www.samajalive.in
Wednesday, December 10, 2025
14.1 C
Bhubaneswar

ଏକ ରାଷ୍ଟ୍ରର ନେତୃବୃନ୍ଦ ପଛଘୁଞ୍ଚା ଦେଉଥିବାବେଳେ ସେହି ରାଷ୍ଟ୍ରକୁ ସୁରକ୍ଷା ଦେଇହେବ ନାହିଁ- ବାଇଡେନ

ୱାଶିଂଟନ: ଆଫଗାନିସ୍ତାନ ସଙ୍କଟକୁ ନେଇ ବିଣ୍ୱବାସୀଙ୍କ ନିକଟରେ ନିଜର ପକ୍ଷ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଭାରତୀୟ ସମୟ ସୋମବାର ରାତି ପ୍ରାୟ ୧.୩୦ରେ ହ୍ୱାଇଟହାଉସରୁ ଉଦବୋଧନ ଦେଇ ବାଇଡେନ କହିଛନ୍ତି, ଯେଉଁ ରାଷ୍ଟ୍ରର ନେତୃବୃନ୍ଦ ପଛଘୁଞ୍ଚା ଦେଇ ପଳାୟନ କରୁଛନ୍ତି, ସେହି ରାଷ୍ଟ୍ରକୁ କେହି ସୁରକ୍ଷା ଦେଇପାରିବେ ନାହିଁ। ଏଥିସହିତ ସେଠାରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ମଧ୍ୟ ସେ ଠିକ୍‍ ବୋଲି ଦର୍ଶାଇଛନ୍ତି।

ଆଫଗାନ ସଙ୍କଟ ଦିନକୁ ଦିନ ଗମ୍ଭୀର ରୂପ ଧାରଣ କରୁଥିବା ଏବଂ ସେଥିପାଇଁ ଆଫଗାନ ନାଗରିକଙ୍କ ସମେତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ବ୍ରିଟେନ, ଜର୍ମାନୀ ଭଳି କେତେକ ରାଷ୍ଟ୍ର ଆମେରିକା ନିଷ୍ପତ୍ତିକୁ ଦାୟୀ କରୁଥିବାବେଳେ ବାଇଡେନ ତାଙ୍କ ପକ୍ଷ ରଖିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାର ଛଅମାସ ପରେ କ୍ୟାମ୍ପ ଡେଭିଡକୁ ଛୁଟି କଟାଇବାକୁ ଯାଇଥିବା ଜୋ ବାଇଡେନ ଛୁଟି ଅଧାରୁ ହ୍ୱାଇଟ ହାଉସକୁ ପ୍ରତ୍ୟାବର୍ତ୍ତନ କରି ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ତାଲିବାନର ଆଫଗାନିସ୍ତାନ ଦଖଲ ଆଶା କରାଯାଉଥିବା ସମୟ ଠାରୁ ଯଥେଷ୍ଟ ଆଗୁଆ ହୋଇଛି- ଏକଥା ସେ ସ୍ୱୀକାର କରୁଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଆମେରିକା ସୈନ୍ୟ ସେଠାରେ ଦୀର୍ଘ କୋଡିଏ ବର୍ଷ ରହିଲେ। ସେଠାରେ ସବୁଦିନ ପାଇଁ ରହି ଯୁଦ୍ଧ କରିବା ସମ୍ଭବ ନୁହେଁ। ଆଫଗାନ ରାଷ୍ଟ୍ରପତି ଆସରଫ ଘନିଙ୍କ ଭଳି ନେତା ଦେଶଛାଡି ଚାଲିଯାଉଥିବାବେଳେ ସେହି ରାଷ୍ଟ୍ରକୁ କେହି ସୁରକ୍ଷା ଦେଇପାରିବେ ନାହିଁ। ଆମେରିକା ସେମାନଙ୍କୁ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ସୁଯୋଗ ଦେଇଥିଲା। କିନ୍ତୁ ଭବିଷ୍ୟତ ପାଇଁ ଲଢେଇ କରିବାର ଇଛାଶକ୍ତି ଆମେରିକା ସେମାନଙ୍କୁ ଦେଇପାରିବ ନାହିଁ। ସେ ଆମେରିକା ସୈନ୍ୟଙ୍କୁ ନିଜ ଜୀବନକୁ ବିପନ୍ନ କରି ସେହି ଦେଶରେ ଆଉ ଅଧିକ କାଳ ରହିବାକୁ କହିପାରିବେ ନାହିଁ।

- Advertisement -

ସୂଚନାଯୋଗ୍ୟ ଯେ ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବାପରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନିରୀହ ସାଧାରଣ ଲୋକଙ୍କୁ ହତ୍ୟା କରିଚାଲିଛନ୍ତି। ସେମାନଙ୍କର ଲୋଲୁପ ଦୃଷ୍ଟି ଆଫଗାନ ମହିଳା, ଯୁବତୀ ଓ ବାଳିକାମାନଙ୍କ ଉପରେ ପଡିଛି। ସେମାନଙ୍କ ପାଇଁ ଆଫଗାନିସ୍ତାନ ସଂପ୍ରତି ନର୍କ ପାଲଟି ଯାଇଛି। ବିଶେଷକରି ତାଲିବାନ ଆତଙ୍କି କାବୁଲ ଦଖଲ କରିବା ପରେ ସେଠାରୁ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାୟନ କରିବାକୁ ଯେଉଁଭଳି ସଂଘର୍ଷ କରୁଥିବା ଦୃଶ୍ୟ ସାମନାକୁ ଆସୁଛି, ତାହା ବିଶ୍ୱବାସୀଙ୍କୁ ବିଚଳିତ କଲାଭଳି ହୋଇଛି। କାବୁଲ ବିମାନ ବନ୍ଦରରେ ହଜାର ହଜାର ଲୋକ ଜମାହୋଇ ସେଠାରୁ ପଳାଇ ଯିବାକୁ ପ୍ରୟାସ କରୁଛନ୍ତି। ସେମାନେ କେଉଁ ବିମାନରେ କେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି ତାହା ମଧ୍ୟ ସେମାନଙ୍କୁ ଜଣାନାହିଁ। କେବଳ ସେମାନେ ଜୀବନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। ତେବେ ବିମାନ ବନ୍ଦରରେ ପରିସ୍ଥିତି ଅଣାୟତ୍ତ ହୋଇପଡିବାରୁ ତାହାକୁ ବେସାମରିକ ଉଡାଣ ନିମନ୍ତେ ବନ୍ଦ ରଖାଯାଇଛି।

ଇତିମଧ୍ୟରେ ଆମେରିକା ସେଠାରୁ ନିଜ ଦୂତାବାସ କର୍ମଚାରୀ, ନାଗରିକ ଏବଂ ଦୂତାବାସରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ, ସେମାନଙ୍କ ପରିବାର ସଦସ୍ୟଙ୍କୁ ଫେରାଇ ଆଣିବାକୁ ନିଜର ୬ହଜାର ସୈନ୍ୟ କାବୁଲ ବିମାନ ବନ୍ଦରରେ ମୁତୟନ କରିଛି। ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ ମଧ୍ୟ ସେମାନଙ୍କ ନାଗରିକଙ୍କୁ ଫେରାଇନେବା ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଭାରତ ତାହାର କେତେକ ନାଗରିକଙ୍କୁ ସେଠାରୁ ନିରାପଦରେ ଫେରାଇ ଆଣିଛି।

ଅନ୍ୟପକ୍ଷରେ ଚାଇନା ଓ ପାକିସ୍ତାନ ତାଲିବାନ ପକ୍ଷରୁ ଗଠନ ହେବାକୁ ଥିବା ସରକାରକୁ ସ୍ୱୀକୃତି ଦିଆଯିବା ନେଇ ଘୋଷଣା କରାଯାଇଛି। ତାଲିବାନ ଆତଙ୍କିମାନେ କାବୁଲସ୍ଥିତ ରାଷ୍ଟ୍ରପତି ଭବନ ଓ ସଂସଦ ଭବନରେ ପ୍ରବେଶ କରିସାରିଛନ୍ତି। ଏଥିସହିତ ସେମାନେ କାବୁଲ ସହରର ସୁରକ୍ଷା ତନଖି ସ୍ଥଳଗୁଡିକ ନିଜ ଦଖଲକୁ ନେଇ ସେହିବାଟଦେଇ ଯାଉଥିବା ଯାନବାହନ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ଆଫଗାନ ରାଷ୍ଟ୍ରପତି ନିଜ ପରିବାର ଏବଂ କର୍ମଚାରୀଙ୍କ ସହିତ ତାଜିକିସ୍ତାନ ଚାଲିଯିବା ପରେ ସେଠାରେ ତାଙ୍କ ବିମାନ ଅବତରଣକୁ ଅନୁମତି ଦିଆନଯିବାରୁ ସେ ଓମାନ ଚାଲିଯାଇଥିବା ଜଣାଯାଇଛି। ଏଥିସହିତ ନିଜ ସାଙ୍ଗରେ ସେ ବିପୁଳ ପରିମାଣରେ ଅର୍ଥ ନେଇଯାଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ଜୋ ବାଇଡେନ ତାଙ୍କ ଉଦବୋଧନରେ ତାଲିବାନକୁ ସତର୍କ କରାଇଦେଇ କହିଛନ୍ତି ଯେ ଆମେରିକା ସୈନ୍ୟ ଓ ଆମେରିକୀୟ ନାଗରିକଙ୍କ ଉପରେ ତାଲିବାନି ଆକ୍ରମଣ ହେଲେ ଆମେରିକା ତାହାର କଡା ଜବାବ ଦେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories