍ଟି (ଟିଡିପି) ଏହି ଅନାସ୍ଥା ପ୍ରସ୍ତାବ ଅଭିଯାନର ନେତୃତ୍ୱ ନେଉଛି। ଟିଡିପି ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡୁ ସମସ୍ତ ବିରୋଧୀ ଦଳଙ୍କୁ ପତ୍ର ଲେଖି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସମର୍ଥନ ମାଗିଛନ୍ତି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନମଳିବାରୁ ଟିଡିପି ଗତ ମାର୍ଚ୍ଚରେ ଏନଡିଏ ମେଣ୍ଟରୁ ଓହରି ଆସିବା ପରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା। ମାର୍ଚ୍ଚରେ ଏହା ଆଗତ ହୋଇପାରିନଥିଲା। ମୌସୁମୀ ଅଧିବେଶନରେ ଏହା ଆଗତ ହୋଇଛି। କଂଗ୍ରେସ, ବାମଦଳ ଏବଂ ତୃଣମୂଳ କଂଗ୍ରେସ ଭଳି ୧୨ଟି ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି।

Leave A Reply